ଲହୁଣୀପଡ଼ାର ଗଦାପାଲି ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ: ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ବଣାଇଗଡ଼: ଗତ ଚାରିଦିନ ଧରି ଉପରମୁଣ୍ତରେ ଲଘୁଚାପଜନିତ ଲଗାଣବର୍ଷାରେ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧିପାଇଛି। ଏହାର କୁପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ବିଶେଷ କରି ଗତରାତିରୁ ପ୍ରବଳ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନା ଅନ୍ତର୍ଗତ ଫୁଟୁଗାଁ ନିକଟ ଗଦାପାଲି ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବାର ଖବର ମିଳିଛି। ଖାଲି ସେତିକି ନୁହେଁ, ପ୍ରବଳ ବର୍ଷା ଯୋଗୁଁ ଲହୁଣୀପଡ଼ା ବ୍ଲକର ଦୁଇଟି ପଞ୍ଚାୟତ ଜଳମଗ୍ନ ଥିବାର ସୂଚନା ରହିଛି। ଏହାଛଡ଼ା ବଣାଇଗଡ଼ରୁ କେନ୍ଦୁଝରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରବଳ ବର୍ଷା କାରଣରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏପରିକି ସେହି ବାଟଦେଇ ରାଉରକେଲାରୁ କଟକ/ଭୁବନେଶ୍ବରକୁ ଆସୁଥିବା ବସ୍ ଚଳାଚଳ ସମ୍ଭବ ହୋଇପାରି ନଥିବା କୁହାଯାଉଛି।
ସୂଚନାଯୋଗ୍ୟ, ପୂର୍ବରୁ ଉପରମୁଣ୍ତରେ ଲଘୁଚାପଜନିତ ଲଗାଣବର୍ଷାରେ ବ୍ରାହ୍ମଣୀନଦୀରେ ଜଳସ୍ତର ବୃଦ୍ଧିପାଇ ବଢ଼ିପାଣି ବିଭିନ୍ନ ଅଞ୍ଚଳକୁ ପ୍ରବେଶ କରିଛି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ବ୍ଲକ୍ ଅନ୍ତର୍ଗତ ଜାଙ୍ଗଳା–ସିଆଁଯୋର ପୂର୍ତ୍ତ ବିଭାଗ ରାସ୍ତା ମଧ୍ୟରେ ଥିବା ଏକ ନାଳରେ ବ୍ରାହ୍ମଣୀ ବନ୍ୟାଜଳ ପ୍ରବେଶ କରି ଏହି ରାସ୍ତାରେ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଆସିଯାଇ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା। ଫଳରେ ଏହି ରାସ୍ତା ଦେଇ ରାଉରକେଲା ଓ ବଣାଇଗଡ଼ରୁ ଭୁବନେଶ୍ବର, କଟକ ଅଞ୍ଚଳକୁ ଗମନାଗମନ କରୁଥିବା ସମସ୍ତ ଯାନବାହନ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର