କୋଇଡ଼ା: ୮ କିଲୋମିଟର ରାସ୍ତା। ତିଆରି ହେବାକୁ ୪ ବର୍ଷ ଲାଗିଗଲା। ଏଥିପାଇଁ ଦୁଇଥରରେ ମଞ୍ଜୁରହେଲା ୫୮ କୋଟି। ୮ ମାସ ହେଲା ନିର୍ମାଣ ସରିଲାଣି ବାଇପାସ୍ ରାସ୍ତା। ତଥାପି ସେ ରାସ୍ତାରେ ଯାନବାହନ ଗଡ଼ୁନି। ଫଳରେ ଅଞ୍ଚଳବାସୀ ‘ଯେଉଁ ତିମିରେକୁ ସେହି ତିମିରେ’ ରହିଛନ୍ତି।
ସୂଚନାଯୋଗ୍ୟ ଯେ, କୋଇଡ଼ା ଖଣି ଅଞ୍ଚଳରୁ ଦୈନନ୍ଦିନ ରପ୍ତାନି ହେଉଥିବା ଲକ୍ଷ ଲକ୍ଷ ଟନ୍ ଲୁହାପଥର ପରିବହନ ନିମନ୍ତେ ଚାରି ଦଶନ୍ଧି ଧରି ଏଠାକାର ଗ୍ରାମରାସ୍ତା ତଥା କୋଇଡ଼ା ସହର ମୁଖ୍ୟରାସ୍ତାକୁ ବ୍ୟବହାର କରାଯାଉଛି। ରାସ୍ତାଗୁଡ଼ିକ ଅହରହ ବ୍ୟସ୍ତ ରହିବା ସହ ଧୂଳିଧୂଆଁରେ ଜନଜୀବନ ପ୍ରଭାବିତ। ପରିବହନ ପାଇଁ ରାସ୍ତାର ଅବସ୍ତା ଶୋଚନୀୟ ହେବା ସହ ନିୟମିତ ଦୁର୍ଘଟଣାର କାରଣ ହୋଇଛି। ସ୍ଥିତି ଗୁରୁତର ହେବାରୁ ତତ୍କାଳୀନ ବଣାଇ ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଏହାର ସମାଧାନ ପାଇଁ ବାଇପାସ୍ ରାସ୍ତାର କଳ୍ପନା କରିଥିଲେ, ଯାହା କୋଇଡ଼ା ସହରକୁ ବାଦ୍‌ଦେଇ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥକୁ ସଂଯୋଗ କରିବ। ଏ ନେଇ ଜମି ଚିହ୍ନଟ ହୋଇ ନକ୍ସା ତିଆରି କରାଗଲା। କିନ୍ତୁ ଉପଜିଲ୍ଲାପାଳଙ୍କ ବଦଳି ପରେ ସେ ପ୍ରକଳ୍ପ ବନ୍ଦ ହୋଇଗଲା।

Advertisment

ପୁଣି ୨୦୧୮-୨୦୧୯ରେ ଯେତେବେଳେ ଶ୍ରୀ ମୀନା ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ସେତେବେଳେ ଏହି ବାଇପାସ୍ ଫାଇଲ୍‌କୁ ମଞ୍ଜୁରୀ ପ୍ରଦାନ କରି ୮ କିଲୋମିଟରକୁ ୪୦,୧୨,୯୯,୮୦୦ ଟଙ୍କା ଜିଲ୍ଲା ଖଣିଜପାଣ୍ଠିରୁ ପ୍ରଦାନ କଲେ। ଟେଣ୍ଡର ହୋଇ ୨୩-୧୨-୨୦୧୯ରେ ରାସ୍ତା ନିର୍ମାଣ ପାଇଁ ଚୁକ୍ତିନାମା କରି ୨୨-୧୨-୨୦୨୧ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଗଲା। ହେଲେ କିଛି ଭାଗରେ ରାସ୍ତା ଓସାର ବଢ଼ିବାରୁ ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କ ଦ୍ୱାରା ଅତିରିକ୍ତ ୧୮ କୋଟି ମଞ୍ଜୁର କରାଗଲା। ତଥାପି ଅବଧି ମଧ୍ୟରେ କାର୍ଯ୍ୟ ଶେଷ ନ ହେବାରୁ ପୁଣି ୨୨-୧୨-୨୦୨୨ ପର୍ଯ୍ୟନ୍ତ ସମୟ ପ୍ରଦାନ କରାଗଲା। ହେଲେ ସୂଚନା ଅନୁଯାୟୀ ଗତ ଫେବ୍ରୁଆରି ମାସରୁ ବାଇପାସ୍ ରାସ୍ତାର ନିର୍ମାଣ ଶେଷ ହେଲାଣି। କିନ୍ତୁ ଆଜି ଯାଏଁ ସେହିରାସ୍ତାକୁ ଅବରୋଧ କରିରଖାଯାଇଛି। ଏମିତିକି ରାସ୍ତାକଡ଼ରେ ଲଗା ଯାଇଥିବା ଲୁହା ବ୍ୟାରିକେଡ୍ ମଧ୍ୟ ଚୋରି ହେଲାଣି। ସେହି ପୁରୁଣାରାସ୍ତାରେ ନିୟମିତ ପରିବହନ ହେଉଥିବାବେଳେ ଜନସାଧାରଣ ବି ନିୟମିତ ସମସ୍ୟାରେ ପଡ଼ୁଛନ୍ତି। ୫୮ କୋଟି ଖର୍ଚ୍ଚହୋଇ ବି ରାସ୍ତା କାମରେ ଆସୁନଥିବାରୁ ତାହା କେବଳ ଠିକାଦାର ପୋଷା ପାଇଁ କରାଯାଇଥିବା ସ୍ଥାନୀୟଲୋକେ ଆଲୋଚନା କରୁଛନ୍ତି। ତୁରନ୍ତ ବାଇପାସ୍ ରାସ୍ତାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ଜୋର୍‌ଧରିଛି।