ଅନିଲ ମୁଣ୍ଡା ହତ୍ୟାକାଣ୍ଡରୁ ପର୍ଦ୍ଦା ହଟିଲା: ୪ ଗିରଫ, ପ୍ରେମିକ ସହ ମିଶି ସୁପାରି କିଲର୍‌ଙ୍କ ଦ୍ୱାରା ସ୍ୱାମୀକୁ ମାରିଥିଲା ପତ୍ନୀ

ବଣାଇଁଗଡ଼ : ବହୁଚର୍ଚ୍ଚିତ ଅନିଲ ମୁଣ୍ଡା ହତ୍ୟାକାଣ୍ଡରେ ଅନିଲଙ୍କ ପତ୍ନୀ ସୀମା ହିଁ ମାଷ୍ଟର ମାଇଣ୍ଡ୍‌ ବୋଲି ଜଣାପଡ଼ିଛି। ପ୍ରେମିକ ସହ ମିଶି ସୁପାରି କିଲରଙ୍କ ଦ୍ବାରା ସ୍ବାମୀଙ୍କୁ ରାସ୍ତାରୁ ହଟାଇଥିଲେ ସୀମା। ଆଉ ଲକ୍ଷେ ଟଙ୍କା ମୁଲ୍‌ଚାଲରେ ମାତ୍ର ୪ ହଜାର ଟଙ୍କା ଅଗ୍ରୀମ ନେଇ ସେମାନେ ଅନିଲଙ୍କୁ ହତ୍ୟା କରିଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇବା ସହ ବଣାଇଁ ପୁଲିସ ମୃତ ଅନିଲଙ୍କ ପତ୍ନୀ ସୀମା ସମେତ ୪ ଜଣଙ୍କୁ ଗିରଫ କରି ଆଜି ବଣାଇଁ କୋର୍ଟକୁ ଚାଲାଣ କରିଛି।

ଗତ ୧୯ ତାରିଖ ସକାଳୁ ବଣାଇଁ ଅଞ୍ଚଳର ଅନିଲ ମୁଣ୍ତା(୨୯)ଙ୍କ କ୍ଷତବିକ୍ଷତ ଶବ କେନ୍ଦ୍ରିକଳା ସ˚ରକ୍ଷିତ ଜଙ୍ଗଲ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ସନ୍ଦେହ କରି ବଣାଇଁ ପୋଲିସ ତଦନ୍ତ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଟେଲିଫୋନ ଟ୍ରାକି˚ରୁ ପତ୍ନୀ ଓ ପ୍ରେମିକର ଷଡ଼ଯନ୍ତ୍ର ସଂପର୍କରେ ବହୁ ତଥ୍ୟ ପୁଲିସକୁ ମିଳିଥିଲା।

ସୂଚନା ଅନୁସାରେ, ବଣାଇଁ ଅଞ୍ଚଳର ଏତୁଆ ମୁଣ୍ତାଙ୍କ ବଡ଼ପୁଅ ଅନିଲ ମୁଣ୍ତାଙ୍କର ଗୁରୁଣ୍ତିଆ ଥାନା ଅନ୍ତର୍ଗତ ଟାମ୍ପରକେଲା ଗ୍ରାମର ସୀମା ମୁଣ୍ତା ସହ ବିବାହ ହୋଇଥିଲା। ଉଭୟଙ୍କର ଏକ ୬ବର୍ଷର ଶିଶୁ କନ୍ୟା ଅଛି। ତେବେ କୌଣସି କାରଣରୁ ପତି ପତ୍ନୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଅନିଲଙ୍କୁ ରାସ୍ତାରୁ ହଟାଇବା ପାଇଁ ପତ୍ନୀ ସୀମା ଯୋଜନା ପ୍ରସ୍ତୁତ କରି ନିଜର ପ୍ରେମିକ ନାମାଜାନ ବୁଡ଼ ସହ ଯୋଗାଯୋଗ କରିଥିଲା। ବିବାହ ପୂର୍ବରୁ ନାମାଜାନ ସହ ସୀମାର ପ୍ରେମ ସମ୍ପର୍କ ଥିଲା। ନାମାଜାନର ଘର ଗୁରୁଣ୍ତିଆ ଥାନା ଅନ୍ତର୍ଗତ କୁଣ୍ଢେଇଡିହା ଗ୍ରାମରେ। ଅନିଲକୁ ବିବାହ କରିଥିଲେ ମଧ୍ୟ ସୀମା ନାମାଜାନ ସହିତ ପୂର୍ବବତ୍‌ ସମ୍ପର୍କ ରଖିଥିଲା। ଏହାର ଫାଇଦା ଉଠାଇ ଅନିଲକୁ ହତ୍ୟା କରିବା ପାଇଁ ସେ ନାମାଜାନକୁ ରାଜି କରାଇଥିଲା। ନାମଜାନ ପେସାରେ ଜଣେ ଡ୍ରାଇଭର ଏବ˚ ସେ ରାଜଗାଙ୍ଗପୁର ଅଞ୍ଚଳରେ ଟିପର ଚଳାଉଥିବାରୁ ଏହି ହତ୍ୟାକାଣ୍ଡ ପାଇଁ ସେ ମାଣ୍ତିଆକୁଦର ଗ୍ରାମର ସୁରଜ ନାଏକ (୨୧) ଓ ଗଣେଶ ନାଏକ(୩୦)ଙ୍କୁ ଠିକ୍‌ କରିଥିଲା। ଅନିଲଙ୍କୁ ହତ୍ୟା କରିବା ପାଇଁ ଉଭୟ ଲକ୍ଷେ ଟଙ୍କା ଦାବି କରିଥିଲେ। ଆଗୁଆ ୪ ହଜାର ଟଙ୍କା ନେଇ ହତ୍ୟାକାଣ୍ଡ ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ। ହତ୍ୟାକାଣ୍ଡ ପାଇଁ ସୁରଜ ଓ ଗଣେଶ ବଣାଇଁ ଅଞ୍ଚଳକୁ ଆସି ପ୍ରଥମେ ଅନିଲ ସହିତ ସମ୍ପର୍କ ବଢ଼ାଇଥିଲେ। ଅନିଲ ସେମାନଙ୍କୁ ବିଶ୍ବାସ କରିବା ପରେ ଯୋଜନା ମୁତାବକ ୧୮ ତାରିଖ ସଂଧ୍ୟାରେ ଉଭୟ ତାଙ୍କୁ କେନ୍ଦ୍ରିକଳା ଜଙ୍ଗଲ ନିକଟକୁ ମଦ ପିଇବା ବାହାନାରେ ଡାକିଥିଲେ। ଘଟଣାସ୍ଥଳରେ ଦୁଇ ସୁପାରି କିଲର୍‌ ସୁରଜ ଓ ଗଣେଶ ଅନିଲ ସହ ମଦ୍ୟପାନ କରି ହଠାତ୍‌ ଅନିଲଙ୍କୁ ଆକ୍ରମଣ କରିଥିଲେ। ସେମାନେ ଅନିଲର ମୁଣ୍ଡକୁ ପଥରରେ ଛେଚିବା ପରେ ବ୍ଲେଡ୍‌ ଓ ଆରିପାତରେ ତାର ତଣ୍ଟି କାଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡସ୍ଥଳରେ ନଥିଲେ ବି ବାହାରେ ରହି ସୀମାର ପ୍ରେମିକ ନାମାଜାନ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ସବୁ ପରିଚାଳନା କରୁଥିଲା। ଏ ସ˚କ୍ରାନ୍ତରେ ବଣାଇଁ ଥାନାରେ ମାମଲା ରୁଜୁ ହୋଇଥିଲା। ଆଜି ଅଭିଯୁକ୍ତ ସୀମା ମୁଣ୍ତା, ନାମଜାନ ବୁଡ, ସୁରଜ ନାଏକ ଏବ˚ ଗଣେଶ ନାଏକଙ୍କୁ ପୁଲିସ ଗରିଫ କରି ବଣାଇଁ କୋର୍ଟ ଚାଲାଣ କରିବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର