ଗୋଟିଏ ପରିବାରର ୫ ଜଣକୁ ହତ୍ୟା ପରେ କୁଅରେ ପକାଇବା ଘଟଣା: ୫ ମୃତଦେହ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଥାନା ଅନ୍ତର୍ଗତ ବଡଇନ୍ଦିପୁର ଗାଁରେ ଶୁକ୍ରବାର ରାତି ହତ୍ୟା ପରେ ୫ ଜଣକୁ କୁଅରେ ପକାଇବା ଘଟଣାରେ ପୁଲିସ ଶନିବାର ସନ୍ଧ୍ୟାରେ ସମସ୍ତ ମୃତଦେହଗୁଡ଼ିକ ଉଦ୍ଧାର କରିଥିବା ଜଣାପଡ଼ିଛି। ହତ୍ୟା ପରେ ମୃତଦେହ ଗୁଡ଼ିକ କୁଅରେ ଫିଙ୍ଗି ଦିଆଯାଇଥିବା ଆଜି ଅଭିଯୋଗ ହୋଇଥିଲା। ଏହା ପରେ ପୁଲିସ ସୂଚନା ପାଇଁ ସକାଳୁ ପହଞ୍ଚି ଘଟଣାର ତଦନ୍ତ କରିଥିଲା।

ବଡ଼ଇନ୍ଦିପୁର ଗାଁର କୁନି ମୁଣ୍ଡା (୩୦ ବର୍ଷ) ପ୍ରଥମେ ଟାଗୁୁର ମୁଣ୍ଡାଙ୍କୁ ବିବାହ କରିଥିଲେ।ତେବେ ବର୍ଷକ ତଳେ ଟାଗୁର ମୁଣ୍ଡାଙ୍କର ମୃତ୍ୟୁ ଘଟିଥିବା ବେଳେ କୁନି ସେହି ଗ୍ରାମର ସିଦିଆ ମୁଣ୍ଡାଙ୍କୁ ବିବାହ କରିଥିଲେ। କୁନିଙ୍କର ପୂର୍ବରୁ ୨ ଝିଅ ଓ ୨ ପୁଅ ଥିଲେ। ତେବେ କେହି ଗତକାଲି ରାତିରେ ଘରେ ପଶି କୁନିଙ୍କ ସହିତ ତାଙ୍କ ୧୦ ବର୍ଷର ଝିଅ ମାର ମୁଣ୍ଡା, ୯ ବର୍ଷର ପୁଅ ଟେକେଲ ମୁଣ୍ଡା, ୪ ବର୍ଷର ପୁଅ ଚାମରା ମୁଣ୍ଡା ଓ ବର୍ଷର ଝିଅଙ୍କୁ ହତ୍ୟା କରି ସେମାନଙ୍କ ମୃତଦେହକୁ ଘର ଭିତରୁ ଘୋଷରି ଘୋଷାରି ନେଇ ନିକଟସ୍ଥ କୁଅରେ ପକାଇ ଦେଇଛି। ତେବେ ବାହାରେ ଥିବା ସିଦିଆ ମୁଣ୍ଡା ଆଜି ସକାଳେ ଘରକୁ ଫେରି ଘର ଭିତରେ ରକ୍ତ ଛିଟା ଦେଖିବା ସହିତ ସ୍ତ୍ରୀ ଓ ପିଲାମାନଙ୍କୁ ନ ଦେଖି ଚାରିଆଡ଼େ ଖୋଜାଖୋଜି କରିଥିଲେ। ପରେ ଘର ନିକଟରେ ଥିବା କୁଅ ଭିତରେ ୫ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ସେ ପୁଲିସକୁ ସୂଚନା ଦେଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର