ଗୋଟିଧର କ୍ରସର୍‌ ଚୋରି ଓ ଗଣଦୁଷ୍କର୍ମ ମାମଲା : ବନ୍ଧାହେଲେ ୭ ‘ଦୁଷ୍କର୍ମକାରୀ’ ଚୋର

ରାଉରକେଲା : ଚୋରି କରିବାକୁ ଏକ ପରିତ୍ୟକ୍ତ କ୍ରସର୍‌ ଭିତରକୁ ପଶିଥିଲେ ୭ ଯୁବକ। କ୍ରସର୍‌ ଭିତରୁ ଲକ୍ଷାଧିକ ଟଙ୍କାର ମେସିନ୍‌ ଚୋରି କରିନେଲେ। ତେବେ ଏତିକିରେ ସେମାନଙ୍କ ମନ ମେଣ୍ଟିଲାନି। ସେମାନେ ଏହି କ୍ରସର୍‌ରେ ରହୁଥିବା କେୟାରଟେକର୍‌ ଓ ତାଙ୍କ ସହଯୋଗୀଙ୍କୁ ଘର ଭିତରେ ତାଲା ଦେଇ ଏକୁଟିଆ ଥିବା କେୟାରଟେକର୍‌ଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ମୋଟ ୩ ଜଣ ଅଭିଯୁକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ସମସ୍ତେ ଚୋରା ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାରୁ ଆଜି ରାଉରକେଲା ପୁଲିସ ପରଦା ଉଠାଇଛି। ଚୋରି ଓ ଦୁଷ୍କର୍ମ ମାମଲାରେ ସଂପୃକ୍ତ ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ-ରାଜଗାଙ୍ଗପୁର ଥାନା ମାଣ୍ଡିଆକୁଦର କୋଠପଡ଼ାର ନବୀନ ଲାକ୍ରା (୨୦), ବ୍ରାହ୍ମଣୀତରଙ୍ଗ ଥାନା ଭାଲୁପତ୍ରା ତଳ ବସ୍ତିର ରନେଇ ଏକ୍କା ଓରଫ୍‌ ରୋନୀ (୨୨), ପ୍ଲାଣ୍ଟ୍‌ସାଇଟ୍‌ ଗୁରୁଦ୍ବାରା ରୋଡ୍‌ର ସନ୍ଦୀପ ସୋନକାର ଓରଫ୍‌ ଲାଲୁ (୨୪), ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲା ଗେଟ୍‌ର ମଞ୍ଜିତ ଚୌହାନ ଓରଫ୍‌ ମଞ୍ଜେ (୨୩), ଫଟାପାଇପ୍‌ ଶିବ ଶଙ୍କର ନଗରର ଆନନ୍ଦ ଗୌଡ଼ (୨୦), ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଲଣ୍ଡା କଣ୍ଠପଡ଼ାର ଅଜିତ କିଶାନ (୨୬) ଓ ବିନୋଦ କୁଜୁର (୩୦)। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର