ରାଉରକେଲାରେ ମାତିଛନ୍ତି ଲୁଟେରା: ପୁଣି ଲୁଟିନେଲେ ୫ ଲକ୍ଷ

ରାଉରକେଲା: ଜଣେ ବ୍ୟବସାୟୀଙ୍କ କର୍ମଚାରୀଙ୍କ ଠାରୁ ୧୪ ଲକ୍ଷ ୯୩ ହଜାର ଟଙ୍କା ଲୁଟ ହେବାର ୨୪ ଘଣ୍ଟା ନ ପୁରୁଣୁ ଆଜି ସହରରେ ପୁଣି ଏକ ଲୁଟ ହୋଇଛି। ଗତକାଲି ଓ ଆଜି ସମାନ ଢଙ୍ଗରେ ଲୁଟ ହୋଇଛି। ଆଜି ଦିନ ପ୍ରାୟ ୧୨.୩୦ ରେ ଦୁଇ ଜଣ ବ୍ୟକ୍ତି ବିର୍ସା ଛକ ଏଚଡ଼ିଏଫସି ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା କାଢି ଉଡ଼ିତନଗର ପଟକୁ ଆସୁଥିଲେ।

ସେମାନେ ଆର୍ ଏସ ପି ମୁଖ୍ୟ ଗେଟରେ ପହଞ୍ଚିଲା ବେଳକୁ ପଛପଟୁ ଗୋଟିଏ ବାଇକରେ ଦୁଇ ଲୁଟେରା ଆସି ଧରିଥିବା ବ୍ୟାଗକୁ ଲୁଟି ନେଇଥିଲେ। ପ୍ଲାଣ୍ଟସାଇଟ ପୁଲିସକୁ ସୂଚନା ଦିଆଯାଇଛି, ତେବେ ଏଯାଏଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ସକାଳୁ ରାଉରକେଲା ମହାନଗର ନିଗମ (ଆରଏମସି) ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କକୁ ବନ୍ଧୁକ ଦେଖାଇ ଦୁଇ ଦୁର୍ବୃତ୍ତ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟିନେଇଥିଲେ।ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର ବ୍ୟବସାୟୀଙ୍କ ଘରୁ ଟଙ୍କା ଉଦିତନଗର ଅଫିସକୁ ଆସିଥିଲେ। ସକାଳ ପ୍ରାୟ ୯ଟାରେ ପ୍ରଶାନ୍ତଙ୍କୁ ଏକ ନାଲି ପଲସର ବାଇକରେ ଅନୁସରଣ କରୁଥିବା ଦୁଇ ଯୁବକ ଆରଏମସି ନିକଟରେ ଅଟକାଇ ଥିଲେ।  ପ୍ରଶାନ୍ତ ସ୍କୁଟିକୁ ରଖିବା ମାତ୍ରେ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ପକେଟରୁ ବନ୍ଧୁକ ବାହାର କରି ପ୍ରଶାନ୍ତଙ୍କ ମୁଣ୍ଡରେ ଓ ଅନ୍ୟ ଜଣେ ଯୁବକ ତାଙ୍କ ପେଟରେ ଛୁରୀ ଲଗାଇ ଦେଇଥିଲେ। ଦୁହେଁ ଧମକଚମକ ଦେଇ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସମ୍ବନ୍ଧିତ ଖବର