ହତ୍ୟାକାରୀ ସାବତ ନାତି ଛତିଶଗଡ଼ରୁ ଗିରଫ : ଗୟା ରାଉତ ମୃତ୍ୟୁ ଘଟଣା

ହେମଗିର: ଝିଅ ଓ ସାବତ ନାତିର ଠେଙ୍ଗା ମାଡ଼ରେ ହେମଗିର ସୁଖାବନ୍ଦ ସ୍ଥିତ ମନୋହରପୁର ଥାଇଥାନ ଓ ପୁନର୍ବାସ କଲୋନିର ଗୟା ରାଉତ (୬୦ )ଙ୍କ ମୃତ୍ୟୁ ଘଟଣାରେ ଆଜି ପୁଲିସ ଫେରାର ଅଭିଯୁକ୍ତ ସାବତ ନାତି ସତ୍ୟ ନାଏକ (୧୯) କୁ ଛତିଶଗଡ଼ରୁ ଗିରଫ କରିଛି। ଫେରାର ସତ୍ୟ ଛତିଶଗଡ଼ ତମନାର ଗାଁରେ ଥିବା ନିଜ ଶ୍ବଶୁର ଘରେ ଲୁଚି ରହିଥିବା ସୂଚନା ପାଇ ତଦନ୍ତ ଅଧିକାରୀ ଏସ୍‌ଆଇ ସୁମନ୍ତ ନାଏକ ଗତ ରାତିରେ ଚଢ଼ଉ କରି ତା’କୁ ଗିରଫ କରିଥିଲେ। ପୂର୍ବରୁ ଘଟଣାର ଅନ୍ୟ ଅଭିଯୁକ୍ତ ଝିଅ ଚମ୍ପା ନାଏକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉଲ୍ଲେଖନୀୟ ଯେ ଗତ ୨ ତାରିଖରେ ଗୟା ରାଉତଙ୍କ ମଝିଆ ଝିଅ ସେବତୀ ନୁନଚୁରିଆଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲା ଅନୁସାରେ ଗତ ଜାନୁଆରି ୩୦ ତାରିଖ ରାତି ପ୍ରାୟ ୮ ଟାରେ ମୃତ ଗୟା ରାଉତ ଓ ତାଙ୍କ ସ୍ତ୍ରୀ କଲୋନିରେ ନିଜ ଘରେ ଥିବାବେଳେ ସେହି କଲୋନିରେ ରହୁଥିବା ତାଙ୍କ ଝିଅ ଚମ୍ପା ନାଏକ (୨୮) ଓ ତା’ର ସାବତ ପୁଅ ସତ୍ୟ ନାଏକ (୧୯) ଘର ଭିତରକୁ ପଶି ଆସି ଗୟାଙ୍କୁ ଏକ ଠେଙ୍ଗାରେ ମାଡ଼ ମାରିଥିଲେ। ଏଥିରେ ଗୁରୁତର ଭାବେ ଆହତ ‌ହୋଇଥିବା ଗୟାଙ୍କୁ ପରିବାର ଲୋ‌କେ ହେମଗିର ଡାକ୍ତରଖାନାକୁ ନେଇ ଯାଇଥିଲେ। ତାଙ୍କର ସ୍ଥାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସେଠାରୁ ପ୍ରଥମେ ସୁନ୍ଦରଗଡ ଓ ତା’ ପରେ ବୁର୍ଲା ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ସେ ବହୁ ଦିନଧରି ଚିକିତ୍ସିତ ହେବାପରେ ଗତ ୨୮ ତାରିଖରେ ଗୟା ଘରକୁ ଫେରିଥିଲେ। ମାତ୍ର ଗତ ୨ ତାରିଖ ସନ୍ଧ୍ୟା ୭ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଗୟାଙ୍କ ମଝିଆ ଝିଅ ସେବତୀ ନୁନଚୁରିଆଙ୍କ ଥାନାରେ ଏତଲା ଦିଆ ଯାଇଥିଲା। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତା ଝିଅ ଚମ୍ପା ନାଏକକୁ ବେଲପାହାଡ଼ରୁ ଗିରଫ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ସତ୍ୟ ନାଏକ ଫେରାର ହୋଇଯାଇଥିଲା। ଗିରଫ ସତ୍ୟ ନାଏକକୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର