କୋଇଲା ବୋଝେଇ ଟ୍ରେଲର୍ ଧକ୍କାରେ ନବବିବାହିତା ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସୁନ୍ଦରଗଡ଼: ଆଜି ପୂର୍ବାହ୍ନ ସାଢେ ୧୦ଟାରେ ହେମଗିର ଥାନା ରତନପୁରରେ ଏକ କୋଇଲା ବୋଝେଇ ଟ୍ରେଲର ଧକ୍କାରେ ଜଣେ ନବବିବାହିତା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ରାସ୍ତା କଡ଼ ନଳକୂଅକୁ ପାଣି ଆଣିବାକୁ ଯାଉଥିବାବେଳେ ଟ୍ରେଲରଟି ତାଙ୍କ ଉପରେ ମାଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଗୁରୁତର ମହିଳା ହେଲେ ମଦନ କିସାନଙ୍କ ପତ୍ନୀ ନିର୍ମଳା ନାଏକ (୨୨)। ୧୫ ଦିନ ତଳେ ସେ ବିବାହ କରିଛନ୍ତି।

ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଲୋକେ ରତନପୁରଠାରେ ରାସ୍ତାରୋକ କରିଛନ୍ତି। ଫଳରେ କୋଇଲା ବୋଝେଇ ଟ୍ରକ ସହ ଶହ ଶହ ଭାରୀଯାନ ସେଠାରେ ଅଟକି ରହିଛି। ଖବର ଅନୁସାରେ, ରାସ୍ତା ଦେଇ ଛତିଶଗଡ଼କୁ ଭାରୀଯାନରେ ଅହରହ କୋଇଲା ପରିବହନ ହେଉଥିବାବେଳେ ସକାଳ ୬ଟାରୁ ସାଢେ ୧୦ଟା ଯାଏ ପରିବହନ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ କଟକଣା ଲଗାଇଛି। ଆଜି ସାଢେ ୧୦ଟାରେ ନିର୍ମଳା ବାଲଟି ଧରି ପାଣି ଆଣିବାକୁ ରାସ୍ତା କଡ଼ ନଳକୂଅକୁ ଯାଉଥିଲେ। ଠିକ୍ ଏହି ସମୟରେ କୋଇଲା ବୋଝେଇ ଟ୍ରେଲରଟି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା। ଏହା ପରେ ଗୁରୁତର ନିର୍ମଳାଙ୍କୁ ହସ୍ପିଟାଲ ନେବାକୁ ଲୋକେ ଆମ୍ବୁଲାନ୍ସକୁ କଲ୍ କରିଥିଲେ। କିନ୍ତୁ ଘଣ୍ଟାଏ ପରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଲୋକେ ଅଧିକ ପ୍ରତିକ୍ରୟାଶୀଳ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ଚଲାଇଛି।

ସମ୍ବନ୍ଧିତ ଖବର