ସାଢେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ: ଯୁବକ ଗିରଫ – ଉତ୍ତ୍ୟକ୍ତ ‌ଲୋକଙ୍କ ଥାନା ଘେରାଉ – ପୂର୍ବରୁ ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲା

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଗପୁର ଗାଁରେ ଜଣେ ସାଢେ ୩ ବର୍ଷ ବୟସ୍କା ଶିଶୁ ଦୁଷ୍କର୍ମର ଶିକାର ହୋଇଛି। ଦୁଷ୍କର୍ମକାରୀ ଯୁବକ ୨୦୧୭ ମସିହାରେ ଆଉ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅପରାଧରେ ଗିରଫ ହୋଇ ଜେଲ୍ ଯାଇଥିଲା। ଜାମିନରେ ଆସିବା ଭିତରେ ଗତକାଲି ସେ ପୁଣି ସମାନ ଧରଣର ଅପରାଧ ଘଟାଇଛି। ତା’କୁ ଗିରଫ କରି ପୁଲିସ ଅଟକ ରଖିଥିବା ଖବର ପାଇ ଉତ୍ତ୍ୟକ୍ତ ଲୋକେ ଆଜି ରାଏବଗା ଥାନା ଘେରାଉ କରିଥିଲେ। ବାରମ୍ବାର ଦୁଷ୍କର୍ମ କରି ଛାଡ଼ ପାଇ ଯାଉଥିବାରୁ ଥାନାରୁ ବାହାର କରି ଜନତା ଅଦାଲତରେ ତାଙ୍କୁ ଦଣ୍ଡ ଦେବାକୁ ‌ଲୋକେ ଜିଦ୍ ଧରିଥିଲେ। ପରେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରିଛି।
ଗପୁର ସାମୁଟୋଲିର ଜଣେ ମହିଳାଙ୍କ ଅଭିଯୋଗ ଅନୁସାରେ, ଗତକାଲି ଅପରାହ୍‌ଣରେ ସେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ତାଙ୍କର ସାଢେ ୩ ବର୍ଷ ବୟସ୍କା ଝିଅ ଗାଁ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହିତ ଖେଳୁଥିଲା। ଅପରାହ୍‌ଣ ପ୍ରାୟ ସାଢେ ୪ଟା ବେଳେ ବଡ଼ମାଲ ଗାଢାଟୋଲିର ସଞ୍ଜୟ ଡୁଙ୍ଗଡୁଙ୍ଗ ଖେଳ ପଡ଼ିଆରେ ପହଞ୍ଚି ଚକଲେଟ୍ ଦେବା ଲୋଭ ଦେଖାଇ ଶିଶୁଟିକୁ ନିକଟସ୍ଥ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲା। ସଂଧ୍ୟା ପ୍ରାୟ ସାଢେ ୫ଟା ବେଳେ ଶିଶୁକୁ ଗୁରୁତର ଅବସ୍ଥାରେ ଛାଡ଼ି ସଞ୍ଜୟ ଫେରାର୍‌ ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା‌ ପାଇଁ ହସ୍ପିଟାଲ ନେଇଥିଲେ। ଗତକାଲି ଏ ସମ୍ପର୍କରେ ରାଏବଗା ଥାନାରେ ପୀଡ଼ିତାର ମା’ ଅଭିଯୋଗ କରିବା ପରେ ରାଏବଗା ଥାନା ଅଧିକାରୀ ବିଜୟ ସିଂହ ଭାରତୀୟ ପିଙ୍ଗଳ କୋଡ ଧାରା ୩୬୩, ୩୭୬(ଏବି) ଏବଂ ଆର୍‌/ଡବ୍ଲୁ ୬ ପକ୍‌ସୋ ଧାରାରେ ମାମଲା ରୁଜୁ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରିଥିଲେ। ଉଲ୍ଲେଖନୀୟ ଯେ ଗତ ୨୦୧୭ ମସିହାରେ ସଞ୍ଜୟ ରାଏବଗା ନିକଟସ୍ଥ ଝମନକେରାରେ ଜଣେ ୧୨ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇ ଜେଲ୍ ଯାଇଥିଲା। ଜାମିନରେ ଆସି ସେ ଏହି ଶିଶୁକୁ ଦୁଷ୍କର୍ମ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଉତ୍ତ୍ୟକ୍ତ ଲୋକେ ଥାନା ଘେରାଉ କରିଥିଲେ। ସଞ୍ଜୟକୁ କୋର୍ଟ ନ ପଠାଇ ବିଚାର ପାଇଁ ହାଜତରୁ ବାହାର କରି ଜନସାଧାରଣଙ୍କ ହାତରେ ଦେବାକୁ ଆନ୍ଦୋଳକାରୀ ଜିଦ୍‌ ଧରିଥିଲେ। ଉତ୍ତେଜନା ବଢୁଥିବା ଦେଖି ରାଏବଗା‌ ପୁଲିସ ପକ୍ଷରୁ ଥାନାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସଞ୍ଜୟ ଆଇନ ଅନୁସାରେ ଦଣ୍ଡିତ ହେବ ବୋଲି ପୁଲିସ ଲୋକଙ୍କୁ ବୁଝାସୁଝା କରି ପଠାଇବା ପରେ ସଞ୍ଜୟକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର