ରାଉରକେଲା : ହୋଟେଲରୁ ଟାଣି ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପ୍ଲାଣ୍ଟସାଇଟ୍ ପୁଲିସ ଆଜି ଆଉ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ପାନପୋଷ ଡେଲିମାର୍କେଟର ଶିବମ୍ ସିହ୍ନା (୨୬), ଆଇଟିଆଇ ଲକ୍ଷ୍ମୀନଗରର ପିଣ୍ଟୁ ଓରଫ ଜ୍ୟୋତି ପ୍ରକାଶ ମଲ୍ଲିକ (୨୧), ଲାଲ୍ ବିଲ୍ଡିଂର ଦୀପକ ଗୁପ୍ତା ଓରଫ ବବ୍ଲୁ (୨୬)।
ଏମାନଙ୍କ ନିକଟରୁ ବୁଲେଟ୍ (ଓଡି୧୪ଆର୍୬୮୯୧), ସୁଜ୍କି ମୋଟରବାଇକ (ଓଡି୧୪ଏସ୍୫୩୩୪), ସ୍କୁଟି (ଓଡି୧୪ଏସ୍-୯୫୭୬)। ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅମୀର ଖାନ୍, ତାଙ୍କ ଭଉଣୀ ଓ ଭଉଣୀଙ୍କ ସାଙ୍ଗକୁ ପୁଲିସ ଗିରଫ କରିବା ସହ ଗୋଟିଏ ସ୍କୁଟି ଜବତ କରିଥିଲା। ଗୁରୁତର ଅମୀର ଖାଁଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଉନ୍ନତି ଆସୁଥିବା ପୁଲିସ କହିଛି। ସୂଚନାଯୋଗ୍ୟ, ଗତ ୨୧ ରାତି ଷ୍ଟେସନ ନିକଟ ସ୍ବସ୍ତିକ୍ ଲଜ୍ର ରୁମ୍ ନଂ ୨୧୧ରେ ମଧ୍ୟପ୍ରଦେଶର ଅମୀର ଖାନ୍ ରହୁଥିଲେ। ଅସୀମ, ତା’ ଭଉଣୀ ଓ ଅନ୍ୟ ଜଣେ ଯୁବତୀ ରାତି ପ୍ରାୟ ସାଢ଼େ ୮ଟାରେ ହୋଟେଲରେ ପହଞ୍ଚିଥିଲେ। ରିସିପ୍ସନ୍ ଡ୍ୟୁଟିରେ ଥିବା ହୋଟେଲ କର୍ମଚାରୀଙ୍କୁ ଅମୀର କେଉଁ ରୁ୍ମ୍ରେ ରହୁଛି ବୋଲି ପଚାରିଥିଲେ। ହୋଟେଲ କର୍ମଚାରୀ କିଛି ନ ଜାଣି ଅମୀର ରୁମ୍ ନଂ ୨୧୧ରେ ରହୁଛି ବୋଲି କହିଥିଲେ। ପରେ ଅସୀମ, ତା’ର ଭଉଣୀ ସମେତ ୪ରୁ ୫ ଜଣ ହୋଟେଲ ଭିତରୁ ଅମୀରକୁ ଜୋରଜବରଦସ୍ତ ବାହାରକୁ ଟାଣି ଆଣିଥିଲେ। ହୋଟେଲ ସାମ୍ନାରେ ସଂଘବଦ୍ଧ ଭାବେ ଗୋଡେଇ ତୋଡେଇ ମାଡ ମାରିଥିଲେ। ଫଳରେ ଅମୀର ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପୁଲିସ ପହଞ୍ଚି ହୋଟେଲ କର୍ମଚାରୀଙ୍କ ସହାୟତାରେ ଅମୀରକୁ ଉଦ୍ଧାର କରି ଆର୍ଜିଏଚ୍ରେ ଭର୍ତ୍ତି କରିଥିଲେ। ପ୍ରାୟ ୧୨ ଘଣ୍ଟା ପରେ ଅର୍ଥାତ୍ ଆଜି ସକାଳ ପ୍ରାୟ ୬ଟାରେ ଅମୀର ହୋସ୍ ଆସିଥିଲା। ପୁଲିସ ଅମୀରକୁ କେଉଁମାନେ ମାଡ ମାରିଥିଲେ ପଚାରିଥିଲେ। କିନ୍ତୁ ଅମୀର କିଛି କହି ପାରିନଥିଲା। ପୁଲିସ ହୋଟେଲରେ ଲାଗିଥିବା ସିସି ଟିଭି ଫୁଟେଜ୍, ହୋଟେଲ କର୍ମଚାରୀଙ୍କ ବୟାନକୁ ଆଧାର କରି ଛେଣ୍ଡ କଅପରେଟିଭ କଲୋନିର ଅସୀମ ସହ ତା’ ଭଉଣୀକୁ ଗିରଫ କରିଥିଲା। ପରେ ତା’ ସୂଚନା ଆଧାରରେ ଅନ୍ୟ ଜଣେ ଯୁବତୀକୁ ଗିରଫ କରାଯାଇଥିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/kl.jpg)