ରାଉରକେଲା : ମୋବାଇଲ ଯାଞ୍ଚ ବ୍ୟବସ୍ଥାକୁ ନେଇ ଉଠିଲାଣି ପ୍ରଶ୍ନ। ଯେଉଁ ଉଦ୍ଦେଶ୍ୟ ନେଇ ରାଉରକେଲା ପୁଲିସ ଏହି ନୂଆ ଯୋଜନା ଆରମ୍ଭ କରିଥିଲା ତାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଇବା କଷ୍ଟକର ହୋଇ ପଡ଼ିଛି। କାରଣ ନିୟମ ଉଲଂଘନକାରୀମାନେ ପୁଲିସର ଏହି ନିୟମକୁ ବେଖାତିର କରି ଚାଲିଛନ୍ତି। ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ନିକଟକୁ ମୋବାଇଲ ଫୋନ୍ ମାଧ୍ୟମରେ ଫାଇନର ଏସଏମଏସ ପଠାଯାଉଥିଲେ ମଧ୍ୟ ସଂଖ୍ୟାଧିକ ଫାଇନ୍ ଭରୁ ନାହାନ୍ତି। ଯାହା ଏବେ ଚିନ୍ତା ଜନକ ବିଷୟ ହୋଇଛି।
କରୋନା ମହାମାରୀର ସଟ ଡାଉନ୍ ଓ ଲକ୍ ଡାଉନବେଳେ ପୁଲିସର ଧର ପଗଡ଼ ଟିକେ ହ୍ରାସ ପାଇଥିଲା। ଯାହା ଫଳରେ ବାଇକ ଚାଳକ ଅମାନିଆ ହୋଇ ଯାଇଥିଲେ। ଗତ ସେପ୍ଟେମ୍ବର ମାସରୁ ରାଉରକେଲା ପୁଲିସ ପକ୍ଷରୁ ମୋବାଇଲ ଯାଁଚ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସହରରେ ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ କର୍ମଚାରୀଙ୍କୁ ଏହି ଧରପଗଡ଼ କାର୍ଯ୍ୟରେ ନିୟୋଜନ କରାଯାଇଥିଲା। ସେମାନେ ସହରରେ ପାଟ୍ରୋଲିଂ କରିବା ସହିତ ପ୍ରତ୍ୟେକ ଦିନ ୧୦ଟି ପ୍ରମୁଖ ଛକ ରିଂରୋଡ୍, ବିସ୍ରା ଛକ, ମ୍ୟୁନିସପାଲଟି ଛକ, ଗଡ଼ିଆ ଟୋଲା ଛକ, ଆରଏମସି ଛକ, ପାନପୋଷ, ଉଦିତନଗର, ଡିଏଭି ଛକ, ସାତ/ସତର ଛକ, ଛେଣ୍ଡ୍, ସ୍ପେଶ୍ ଛକ, ଜୁବୁଲି ପାର୍କ, ବିଏଲଏନଏଲ ଛକ, ବନ୍ଧମୁଣ୍ଡା, ଡିଜେଲ କଲୋନି, ଟାଙ୍ଗରପାଲ୍ଲୀ, ବେଦବ୍ୟାସ, ମା’ ମଙ୍ଗଳା ଛକ, ବ୍ରାହ୍ମଣୀ ତରଙ୍ଗ ଓ ଆଇଡିସି ଛକରେ ପିସିଆର ଭ୍ୟାନ ପକ୍ଷରୁ ଗାଡି ମୋଟର ଯାଞ୍ଚ କରାଯାଉଛି।
ବିଶେଷ କରି ଯେଉଁ ବାଇକ ଚାଳକମାନେ ହେଲେମେଟ୍ ପିନ୍ଧୁ ନାହାନ୍ତି, ୩ ଜଣ ବସି ବାଇକ ଚଳାଉଛନ୍ତି, ସେମାନଙ୍କଠାରୁ ଫାଇନ୍ ଆଦାୟ କରାଯାଉଛି। ପୁଲିସ ଘଟଣାସ୍ଥଲରୁ ଫାଇନ୍ ଆଦାୟ କରୁନାହିଁ। ପୁଲିସ ପକ୍ଷରୁ ବାଇକର ନମ୍ବର ମୋବାଇଲ ଫୋନରେ ଫଟୋ ଉଠା ଯାଉଛି। ପରେ ଗାଡି ନମ୍ବର ଆଧାରରେ ଟ୍ରାଫିକ୍ ପୁଲିସ ଘରକୁ ୧ ହଜାର ଟଙ୍କାର ନୋଟିସ୍ ବା ଚାଲାଣ ପଠାଇ ଦେଉଛି।
କିନ୍ତୁ ଗତ ଦୁଇ ମାସ ମଧ୍ୟରେ ଯେଉଁମାନଙ୍କୁ ଜରିମାନା ହୋଇଛି, ସେମାନଙ୍କ ମଧ୍ୟରୁ ମାତ୍ର ୭ ପ୍ରତିଶତ ଜରିମାନା ଦେଇଛନ୍ତି। ୯୩ ପ୍ରତିଶତ ଉଲଂଘନକାରୀ ଜରିମାନା ଭରି ନାହାନ୍ତି। ପୁଲିସଠାରୁ ଯାହା ସୂଚନା ମିଳିଛି, ସେପ୍ଟେମ୍ବର ମାସରେ ୩୧୭୨ ହେଲମେଟ ନ ପିନ୍ଧି ବିଭିନ୍ନ ଛକରେ ଧରା ପଡ଼ିଥିଲେ। ପୁଲିସ ପକ୍ଷରୁ ସେମାନଙ୍କ ଗାଡି ନମ୍ବରକୁ ଆଧର କରି ଫାଇନ ଏସଏମଏସ ମାଧ୍ୟମରେ ପଠା ଯାଇଥିଲା। ସେମାନଙ୍କ କୁହାଯାଇଥିଲା କି ସେମାନେ ପୁଲିସ ମୁଖ୍ୟାଳୟରେ ଫାଇନ ଜମା କରିବାକୁ। କିନ୍ତୁ ଏହି ୩୧୭୨ ଜଣଙ୍କ ମଧ୍ୟରୁ ମାତ୍ର ୩୩୫ ୩,୩୫,୦୦୦ଜଣ ଫାଇନ ଭରିଛନ୍ତି। ସେହିପରି ବାଇକରେ ୩ ଜଣ ବସି ଯାଉଥିବାବେଳେ ୨୨ ଜଣ ଧରା ପଡିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ମାତ୍ର ୮ ଜଣ ୮ ହଜାର ଟଙ୍କା ଫାଇନ ଜମା କରିଛନ୍ତି।
ସେହିପରି ଅକ୍ଟୋବର ମାସରେ ୫୨୫୪ ଜଣ ବିନା ହେଲମେଟରେ ଧରା ପଡି ଫାଇନ୍ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୩୯୧ ଜଣ ଫାଇନ ଜମା କରିଛନ୍ତି। ସେହିପରି ବାଇକରେ ୩ ଜଣ ବସି ଯାଉଥିବାବେଳେ ୩୪ ଜଣ ଧରା ପଡିଥିଲେ ମଧ୍ୟ ମାତ୍ର ୬ ଜଣ ଫାଇନ ଜମା କରିଛନ୍ତି। ଏହି ଦୁଇ ମାସର ହିସାବରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି, ଟ୍ରାଫିକ୍ ନିୟମ ଉଲଂଘନକାରୀମାନେ ଟ୍ରାଫିକ ନିୟମ ମାନିବାକୁ ନାରାଜ।
ଏ ସମ୍ପର୍କରେ ଟ୍ରାଫିକ୍ ସହକାରୀ କମାଣ୍ଡାଣ୍ଟ ସମରେନ୍ଦ୍ର ନାୟକ କହିଛନ୍ତି, ଯେଉଁମାନଙ୍କୁ ଏସଏମଏସ ଯାଉଛି ଫାଇନ ଜମା କରିବାକୁ, ସେମାନେ ୬ ମାସ ମଧ୍ୟରେ ଫାଇନ ଜମା କରିବେ। ୬ ମାସ ମଧ୍ୟରେ ଜମା ନ କଲେ ସେମାନଙ୍କ ନାଁରେ ପରିବହନ ବିଭାଗ ପକ୍ଷରୁ କୋର୍ଟରେ ମାମଲା ରୁଜୁ କରାଯାଇ ନୋଟିସ୍ ପଠାଯିବ। ଯଦି କେହି ବାରମ୍ବାର ଏଭଳି ନିୟମ ଉଲଂଘନ କରେ ସେମାନଙ୍କଠାରୁ ଜରିମାନା ଦୁଇ ଗୁଣା ଆଦାୟ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/traffic-1.jpg)