ଭାରସାମ୍ୟ ହରାଇ ଓଲଟିଲା କାର୍, ଜଣେ ମୃତ

ସୁନ୍ଦରଗଡ଼, ଆଜି ଅପରାହ୍ନ ସାଢେ ୧ଟାରେ ସୁନ୍ଦରଗଡ଼ ସଦର ଥାନା କରମଡିହି ପେଟ୍ରୋଲ ପମ୍ପ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଏକ୍ସୟୁଭି (ଓଡି-୨୩ଏମ- ୦୮୮୮) ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଗାଡ଼ି ଆଗକୁ ଏକ ଗାଈ ଚାଲି ଆସିଵାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଗାଡି ଡିଭାଇଡର ଉପରେ ଚଢି ରାସ୍ତାର ଅପର ପାର୍ଶ୍ବରେ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ଗୁରୁତର ଗାଡ଼ି ମାଲିକ ସୁନ୍ଦରଗଡ଼ ଆରଆରଆଇଟି କଲୋନିର ରଞ୍ଜନ ସାହୁଙ୍କୁ ସହରର ସମଲେଶ୍ବରୀ ହସ୍ପିଟାଲକୁ ଅଣାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଶ୍ରା ସାହୁ ନିଜ ପରିବାର ସହ ରାଜଗାଙ୍ଗପୁରରୁ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇ ଥିଲେ।

କିନ୍ତୁ ଆମ୍ବୁଲାନ୍ସ ଆସିବାରେ ଵିଳମ୍ବ ହୋଇଥିଲା। ଠିକ୍ ଏହି ସମୟରେ  ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ସାମ୍ବାଦିକ ସୁଜିତ କୁମାର ସାଙ୍କ ଗାଡ଼ିରେ ଗୁରୁତରଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଦୁର୍ଘଟଣାରେ ମୃତକଙ୍କ ସ୍ତ୍ରୀ, ସାନ ଝିଅ ଓ ଜଣେ ସମ୍ପର୍କୀୟ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ସୁରକ୍ଷିତ ଅଛନ୍ତି।  ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର