୭୨ଲକ୍ଷ ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠାବ: ଜେଲ୍‌ ଗଲେ ବନରକ୍ଷୀ

ବଣାଇଁଗଡ଼: ବଣାଇଁ ବନଖଣ୍ଡ ଅଧିନରେ କାର୍ଯ୍ୟରତ ବନରକ୍ଷୀ ମନୋରଞ୍ଜନ ମାହାନ୍ତିଙ୍କ ଠାରୁ ୭୨ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଛି।
ଗତକାଲି ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ମନୋରଞ୍ଜନଙ୍କ ବଣାଇଁ ସ୍ଥିତ ବାସଗୃହ , କେଲୋ ସ୍ଥିତ ପୈତୃକ ବାସଗୃହ, ନାଗାଡିହି ସ୍ଥିତ ଶ୍ୱଶୁରଘର ଏବଂ କର୍ମସ୍ଥଳ କୋଇଡାରେ ଏକକାଳୀନ ଚଢଉ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢଉ ଜାରି ରହିଥିଲା। ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଚାଲିଥିବା ଚଢ଼ଉରେ ତଦନ୍ତକାରୀ ଅଫିସର ଭାବେ କାସିନାଥ କୁଜୁରଙ୍କୁ ନିୟୋଜିତ କରାଯାଇଥିଲା।

ତାଙ୍କ ଘରୁ ୭୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ମନୋରଞ୍ଜନ ଗତ ୨୦୦୮ ମସିହା ମେ ମାସରେ ଚୁକ୍ତିଭିତ୍ତିକ ବନରକ୍ଷୀ ଭାବେ ମାସିକ ୩ ହଜାର ଟଙ୍କା ବେତନରେ କାମ କରିଥିଲେ। ୫ବର୍ଷ ପରେ ଅର୍ଥାତ ୨୦୧୩ ମସିହାରେ ତାଙ୍କ ଚାକିରୀ ନିୟମିତ ହୋଇଥିଲା। ସ୍ୱଳ୍ପ ବେତନଭୋଗି ଏହି ବନରକ୍ଷୀଙ୍କ ପାଖରେ ବଣାଇଁ ସହରରେ ୩୬ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ଦ୍ୱିତଳ କୋଠା, ଏକ ମହନ୍ଦ୍ରା ଟ୍ରାକ୍ଟର, ବାଇକ୍‌, ସ୍କୁଟି, ମାରୁତି ଅଲ୍‌ଟୋ କାର୍‌, ୭୪ ଗ୍ରାମ ସୁନା ଅଳଙ୍କାର, ୩ଟି ପ୍ଳଟ୍‌, ପୋଷ୍ଟାଲ୍‌ ଜମା, ନଗଦ ୮୭ ହଜାର ଟଙ୍କା ଏବଂ ପ୍ରାୟ ୩ ଲକ୍ଷ ଟଙ୍କାର ଘର କରଣା ସାମଗ୍ରୀ ଠାବ ହୋଇଥିଲା । ଆୟ ବର୍ହିଭୂତ ସମ୍ପତ୍ତି ପାଇଁ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି। ଆଜି ତାକୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର