ସୁନ୍ଦରଗଡ଼: ବଡଗାଁ ସୁନା ଦୋକାନୀ ହତ୍ୟା ଓ ଲୁଟ୍ ମାମଲାରେ ୫ ଗିରଫ, ଟଙ୍କା-ସୁନା ଉଦ୍ଧାର

ସୁନ୍ଦରଗଡ଼: ବହୁ ଚର୍ଚ୍ଚିତ ବଡ଼ଗାଁ ସୁନା ବେପାରୀଙ୍କୁ ଗୁଳି ମାରି ହତ୍ୟା ଓ ଲୁଟ୍ ମାମଲାର ପର୍ଦ୍ଦାଫାସ କରିଛି ସୁନ୍ଦରଗଡ଼ ପୁଲିସ। ଵିହାର, ଝାଡଖଣ୍ଡରୁ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ଵନ୍ଧୁକ ଓ ଗୁଳି ସହ ୩ଶହ ଗ୍ରାମ ସୁନା, ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଵିହାରର ଗୋପାଳଗଞ୍ଜ କୋର୍ଟକୁ ଚାଲାଣ କରାଯିଵ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଏ ସମ୍ପର୍କିତ ସଵିଶେଷ ସୂଚନା ଦେଇଛନ୍ତି।

ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁର ସୁନା ବ୍ୟବସାୟୀ ରୋହିତ ବର୍ମା ନିଜ ସୁନା ଦୋକାନ ମା ମଙ୍ଗଳା ଜୁଏଲାରି ଖୋଲିବା ସମୟରେ ତାଙ୍କୁ ୩ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଗୁଳି ମାରିବା ସହ ସୁନା ଗହଣା ଥିବା ଏକ ବ୍ୟାଗ ଛଡାଇ ନେଇଥିଲେ । ରୋହିତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁଳି ମାଡ଼ରେ ରୋହିତଙ୍କ ଜଣେ ସାଙ୍ଗ ମଧ୍ୟ ଆହତ ହୋଇଥିଲେ। ପୁଲିସ ୩୯୪, ୩୯୭ ଓ ୩୦୨ରେ ମାମଲା ରୁଜୁ କରି ୩ଟି ସ୍ବତନ୍ତ୍ର ଟିମ ଜରିଆରେ ତନାଘନା ଚଲାଇ ଥିଲା। ସ୍ଥାନୀୟ ଲୋକଙ୍କ ସମେତ ୬ ଜଣ ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୁଲିସ। ଵିହାର, ଝାଡଖଣ୍ଡ ପୁଲିସ ସହାୟତାରେ ଘଟଣାର ୯ ଦିନ ପରେ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ସୁନ୍ଦରଗଡ଼ ପୁଲିସ୍‌। ଅନ୍ୟ ଜଣେ ଅଭିଯୁକ୍ତ ଖୁବ୍ ଶୀଘ୍ର ଧରାପଡିବ ଵୋଲି ଏସପି ସାଗରିକା ତାଙ୍କ ବୟାନରେ କହିଛନ୍ତି।

ସମ୍ବନ୍ଧିତ ଖବର