ସୁନ୍ଦରଗଡ଼: ହେମଗିର ବ୍ଲକ୍ ଜାମକାନି କୋଇଲା ଖଣିରେ ଅତି ବେପରୱା ଭାବେ ରାତିଅଧିଆ ବିସ୍ଫୋରଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ ପୁଣି ବିସ୍ଫୋରଣ କରାଯାଇଛି। ଧାରଣାରତ ବିସ୍ଥାପିତଙ୍କ ବିରୋଧ ସତ୍ତ୍ବେ ବିସ୍ଫୋରଣ ଜାରି ରହିଥିବାରୁ ଖଣି ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଏହାକୁ ବିରୋଧ କରି ଖଣି ଖନନ ବନ୍ଦ କରି ଦେଇଛନ୍ତି। ତାକୁ ନେଇ ବିସ୍ଥାପିତ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଖଣିରେ ଗାଡି ଭଙ୍ଗାରୁଜା ଓ ମାଡ଼ପିଟ ହୋଇଛି। ଆକ୍ରମଣରେ ୪ ବିସ୍ଥାପିତ ଓ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ସେମାନଙ୍କୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

Advertisment

ଧାରଣାସ୍ଥଳରୁ ୨ ଶହ ମିଟର ଦୂରରେ ବିସ୍ଫୋରଣ କରାଯାଉଥିବାରୁ ଅଘଟଣ ଆଶଙ୍କା କରି ଲୋକେ ଏହାର ବନ୍ଦ ଦାବି କରି ଆସୁଥିଲେ। ଗତ ୨୧ ତାରିଖରେ ଏନେଇ ହେମଗିର ଥାନାରେ ଏତଲା ଦେଇଥିଲେ। ପୁଲିସ ବିସ୍ଫୋରଣ ହେବ ନାହିଁ ବୋଲି କୁଆଡେ ବିସ୍ଥାପିତଙ୍କୁ ଭରସା ଦେଇଥିଲା। କିନ୍ତୁ ଆଜି ସକାଳେ ହଠାତ କୌଣସି ପ୍ରାକ ସତର୍କ ସୂଚନା ବିନା ବିସ୍ଫୋରଣ କରିଥିଲା କମ୍ପାନି। ଏହା ପରେ ଏ ପ୍ରତିବାଦ ଓ ମାଡ଼ପିଟ୍ ହୋଇଥିବା ସୂଚନା ମିଳିଛି। ଅନ୍ଯପଟେ ଘଟଣା ପରେ କମ୍ପାନି କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରି ଠୋସ୍ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ଜାମକାନି ଖଣି ବିସ୍ଥାପିତ ଜାମକାନି, ଗିରିସୀମା, ମେଣ୍ଡ୍ରା, ଝାରପଲମର ବିସ୍ଥାପିତ ଶୀତକାକରରେ ଖଣି ଆଗରେ ୪୭ ଦିନ ହେଲା ପିଲାକବିଲାଙ୍କ ସହ ଅହୋରାତ୍ର ଧାରଣାରେ ବସିଛନ୍ତି। ତେବେ ଜିଦରେ ଥିବା ବିସ୍ଥାପିତଙ୍କୁ କୌଣସି ପ୍ରକାରେ ହଟାଇବାକୁ ଖଣିରେ ବିସ୍ଫୋରଣ ଆରମ୍ଭ କରିଛି କମ୍ପାନି।
୨୦୧୩ ନୀତି ଲାଗୁ, ନହେଲେ ଏକର ପ୍ରତି ୫୦ ଲକ୍ଷ କ୍ଷତିପୂରଣ, ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବିରେ ଜାମକାନି, ଗିରିସୀମା, ମେଣ୍ଡ୍ରା, ଝାରପଲମର ବିସ୍ଥାପିତ ଶୀତକାକରରେ ଖଣି ଆଗରେ ପିଲାକବିଲାଙ୍କ ସହ ଧାରଣା ଜାରି ରଖିଛନ୍ତି। ପୁନର୍ବାସ ଓ ଥଇଥାନ ବ୍ୟବସ୍ଥା ନକରି ଖଣି ଖନନ ବେଆଇନ କହି ଲୋକେ ଏହାକୁ ବିରୋଧ କରି ଆସୁଥିବାବେଳେ ପ୍ରଶାସନ ଓ କମ୍ପାନି ବିସ୍ଥାପିତଙ୍କ ଦାବିକୁ ଅଣଦେଖା କରି ପୁଲିସ ଘେରାବନ୍ଦୀରେ ଖଣି (ଓବି)ଖନନ ଚଲାଇଛି। ଏହା ମଧ୍ଯରେ ଚଳିତ ୨୦ ତାରିଖ ମଙ୍ଗଳବାର ରାତି ପ୍ରାୟ ୧ଟାରେ ଧାରଣାରତ ବିସ୍ଥାପିତ ଶୋଇଥିବା ବେଳେ ସେଠାରୁ ମାତ୍ର ୨ ଶହ ମିଟର ଦୂରରେ କୌଣସି ପ୍ରାକ ସତର୍କ ସୂଚନା ନଦେଇ ବିସ୍ଫୋରଣ କରାଯାଇଥିଲା। ଭୟଙ୍କର ଗର୍ଜନରେ ଲୋକେ ଥରି ଉଠି କୌଣସି ଅଘଟଣ ଆଶଙ୍କା କରି ଜୀବନ ବିକଳରେ ଧାଁଦୌଡ଼ କରିଥିଲେ। ଏହା ମଧ୍ଯରେ ୩ ଥର ବିସ୍ଫୋରଣ କରାଯାଇଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି।