ଆଉ ୪ ହାଇଓ୍ଵା ଲୁଟେରା ଗିରଫ

ବୋଲେରୋ, ବାଇକ୍‌, ପିସ୍ତଲ, ଗୁଳି ଜବତ

ବଣାଇଁଗଡ଼ : ବରସୁଆଁ-କଲେଇପୋଷ ରାସ୍ତାର ଦଲମକୁଚା ନିକଟସ୍ଥ ଟିଙ୍କୋ ଘାଟୀରେ ମାରଣାସ୍ତ୍ର ଦେଖାଇ ହାଇଓ୍ଵା ଲୁଟ୍‌ ଉଦ୍ୟମ କରିଥିବା ଗ୍ୟାଙ୍ଗ୍‌ର ଆଉ ୪ ଲୁଟେରାଙ୍କୁ ଘଟଣାରେ ଆଜି ଲହୁଣୀପଡ଼ା ପୁଲିସ କାବୁ କରିଛି। ସେମାନେ ହେଲେ-ରାଉରକେଲା ଅଞ୍ଚଳର ପ୍ରଶାନ୍ତ ନାଏକ ଓରଫ ଚିକୁ (୨୨), ରଣଜିତ ସେଠୀ ଓରଫ ବଣ୍ଟି (୨୮), ସୁନୀଲ ଏକ୍କା (୨୫) ଓ ଟିକେଶ୍ୱର ଗହିର (୨୪)। ସେମାନଙ୍କଠାରୁ ପୁଲିସ୍‌ ଏକ ବୋଲେରୋ ଗାଡ଼ି (ଓଡ଼ି ୧୪ବି-୦୫୭୫), ଏକ ବାଇକ୍‌, ଗୋଟିଏ ଦେଶୀ ପିସ୍ତଲ ସହ ୨ଟି ଜୀବନ୍ତ ଗୁଳି ଜବତ କରିଛି।

ଏ ସଂପର୍କରେ ରାଉରକେଲା ଏସ୍‌ପି ଉମାଶଙ୍କର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲହୁଣୀପଡ଼ା ଥାନା ଅଧିକାରୀ ପଦ୍ମାସିନି ମେହେର ଏକ ଟିମ୍‌ ଗଠନ କରି ଫୋନ୍‌ ଟ୍ରାକିଂ କରିଥିଲେ। ଦଶ ଦିନ ତଳେ ରାଉରକେଲା ଅଂଚଳର ୪ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ସ୍ୱିକାରୋକ୍ତିକୁ ଆଧାର କରି ପୁଲିସ୍‌ ଅନ୍ୟ ଫେରାର୍‌ଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଆଜି ଗ୍ୟାଙ୍ଗ୍‌ର ଆଉ ୪ ଜଣଙ୍କୁ ଗିରଫ କରି ପୁଲିସ୍‌ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ସମ୍ବନ୍ଧିତ ଖବର