ଦୁର୍ଘଟଣା:୧ ମୃତ, ୪ ଗୁରୁତର

ସୁନ୍ଦରଗଡ଼/ହେମଗିର: ସୁନ୍ଦରଗଡ଼-ଝାରସୁଗୁଡ଼ା ୧୦ ନଂ ରାଜ୍ୟ ରାଜପଥର ବନ୍ଧପାଲି ନିକଟରେ କୌଣସି ଏକ ଭାରୀ ଯାନ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଆଜି ସଂଧ୍ୟାରେ ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ଅମ୍ରିପାଲି ପଟାମାଲ ଗ୍ରାମର ମିତ୍ର ଦଣ୍ଡସନା(୨୫) ଓ ଟିକେଶ୍ୱର ଦଣ୍ଡସନା(୨୧) ଦୁଇ ଭାଇ ଏକ ବାଇକ୍‌ରେ ସୁନ୍ଦରଗଡ଼ ଆଡକୁ ଆସୁଥିବାବେଳେ ସେମାନଙ୍କୁ କୌଣସି ଏକ ଭାରୀ ଯାନ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଦୁଇ ଭାଇ ରାସ୍ତାରେ ଛିଟିକିପଡ଼ି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେହିପରି ହେମଗିର-ବରପାଲି ମୁଖ୍ୟ ରାସ୍ତାର ଉସ୍ତାଳି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଚମ୍ପାସରା ଗ୍ରାମର ସୁନୀଲ ଭୋଇ(୨୮), ଗୋବର୍ଦ୍ଧନ ମୁଣ୍ଡା(୫୦) ଓ ଧନେଶ୍ୱର ରୋହିଦାସ(୨୦) ଆଜି ସକାଳେ ହେମଗିରକୁ ଆସି ଅପରାହ୍ନରେ ଓଆର୍‌ ୧୬ଏ ୦୩୫୦ ବାଇକ୍‌ରେ ଫେରୁଥିଲାବେଳେ ଉସ୍ତାଳି ଘାଟି ମୋଡରେ ଏକ କୋଇଲା ବୋଝେଇ ଭାରୀ ଯାନକୁ ଓଭରଟେକ୍‌ ସମୟରେ ଅନ୍ୟ ଏକ ଭାରୀ ଯାନ ସହିତ ସମ୍ମୁଖରୁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ସୁନୀଲ ମୃତ୍ୟୁବରଣ କରିବା ସହିତ ଧନେଶ୍ୱର ଓ ଗୋବର୍ଦ୍ଧନ ଗୁରୁତର ହୋଇ ପ୍ରଥମେ ହେମଗିର ପରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ପରେ ଭାରୀ ଯାନଟି ଫେରାର ହୋଇଯାଇଥିବାବେଳେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର