ସୀମା ଟପିଯାଇଛି ଦାରିଦ୍ର୍ୟ ଯାତନା, ତିନି ଭଉଣୀ ମୁଣ୍ଡେଇଛନ୍ତି ପରିବାର ବୋଝ

ବାଉଁଶ, ପଲିଥିନରେ ତିଆରି ଝୁମ୍ପୁଡ଼ିରେ ଦିନ କଟୁଛି

ରାଉରକେଲା: ଘର ତିନି ପାଖରେ ଜଙ୍ଗଲ। ଘରଯାଏଁ ଯିବାକୁ ରାସ୍ତା ଖଣ୍ଡିଏ ନାହିଁ। ପାଦ ଚଳା ମାଟି ରାସ୍ତା। ବାଉଁଶ ତିଆରି ଘର ଓ ଉପରେ ପଲିଥିନ। ଘରର ଆକାର ୨ ଶହ ବର୍ଗଫୁଟ୍‌ରୁ ଅଧିକ ହେବନି। ମୋଟାମୋଟିଭାବେ କହିବାକୁ ଗଲେ ଝାଟି ମାଟିର କୁଡ଼ିଆ। ସାମାନ୍ୟ ବର୍ଷାରେ ଘର ସାରା କାଦୁଅ ପଚପଚ । ବର୍ଷସାରା ଘର ଭିତରେ ସାପ, ବୁଲା କୁକୁରର ଦୌରାତ୍ମ୍ୟ। ଶୌଚ ପାଇଁ ଶୌଚାଳୟ ନାହିଁ କି ପାଣି ବ୍ୟବସ୍ଥା ବି ନାହିଁ। ବାହାରୁ ପାଣି ଆଣି ବ୍ୟବହାର କରୁଛନ୍ତି। ଏସବୁ ଭିତରେ ରହୁଛନ୍ତି ତିନି ଭଉଣୀ। ଘୋର ଆର୍ଥିକ ଅନଟନ ଦେଇ ଜୀବନ ବିତୁଛି ଏମାନଙ୍କର। ବଡ଼ ଦୁଇ ଭଉଣୀ ସେଲ୍‌ସ ଗାର୍ଲ‌୍‌ଭାବେ କାମ କରୁଛନ୍ତି, ହେଲେ ଆୟ ଘର ଚଲାଇବା ପାଇଁ ନିଅଣ୍ଟ। ଏସବୁ ଭିତରେ ରୋଗୀଣା ବାପା-ମା’ଙ୍କୁ ବର୍ଷସାରା ଚିକିତ୍ସାସେବା ପ୍ରଦାନ କରୁଛନ୍ତି। ଏମିତିକି ବାପା କରିଥିବା ଧାରକରଜ ବି ଶୁଝୁଛନ୍ତି। ସୁଧ ଅର୍ଥ ଶୁଝିବାକୁ ଅସମର୍ଥ ଥିବାବେଳେ ମୂଳ ଶୁଝିବାକୁ ସାହସ ଜୁଟାଇପାରୁନାହାନ୍ତି। ଏହା କୌଣସି ହିନ୍ଦୀ ଚଳଚ୍ଚିତ୍ରର ଏକ ଗରିବ ଖଟିଖିଆ ପରିବାରର କାହାଣୀ ନୁହେଁ। ଏହା ହେଉଛି ସ୍ମାର୍ଟ ସିଟି ରାଉରକେଲା ଉପକଣ୍ଠରେ ଥିବା ତଥା ରେଳନଗରୀ ବନ୍ଧମୁଣ୍ଡା ସ୍ଥିତ ଶୀତଳନଗରର ଦୃଶ୍ୟ। ଦାରିଦ୍ୟତା ଯେ କେତେ ନିଷ୍ଠୁର ହୋଇପାରେ, ତିନି ଭଉଣୀଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିଛି। ଏହି ଅଞ୍ଚଳ ରାଉରକେଲା ମହାନଗର ନିଗମ କିମ୍ବା ବ୍ଲକ ଅଧିନରେ ଆସୁନଥିବାରୁ ଏମାନଙ୍କ ଉପରେ ପ୍ରଶାସନର ଶୁଭଦୃଷ୍ଟି ପଡ଼ୁନି। ଫଳରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ପୁରା ପରିବାର।

 

 ପିତା-ମାତା ରୋଗିଣା ହେବାପରେ ଉଜୁଡ଼ିଗଲା ପରିବାର

ଶୀତଳନଗରରେ ରୁହନ୍ତି କାଳିଆ ପ୍ରଧାନ। କାଳିଆଙ୍କ ପରିବାର କହିଲେ ପତ୍ନୀ ସୁଷମା, ତିନି ଝିଅ ସୁଜ୍ଞାନୀ(୨୨), ସୁବାସିନୀ(୨୦) ଓ ସୁଜାତା(୧୮)। ପ୍ରାୟ ୧୦/୧୨ ବର୍ଷ ପୂର୍ବେ ଏକମାତ୍ର ପୁଅ ସୁରେଶର ମୃତ୍ୟୁ ହୋଇଥିଲା‌। ଏମାନେ ହେଉଛନ୍ତି ବ୍ରହ୍ମପୁର ପୋଲସରାର ମୂଳବାସିନ୍ଦା। ପୂର୍ବରୁ ରାସ୍ତା କଡ଼ରେ ପ୍ଲାଷ୍ଟିକ୍‌ ସାମଗ୍ରୀ ବିକ୍ରି କରି ପରିବାର ଭରଣପୋଷଣ କରୁଥିବା କାଳିଆଙ୍କ ବେପାର ଠପ୍‌ ହୋଇଯାଇଥିଲା। ଏହାପରଠାରୁ ଘରର ଆର୍ଥିକ ସ୍ଥିତି ସଂପୂର୍ଣ୍ଣଭାବେ ଭୁଶୁଡ଼ି ଯାଇଛି। ଅର୍ଥାଭାବ ଯୋଗୁଁ ମାଟ୍ରିକ୍‌ ପରେ ବଡ଼ ଦୁଇ ଭଉଣୀର ପାଠରେ ଡୋରୀ ପଡ଼ିଯାଇଥିଲା। କଷ୍ଟେମଷ୍ଟେ ସବା ସାନ ଭଉଣୀ ଯୁକ୍ତ ଦୁଇ ପାସ୍‌ କରିଛି। ଅର୍ଥାଭାବ ଯୋଗୁଁ ଏବେ ଯୁକ୍ତ ତିନିରେ ନାଁ ଲେଖାଇପାରୁନି। ଠିକ୍‌ ଏହି ସମୟରେ ଦୁର୍ଘଟଣାର ଶିକାର ହୋଇ ମା’ ସୁଷମା ଅୁସସ୍ଥ ହୋଇପଡ଼ିଲେ। ଏହାର କିଛି ଦିନ ପରେ ବାପା କାଳିଆ ମଧ୍ୟ ଅସୁସ୍ଥ ହେଲେ। ଏଣୁ ଉଭୟଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ବଡ଼ ଦୁଇ ଭଉଣୀ ରାଉରକେଲାର ଏକ ସୁନା ଦୋକାନ ଓ ବ୍ୟାକେରୀରେ ‌କାମ କରୁଛନ୍ତି। ସେଥିରେ ଘର ଚଳିବା ସହ ବାପା-ମା’ଙ୍କ ଚିକିତ୍ସା, ଋଣ ଶୁଝିବା ଆଦି କାର୍ଯ୍ୟ ହେଉଛି।

 

ରୋଷେଇ ଘର ଯେଉଁଠି, ମନ୍ଦିର, ଶୟନ କକ୍ଷ ସେଇଠି

ବାଉଁଶ, ପଲିଥିନ ତଳେ ଛୁମ୍ପୁଡ଼ି ଘରେ ଗତ ସାଢ଼େ ୬ ବର୍ଷ ହେଲା ଏମାନଙ୍କ ଜୀବନ ବିତୁଛି। ପ୍ରାୟ ୨ ଶହ ବର୍ଗଫୁଟର ଏହି ଝୁମ୍ପୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗରେ ଶୟନ କକ୍ଷ, ପୂଜା ସ୍ଥଳୀ, ରୋଷେଇ ଘର କରାଯାଇଥିବାବେଳେ ଆର ଭାଗରେ ଘରର କିଛି ସାମଗ୍ରୀକୁ ରଖାଯାଇଛି। ଏହାସହ ଦ୍ବିତୀୟ ଭାଗରେ ଏକ ଲାଟ୍ରିନ୍‌ ସିଟ୍‌ ପକାଇ, ଗାତ ଖୋଲି ଲାଟ୍ରିନ୍‌ଭାବେ ବ୍ୟବହାର କରାଯାଉଛି। ଘରେ ମାତ୍ର ଗୋଟିଏ କାଠରେ ତିଆରି ଖଟ। ଏଥିରେ ହିଁ ତିନି ଭଉଣୀ ଜାକିଜୁକି ହୋଇ ଶୋଇଥାନ୍ତି।

 

ଘର ଭିତରେ ବିଷାକ୍ତ ସାପର ରାଜୁତି

ତିନି ଭଉଣୀ ରହୁଥିବା ଘରର ତିନି ପାଖରେ ଗଛ। ଏହା ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ପରିସର ଅତ୍ୟନ୍ତ ଅସୁରକ୍ଷିତ ରହିଛି। ଏଣୁ ଉକ୍ତ ଝାଟି ମାଟି ଝୁମ୍ପୁଡ଼ିଘର ଭିତରକୁ ସାପ, ବୁଲା ପଶୁଙ୍କ ଅବାଧ ଚଳପ୍ରଚଳ ରହିଛି। ନିୟମିତ ବ୍ୟବଧାନରେ ଘର ଭିତରେ ସାପ ଦେଖିବାକୁ ମିଳୁଛି। ବେଶ୍‌ କିଛି ଦିନ ପୂର୍ବେ ସାପ କାମୁଡ଼ାର ଶିକାର ହୋଇଥିଲେ ବଡ଼ ଭଉଣୀ ସୁଜ୍ଞାନୀ। ବାଉଁଶରେ ତିଆରି କବାଟକୁ ଖୋଲିଥିବାବେଳେ ସାପ କାମୁଡ଼ିଥିଲା। ଏଣୁ ସୁଜ୍ଞାନୀ ୪ ଦିନ ଧରି ରାଉରକେଲା ସରକାରୀ ହସପିଟାଲରେ ଚିକିତ୍ସାଧୀନ ଥିଲେ।

 

ଋଣ ଶୁଝିବା ଚିନ୍ତାରେ କଟୁଛି ଦିନ

ସକାଳ ହେଲେ ଋଣଦାତାଙ୍କ ସୁଅ ଛୁଟୁଛି ଏମାନଙ୍କ ଘରକୁ। କାଳିଆଙ୍କୁ ଋଣ ଦେଇଥିବା କହି ତୁରନ୍ତ ସୁଧ ସହ ମୂଳ ଫେରାଇବାକୁ ନିର୍ଦ୍ଦେଶଦେଉଛନ୍ତି। ଏମିତିକି ବହୁ ସମୟରେ ଅଶୋଭନୀୟ ବ୍ୟବହାରର ଶିକାର ହେବାକୁ ପଡ଼ୁଛି। ସୁଧ ନ ଦେଲେ କୁଆଡ଼େ ଅଶ୍ରାବ୍ୟ ଭାଷା ବ୍ୟବହାର କରୁଛନ୍ତି। ତେବେ ଏସବୁ ଋଣ ବିଷୟରେ କିଛି ଜାଣିନାହାନ୍ତି ତିନି ଭଉଣୀ। ବାପା କୁଆଡ଼େ କରଜ ଆଣିଥିଲେ ଓ ତାହା ଏଯାଏଁ ପରିଶୋଧ କରିନାହାନ୍ତି। ଯେହେତୁ ବାପା-ମା’ ଏବେ ଚିକିତ୍ସା ପାଇଁ ହାତଗଣତି କିଛି ସଂପର୍କୀୟଙ୍କ ସହାୟତାରେ ଚିକିତ୍ସା ପାଇଁ ବାହାରେ ରହୁଛନ୍ତି, ଏଣୁ ଆମକୁ ଋଣ ଶୁଝିବାକୁ ବାଧ୍ୟ କରୁଥିବା କହିଛନ୍ତି ତିନି ଭଉଣୀ। ସାମର୍ଥ୍ୟ ଅନୁସାରେ ଋଣ ପରିଶୋଧ କରୁଛୁ। କିନ୍ତୁ ଏକାସାଙ୍ଗରେ ଶୁଝିବା କ‌ଷ୍ଟକର ହୋଇପଡ଼ିଛି। ମାତ୍ର ଋଣ ପରିଶୋଧରେ ସାମାନ୍ୟ ବିଳମ୍ବ ହେଲେ ଯାବତୀୟ କଥା ଶୁଣିବାକୁ ପଡ଼ୁଛିବୋଲି ଲୁହଭରା ଚକ୍ଷୁରେ କହିଛନ୍ତି।

 

ଚକ୍ରାନ୍ତକରି ହାତେଇନେଲା ମାଟି ଘର

ଏହି ଶୀତଳନଗରରେ କାଳିଆ ଏକ ମାଟି, ଆଜ୍‌ବେଷ୍ଟସ୍‌ ଘର ନିର୍ମାଣ କରିଥିଲେ। ତେବେ ଏକମାତ୍ର ପୁଅ ସୁରେଶ ଅସୁସ୍ଥ ହେବାରୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଠାରୁ ସେ କିଛି ଟଙ୍କା ଧାର ଆଣିଥିଲେ। ନିଜର ସ୍ବଳ୍ପ ଆୟ ତଥା ଧାରକରଜ କରି ପୁଅର ଚିକିତ୍ସା କରିଥିଲେ ମଧ୍ୟ ତାକୁ ବଞ୍ଚାଇ ପାରିନଥିଲେ। ଏସବୁ ଭିତରେ ଧାର ଦେଇଥିବା ବ୍ୟକ୍ତି ସୁଧ ସହ ଋଣ ଶୁଝିବାକୁ ଚାପ ପ୍ରୟୋଗ କରିଥିଲା। କଷ୍ଟେମଷ୍ଟେ କାଳିଆ ଋଣ ଶୁଝିବାକୁ ପ୍ରୟାସ କରିଥିଲେ, ମାତ୍ର ସଂପୂର୍ଣ୍ଣ ଋଣ ଶୁଝିବାରେ ଅସମର୍ଥ ହୋଇଥିଲେ। ଏହାର ଫାଇଦା ଉଠାଇ ସଂପୃକ୍ତ ବ୍ୟକ୍ତି ଉକ୍ତ ମାଟି ଘରକୁ ନିଜ ନାଁରେ କରିଦେଇଥିଲା। ସେବେଠାରୁ ପୁରା ପରିବାର ଉକ୍ତ ଅବ୍ୟବହୃତ ଅଞ୍ଚଳକୁ ସଫା କରି ବାଉଁଶ ଘେରି ଝୁମ୍ପୁଡ଼ି ତିଆରି ରହୁଛନ୍ତି।

 

ନାରୀ ସୁରକ୍ଷା ଏଇଠି ସାତସପନ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନାରୀ ସୁରକ୍ଷା ନେଇ ଦିନରାତି ପ୍ରଚାର ପ୍ରସାରରେ ମାତିଯାଇଛନ୍ତି। ତେବେ ଏହି ତିନି ଭଉଣୀଙ୍କ ଦୈନନ୍ଦିନ ଜୀବନଯାପନକୁ ଦେଖିଲେ, ଏମାନଙ୍କ ପାଖରେ ନାରୀ ସୁରକ୍ଷା ଅସଲ ଚିତ୍ର ଜଳଜଳ ହୋଇ ଦିଶୁଛି। ଲୋକଲଜ୍ଜା ଭୟରେ ଝୁମ୍ପୁଡ଼ି ଭିତରେ ଏକ ଲାଟ୍ରିନ୍‌ସିଟ୍‌ ପକାଇ ଶୌଚ କରୁଛନ୍ତି। ତେବେ ଏମାନଙ୍କୁ ଘର ବାହାରେ ଖୋଲା ଆକାଶତଳେ ଗାଧେଇବାକୁ ପଡ଼ୁଛି। ପଲିଥିନି ଘେରି ଗାଧୁଆ ଘର ତିଆରି କରିବାକୁ ବି ଅର୍ଥ ନାହିଁ। ଏହି ଝୁମ୍ପୁଡ଼ି ପାର୍ଶ୍ବ ଦେଇ ଏକ ରାସ୍ତା ଯାଇଛି, ଯେଉଁଥିରେ ରେଳଧାରଣା ଆଡ଼କୁ ସବୁବେଳେ ସ୍ଥାନୀୟ ଲୋକଙ୍କ ଯିବାଆସିବା ଲାଗି ରହିଥାଏ। ଏଣୁ ଯେ କୌଣସି ସମୟରେ ଅଘଟଣର ଘଟିବାର ସନ୍ଦେହ ଲାଗି ରହୁଛି। ଏମିତିକି କିଛି ଦିନ ପୂର୍ବେ ଏଭଳି ଏକ ଘଟଣା ଘଟିଥିଲା। ଜଣେ ଭଉଣୀ ଗାଧୋଉଥିବାବେଳେ ଜଣେ ବ୍ୟକ୍ତି ମୋବାଇଲରେ ରେକର୍ଡିଂ କରୁଥିଲା। ସେତେବେଳେ ଉକ୍ତ ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିନେଇଥିଲେ ସତ; ମାତ୍ର ବର୍ଷସାରା ଖୋଲାରେ ଗାଧୋଉଥିବାରୁ ସମାନ ଅଘଟଣର ପୁନରାବୃତ୍ତି ହେବାର ଡର, ଏମାନଙ୍କୁ ଏବେବି ବିବ୍ରତ କରୁଛି ।

ପ୍ରଶାସନ ଭୁଲିଗଲା, ନେତା ବି ଚାହିଁଲେନି

ଦାରିଦ୍ରର ସବୁ ସୀମାରେଖା ତଳେ ଏହି ପରିବାର। ମାତ୍ର ବିଡ଼ମ୍ବନା, ଏମାନଙ୍କୁ ଏଯାଏଁ ସରକାରୀ ସହାୟତା ମିଳିପାରିନି। ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ। ଘରକୁ ପାଣି ସଂଯୋଗ ବି ନାହିଁ। କେବଳ ଟଙ୍କିକିଆ ମାଗଣା ଚାଉଳ ମିଳୁଛି। ବାସ୍‌, ଏତିକିରେ ସୀମିତ ସରକାରୀ ସହାୟତା। ପ୍ରଶାସନର ଶୁଭଦୃଷ୍ଟି ଏହି ପରିବାର ଉପରେ ପଡ଼ିନି। ଏମିତିକି ବିଧାୟକ, କୁଜି ନେତାଙ୍କ ନିଘା ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ହେଲେ ଯୋଗାଇଦେବାକୁ ନେହୁରା ହୋଇଛନ୍ତି ।

ସମ୍ବନ୍ଧିତ ଖବର