ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଶିଷ୍ଟ ବ୍ୟବସାୟୀ ମାତାରାଣୀ ଟ୍ରାନ୍ସପୋର୍ଟର ମାଲିକ ସଂଜୟ ନନ୍ଦଙ୍କୁ ଅଜଣା ନମ୍ବରରୁ କଲ୍‌ ଓ ଏସଏମଏସରେ ହତ୍ୟା ଧମକ ଆସିଥିଲା। ଗତ ଜାନୁଆରି ୨୪ରେ ଆସିଥିବା ଏସଏମଏସରେ ୫୦ ଲକ୍ଷ ଟଙ୍କା ଦାବି କରିଥିଲା ଦୁର୍ବୃତ୍ତ। ଆଜି ଟାଉନ ଥାନା ପୁଲିସ ମାମଲାର ପର୍ଦ୍ଦାଫାସ କରି ଜଣେ ସାଇବର ଅପରାଧ ଅଭିଯୁକ୍ତ ସୁନ୍ଦରଗଡ଼ର ଅମନ ଶର୍ମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅମନ ପୂର୍ବରୁ ପୂର୍ବତନ ଵିଧାୟକ ତଥା ବିଜେଡି ନେତା ଯୋଗେଶ ସିଂ, ବିଧାୟିକା କୁସୁମ ଟେଟେଙ୍କ ସ୍ବାମୀଙ୍କ ନାଁରେ ଜାଲ୍ ଫେସବୁକ୍ ଆଇଡି ଖୋଲି ଲୋକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ଥିଲା।। ପ୍ରକାଶଯୋଗ୍ଯ, ୨୦୦୪ରୁ କୋଇଲା ଓ ଟ୍ରକ ପରିବହନ ସହ ଜଡ଼ିତ ସଂଜୟ ନନ୍ଦଙ୍କୁ ଗତ ଜାନୁଆରି ୨୪ ତାରିଖରେ ଏକ ଅଜଣା ନମ୍ବରରୁ ୪୦ରୁ ୫୦ ଥର ମିସକଲ୍‌ ଓ ୫୦ରୁ ଅଧିକ ଏସଏମଏସ ଆସିଥିଲା। ଯେଉଁଥି‌ରେ ୫୦ ଲକ୍ଷ ଟଙ୍କା ନଦେଲେ ପୂରା ପରିବାରକୁ ଜୀବନରେ ମାରିଦେବାର ଧମକ ଦିଆଯାଇଥିଲା। ଏପରିକି ଏକ ଘରୋଇ ସ୍କୁଲରେ ପଢ଼ୁଥିବା ପୁଅକୁ ମଧ୍ୟ ମାରିଦେବାର ଧମକ ରହିଥିଲା। ଏ ନେଇ ଶ୍ରୀ ନନ୍ଦ ଜାନୁଆରି ୨୮ରେ ଟାଉନ ଥାନାରେ ଏତଲା ଦେଇ ତଦନ୍ତ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଥିଲେ।

Advertisment

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼ର ୪ ଦିନ ପୂର୍ବରୁ କୋଇଲା ବ୍ୟବସାୟ ସହ ସମ୍ପୃକ୍ତ ଶ୍ରୀ ନନ୍ଦଙ୍କୁ ହତ୍ୟା ଧମକ ସୁନ୍ଦରଗଡ଼ରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତନାଘନା ଚଲାଇଥିଲା। ପରେ ସାଇବର ସେଲ୍ ସହଯୋଗରେ ପୁଲିସ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା।