ସୁନ୍ଦରଗଡ଼: ଧଳା ଜହର ଧରପଗଡ଼ରେ ସୁନ୍ଦରଗଡ଼ ପୁଲିସକୁ ପୁଣି ସଫଳତା ମିଳିଛି। ଶନିବାର ସହରର ବନଦୁର୍ଗା ମନ୍ଦିର ପାଖରୁ ୪ ଜଣ ନିଶା ବେପାରୀ ଓ ଯୋଗାଣକାରୀଙ୍କଠାରୁ ୮ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବାଇକ୍ ଜବତ କରିଛି ପୁଲିସ। ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଧଳା ଜହର ଖୋଲାଖୋଲି ବିକ୍ରି ହେଉଛି। ଯଦିଓ ପୁଲିସ କେତେବେଳେ କେମିତି ଏଭଳି ଚଢାଉ କରି ଜଣେ ଦି ଜଣଙ୍କୁ ଧରି ଜେଲ ପଠାଉଛି, ମାତ୍ର ଏହି କାରବାର କମିବାର ନାଁ ନେଉ ନାହିଁ। ଗତ ମାସରେ ମଧ୍ୟ ଏହି ଭଳି ଧଳା ଜହର ଜବତ ହେବା ସହ ୫ ଅଭିଯୁକ୍ତ ଗିରଫ ହୋଇଥିଲେ। ମୁଖ୍ୟତଃ ରାଉରକେଲା ଓ ରାଜଗାଙ୍ଗପୁର ଅଞ୍ଚଳରୁ କିଛି ଯୁବକ ଆସି ସୁନ୍ଦରଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଏହି ଧଳାଜହର ଯୋଗାଇଥାନ୍ତି।
ରାଉରକେଲା ଅଞ୍ଚଳର ଜଣେ ଯୁବକ ସୁନ୍ଦରଗଡ଼ ସହର ଓ ରାଜଗାଙ୍ଗପୁର ସହରକୁ ଏହି ଧଳା ଜହର ଦେବା ପାଇଁ ଆସିଥିଲା। ଶନିବାର ମଧ୍ୟାହ୍ନରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ନିକଟକୁ ଯୁବକ ଆସିବାକୁ ଥିବା ସୂଚନା ପାଇ ପୁଲିସ ସେଠାରେ ଜଗିରହିଥିଲା। ଧଳା ଜହର କ୍ରେତା ଓ ବିକ୍ରେତା ଉଭୟ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ମାଡିବସିଥିଲା। ସେମାନଙ୍କ ନିକଟରୁ ୮ଗ୍ରାମ ୧୫୦ ମିଲିଗ୍ରାମ ବାଉନସୁଗାର ଜବତ କରାଯିବା ସହ ଏକ ନମ୍ଵର ବିହିନ ବାଇକକୁ ମଧ୍ୟ ଜବତ କରିଥିଲା। ଗିରଫ ହୋଇଥିବା ୪ ଯୁବକଙ୍କ ମଧ୍ୟରୁ ୩ ଜଣ ପୁର୍ବରୁ ମଧ୍ୟ ଏହି ଧଳା ଜହର କାରବାରରେ ଗିରଫ ହୋଇଥିଲେ। ଏ ନେଇ ଆଜି ଟାଉନଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ।