ଜୁଆ ଆଡ୍ଡାରେ ଚଢ଼ଉ : କିଙ୍ଗ୍‌ ପିନ୍‌ ଭ୍ରାତାଙ୍କ ସମେତ ୭ ଗିରଫ

୩ ଲକ୍ଷ ଟଙ୍କା,୨୪ ସେଲ୍‌ ଫୋନ୍‌, ବାଇକ ଜବତ

ରାଉରକେଲା : ଛେଣ୍ଡ୍‌ କଲୋନୀ ତୁଳସୀଟୋଲାରେ ଚାଲିଥିବା ଜୁଆ ଆଡାରେ ପୁଲିସ ଅତର୍କିତ ଚଢ଼ଉ କରି ୭ଜଣଙ୍କୁ ଗିରଫ କରିଛି। ଇସ୍ପାତ ସହରରେ ବେଆଇନ ଜୁଆ ଖେଳକୁ ନିୟନ୍ତ୍ରଣ କରି ଆସିଥିବା ଦୁଇ ଭାଇ ବାସନ୍ତୀକଲୋନୀର ବିଏଲ୍‌-୨୩ ନିବାସୀ ଉମା ସିଂ (୩୮) ଓ ପପୁ ସିଂ (୩୫) ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଅନ୍ୟମାନେ ହେଲେ- ସେକ୍ଟର-୭ ଅଭିରାମପାଲୀର ଟୁନା ରାଉତ (୩୭) ତାଙ୍କ ଭାଇ ବଳରାମ (୩୮), ଉଦିତନଗର ମାଲଗୋଦାମ ଝୁମ୍ପୁଡି ବସ୍ତିର ମହମ୍ମଦ ସମ୍‌ସମ୍‌ (୩୯), ସେକ୍ଟର-୧୬ ସି-୩୮୯ର ସତ୍ୟଜିତ୍‌ ଦାଶ (୨୫), ଫର୍ଟିଲାଇଜର ନବକୃଷ୍ଣନଗରର ଭାସ୍କର ଆନନ୍ଦ ଭଞ୍ଜ (୩୨)। ସେମାନଙ୍କ ନିକଟରୁ ୨ ଲକ୍ଷ ୯୩ ହଜାର ୫୬୦ ଟଙ୍କା, ୨୪ ସେଲ୍‌ ଫୋନ୍‌, ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ କାର୍ଡ, ଚେକ୍‌ ବୁକ୍‌, ପାସ୍‌ ବୁକ୍‌, ହୋଣ୍ଡା ଆକ୍ଟିଭା (ଓଡି ୧୪ଜେ-୩୨୧୯) ସ୍କୁଟି, ଜୁଆ ଓ ସଟ୍ଟାରେ ବ୍ୟବହୃତ ପଟି ଆଦି ଜବତ କରାଯାଇଛି।

ଶୁକ୍ରବାର ରାତି ପ୍ରାୟ ସାଢ଼େ ୭ଟାରେ ତୁଳସୀଟୋଲା ଗୁମୁଟି ପଛପଟ ପଡିଆରେ ଜୁଆ ଆଡା ଚାଲିଥିବା ରାଉରକେଲା ଏସ୍‌ପି ଉମାଶଙ୍କର ଦାସଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନାକୁ ଆଧାରରେ ତୁରନ୍ତ ଚଢ଼ଉ କରିବାକୁ ଛେଣ୍ଡ ଥାନା ପୁଲିସକୁ ସେ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀ ଗଗନ ବିହାରୀ ବିଶ୍ୱାଳଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଜୁଆ ଆଡାକୁ ଘେରାଉ କରିବା ବେଳେ କିଙ୍ଗପିନ୍‌ ଉମା ଓ ତାଙ୍କ ଭାଇ ପପୁଙ୍କ ସମେତ କେତେଜଣ ଚମ୍ପଟ୍‌ ମାରିଥିଲେ। ଘଟଣାସ୍ଥଳରୁ ପୁଲିସ ଟୁନା, ବଳରାମ, ମହମ୍ମଦ ସମ୍‌ସମ୍‌, ସତ୍ୟଜିତ୍‌, ଭାସ୍କରଙ୍କୁୁ ଗିରଫ କରିବା ସହ ନଗଦ ୩୯ହଜାର ଟଙ୍କା ଜବତ କରିଥିଲା।

ସକାଳେ ପୁଲିସ ବାସନ୍ତୀକଲୋନୀସ୍ଥିତ ଘରେ ଚଢ଼ଉ କରି କିଙ୍ଗ ପିନ୍‌ ଉମା ଓ ତାଙ୍କ ଭାଇ ପପୁକୁ କାବୁ କରିଥିଲା। ସେମାନଙ୍କ ନିକଟରୁ ୨ ଲକ୍ଷ ୫୪ ହଜାର ୫୬୦ ଟଙ୍କା ଜବତ ହୋଇଥିଲା। ଉମା କିଛି ବର୍ଷ ଧରି ରାଉରକେଲାର ସହରର ବିଭିନ୍ନ ସ୍ଥାନରେ ଜୁଆ ଏବଂ ସଟ୍ଟା କାରବାର ଚଳାଇ ଆସୁଥିଲା। ବିଶେଷକରି ଗୁପ୍ତ ସ୍ଥାନ କିମ୍ବା ସହରର ପ୍ରମୁଖ ହୋଟେଲରେ ବିଳମ୍ବିତ ରାତି ଯାଏ ସେ ଜୁଆ ଆଡ଼ା ନିୟନ୍ତ୍ରଣ କରି ଆସୁଥିଲା ବୋଲି ପୁଲିସ କହିଛି। ଉମାଙ୍କ ନେଟ୍‌ଓ୍ଵର୍କ କେବଳ ରଉରକେଲା ସହରରେ ସୀମିତ କି ସହର ବାହାରକୁ ପ୍ରସାରିତ, ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର