ରାଉରକେଲା: ମିଛ କହି ଦ୍ବିତୀୟ ବିବାହ କରିବା ଅଭିଯୁକ୍ତକୁ ମହଙ୍ଗା ପଡ଼ିଛି। ରାଉରକେଲା ପ୍ରଥମ ବିଚାର ବିଭାଗୀୟ ବିଚାରପତି ଉମାକାନ୍ତ ବେହେରା ଅଭିଯୁକ୍ତକୁ ୫ ବର୍ଷ ଜେଲ ଓ ୧୯ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୫ମାସ ଜେଲ୍‌ଦଣ୍ଡ ଆଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡି କେସିଙ୍ଗାର କୃଷ୍ଣଚନ୍ଦ୍ର ମାଝି। ଗତ ୨୦୨୩ ଅକ୍ଟୋବର ୧୭ରେ ଲାଠିକଟା ସୁଇଡିହି ଅଞ୍ଚଳର ଯୁବତୀ ଲାଠିକଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଥିଲେ ତାଙ୍କ ଭଉଣୀଙ୍କ ବିବାହ ଭୋଜିରେ କଳାହାଣ୍ଡିର କୃଷ୍ଣଚନ୍ଦ୍ର ମାଝିଙ୍କ ସହ ସାକ୍ଷାତ ହୋଇଥିଲା।

Advertisment

କୃଷ୍ଣଚନ୍ଦ୍ର ଚାକିରି କରିଥିବା କହି ଯୁବତୀଙ୍କୁ ମନ୍ଦିରେ ବିବାହ କରିଥିଲେ। ପରେ ଚାକିରି କରିଥିବା କୋରାପୁଟ କହି ଯୁବତୀଙ୍କୁ ଗୁଜୁରାଟ ରାଜକୋଟକୁ ନେଇଯାଇଥିଲେ। ସେଠାରେ ଯୁବତୀ ଜଣକ କୃଷ୍ଣଚନ୍ଦ୍ର ବିବାହିତ କରିଛନ୍ତି ଓ ତାଙ୍କର ୫ ବର୍ଷର ଝିଅ ଅଛି ବୋଲି ଜାଣିବାକୁ ପାଇଥିଲେ। ଯୁବତୀ ଜଣକ ଠକାମିରେ ଶିକାର ହୋଇଥିବା ଜାଣିବା ପରେ ଲାଠିକଟା ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି କୃଷ୍ଣଚନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ତରଫରୁ ଅକ୍ଷୟ ସାହୁ ମାମଲା ପରିଚାଳନା କରୁଥିଲେ।