ରାଉରକେଲା: ଦୁଇଟି ପୃଥକ୍‌ ମାମଲାରେ ରାଉରକେଲା ପୁଲିସ ଆଜି ୯ ଜଣ ଡକାୟତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ତେବେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍‌ ହେବାରେ ସକ୍ଷମ ହୋଇଛି। ଝିରପାଣି ପୁଲିସ ଡକାୟତ ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ଗିରଫ କରିଥିବାବେଳେ ସେକ୍ଟର-୩ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

Advertisment

WhatsApp Image 2025-09-28 at 22.49.48

ଗତ ୨୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୧୫। ଜଗଦା ପଡ଼ିଆରେ ଗ୍ୟାଙ୍ଗ୍‌ର ୫ ଜଣ ସଦସ୍ୟ ଠୁଳ ହୋଇ ସାରନା ଛକସ୍ଥ ପେଟ୍ରୋଲ ପମ୍ପ୍‌ରୁ ଡକାୟତି ପାଇଁ ଯୋଜନା କରୁଥିଲେ। ‌ପାଖରେ ଏକ ଅଟୋ (ଓଡି୧୪-ଏଜେ-୪୪୦୫) ରଖିଥିଲେ। ଉକ୍ତ ଅଟୋରେ ବସି ଡକାୟତି କରିବାକୁ ସ୍ଥିର କରିଥିଲେ। ତେବେ ଡକାୟତି କରିବାକୁ ଯିବା ପୂର୍ବରୁ ଜମିଥିଲା ମଦର ଆସର। ପଡ଼ିଆରେ ଡକାୟତ ଗ୍ୟାଙ୍ଗ୍‌ର ମେଳି ବିଷୟରେ ଝିରପାଣି ପୁଲିସ ସୂଚନା ପାଇ ସଦଳବଳ ଘଟଣାସ୍ଥଳରେ ଅତର୍କିତ ଚଢଉକରି ଅଭିଯୁକ୍ତମାନଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତମାନେ ହେଉଛନ୍ତି ସେକ୍ଟର-୧, ଡି’ ବ୍ଲକ କ୍ବାର୍ଟର୍ସ ୨୦୪ରେ ରହୁଥିବା ଅନୀଲ ବେହେରା ଓରଫ୍‌ ପିଙ୍କୁ (୨୮), ସେକ୍ଟର-୫ ବାରାକ୍‌ କଲୋନିର ସୋମନାଥ ମିଶ୍ର (୩୮), ଗୋପବନ୍ଧୁପାଲିର ମନରାଜ କୁମାର ସା (୩୦), ନୟାବଜାରର ରକି କୁମାର ବର୍ମା ଓରଫ୍‌ ଛୋଟୁ (୩୪) ଓ ଉଦିତନଗରର ପ୍ରମୋଦ ସାହୁ (୩୪)। ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି, ୨ଟି ଖଣ୍ଡା, ୩ଟି ମୋବାଇଲ, ୨ଟି ଛୁରୀ, ଫେସ୍‌ ମାସ୍କ, ବିଦେଶୀ ମଦ, ସାଗାରେଟ୍‌ ସମେତ ଅଟୋ ଜବତ ହୋଇଛି। ଅଭିଯୁକ୍ତ ପିଙ୍କୁ ନାଁରେ ସେକ୍ଟର-୩ ଥାନାରେ ୪ଟି ଓ ସେକ୍ଟର-୧୫ ଥାନାରେ ଗୋଟିଏ, ମୋଟ୍‌ ୫ଟି ଅପରାଧିକ ମାମଲା ଥିବାବେଳେ ମନୋଜ ନାଁରେ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ୨ଟି ଓ ପ୍ରମୋଦ ନାଁରେ ଗୋଟିଏ ମାମଲା ରହିଛି।

New Project (8)

ସେହିଭଳି ସେକ୍ଟର-୩ ପୁଲିସ ଗତ ୨୬ ତାରିଖ ରାତି ପ୍ରାୟ ୯ଟା ୧୫ରେ ସେକ୍ଟର-୧ ବିବେକାନନ୍ଦ ସ୍କୁଲ ପଛପଟ ବସି ଡକାୟତି ଯୋଜନା କରୁଥିବାବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ହେଉଛନ୍ତି, ସେକ୍ଟର-୨ ଖରିଆବାହାଲ ବସ୍ତି ହନୁମାନ ଗଳି ଅଞ୍ଚଳରେ ରହୁଥିବା ରାହୁଲ ସିକ୍କା (୨୩), ସେକ୍ଟର-୨ ଜି’ ବ୍ଲକ ବସ୍ତିର ବିକ୍ରମ ମହାନନ୍ଦ ଓରଫ୍‌ ଛୋଟୁ (୩୯), ସେକ୍ଟର-୫ କବିସମ୍ରାଟପାଲିର ଆଲୋକ ବେହେରା (୨୫) ଓ ଯାଜପୁରର ମୂଳବାସିନ୍ଦା ତଥା କୋଏଲନଗର କ୍ବାର୍ଟସ୍‌ ସି/୯୨ରେ ରହୁଥିବା ଶେଖ୍‌ ଅବୁ ଫହୀମ। ତେବେ ଅନ୍ୟତମ ଅଭିଯୁକ୍ତ ଖରିଆବାହାଲ ବସ୍ତି ବିନ୍ଧାଣୀ ଗଳିର ସୂରଜ ରାୟ ଚମ୍ପଟ୍‌ ମାରିବାରେ ସଫଳ ହୋଇଥିଲା। ସେମାନଙ୍କ ପାଖରୁ ଗୋଟିଏ ଖଣ୍ଡା, ଲୁହା ଛେନୀ, ଦାଉଳୀ, ଲୁହା ଚାପଡ୍‌ ଆଦି ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ କୋଏଲନଗରରେ ରହୁଥିବା ଗ୍ୟାଙ୍ଗ୍‌ ମୁଖିଆ ଅବୁ ଫହୀମ୍‌ ନାଁରେ ୯ଟି ମାମଲା ରହିଛି। ଝିରପାଣି ଥାନାରେ ୫ଟି, ସେକ୍ଟର-୩ ଥାନାରେ ୩ଟି ଓ ସେକ୍ଟର-୧୯ ଥାନାରେ ଗୋଟିଏ ମାମଲା ରହିଥିବାବେଳେ ଅନ୍ୟତମ ଅଭିଯୁକ୍ତ ରାହୁଲ ନାଁରେ ସେକ୍ଟର-୩ ଥାନାରେ ୨ଟି ମାମଲା ରହିଥିବା ପୁଲିସ ସୂଚନାରୁ ପ୍ରକାଶ।