ପୁଲିସ ଭ୍ୟାନ୍‌ରେ କାଠ ଚୋରି ମାମଲା:ଥାନା ଘେରିଲେ ଆଦିବାସୀ

ଗୁରୁଣ୍ଡିଆ/ବଣାଇଁଗଡ଼: ଜାନୁଆରି ୩୦ ରାତିରେ ବଣାଇଁ ବନଖଣ୍ଡ ସୋଲ ରେଞ୍ଜ ଅଫିସରେ ବନପାଳ ଓ ଗ୍ରାମବାସୀଙ୍କୁ ବନ୍ଧୁକ ଦେଖାଇ ଚୋରା ଶାଳ କାଠ ଗଣ୍ଡି ବୋଝେଇ ପୁଲିସ ଭ୍ୟାନ୍‌କୁ ଛଡ଼ାଇ ନେବା ଘଟଣାରେ ପୁଲିସ ଓ ବନବିଭାଗର ଅହେତୁକ ନିରବତା ବିରୋଧରେ ଆଜି ସୋଲ ଅଞ୍ଚଳର ଆଦିବାସୀ ଗୁରୁଣ୍ଡିଆ ଥାନା ଘେରାଉ କରିଥିଲେ। ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ସୁନ୍ଦରଗଡ଼ ଓ ଜିଲ୍ଲା ପେସା ଗ୍ରାମସଭାର ସମ୍ମିଳିତ ନେତୃତ୍ୱରେ ୫ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ଗୁରୁଣ୍ଡିଆ ସାପ୍ତାହିକ ହାଟ ପଡ଼ିଆରେ ପ୍ରତିବାଦ ସଭା କରି ପୁଲିସ ଓ ବନବିଭାଗର ଶଳାସୁତୁରାକୁ ସମାଲୋଚନା କରି ଗର୍ଜିଥିଲେ। ଏହା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୁଲିସ ଭ୍ୟାନ୍‌ରେ କାଠ ଚୋରି ଘଟଣାକୁ ପୁଲିସ ଓ ବନବିଭାଗ ଜାଣିଶୁଣି ଚପାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ପୁଲିସ ପ୍ରଶାସନର କାର୍ଯ୍ୟଶୈଳୀକୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ଏକ ଘଣ୍ଟାର ବିକ୍ଷୋଭ ପରେ ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା ନିମନ୍ତେ ଏକ ପ୍ରତିନିଧି ମଣ୍ଡଳୀକୁ ଡକାଯାଇଥିଲା। ଆଲୋଚନାରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ, ଆଦିବାସୀ ମଞ୍ଚ ସୁନ୍ଦରଗଡ଼ ଶାଖାର ସାଧାରଣ ସମ୍ପାଦକ ଦିଲ୍ଲିପ ଲେହେରି, ସୁନ୍ଦରଗଡ଼ ଜିଲ୍ଲା ମୂଳବାସୀ ସଂଘ ତଥା ଆଦିବାସୀ ବଚାଓ ମଞ୍ଚ ସଭାପତି ଲେଥା ତିର୍କୀ, ଜେଏମଏମ ଉପସଭାପତି ପାତ୍ରାସ ଏକ୍କା, ପଙ୍କଡିହି ଗ୍ରାମସଭା ସଭାପତି ତେଜରାନି କାଣ୍ଡୁଲାନା, ସୋଲ ଗ୍ରାମସଭା ସଭାପତି ପ୍ରେମଚାନ୍ଦ ସୋରେନ, ହାରେନ ବାଗେ, ନିଏଲ ଲଡା ପ୍ରମୁଖ ଭାଗନେଇ କାର୍ଯ୍ୟାନୁଷ୍ଠାନ ପାଇଁ ମାର୍ଚ୍ଚ ୩୧ ଯାଏ ମିଆଦ୍‌ ଦେଇଥିଲେ। ଅନ୍ୟଥା ଆନ୍ଦୋଳନ ଆହୁରି ତୀବ୍ର ଓ ବ୍ୟାପକ ହେବ ବୋଲି ଚେତାବନୀ ଦେଇଥିଲେ।
ସୂଚନାଯୋଗ୍ୟ ଗତ ଜାନୁଆରୀ ୩୧ ଅପରାହ୍ନରେ ସୋଲ ଜପ୍ତି ଜଙ୍ଗଲରୁ ଏକ ପୋଲିସ ଭ୍ୟାନ (ଓଡି ୦୫ଓ୍ଵାଇ-୯୬୩୦) ଯୋଗେ ଚୋରା ଚାଲାଣ ହେଉଥିବା ୬ଟି ଶାଳ ଗଣ୍ଡିକୁ ସୋଲ ଗ୍ରାମବାସୀ ବନାଞ୍ଚଳ ଅଧିକାରୀଙ୍କ ଜିମା ଦେଇଥିଲେ। କାଠର କୌଣସି କାଗଜପତ୍ର ନଥିବାରୁ ଗାଡିକୁ ଜବତ କରାଯାଇଥିଲା। ହେଲେ ବିଳମ୍ବିତ ରାତିରେ ହଠାତ ଦୁଇଟି ବୋଲେରୋରେ ପୁଲିସ କର୍ମଚାରୀ ଆସି ବନ୍ଧୁକ ଦେଖାଇ ଭ୍ୟାନକୁ ଛଡ଼ାଇ ନେଇଥିଲେ। ପୁଲିସ ଓ ବନ ଅଧିକାରୀଙ୍କ ସମ୍ପୃକ୍ତିରେ କାଠ ଚୋରା ଚାଲାଣ ହେଉଥିବା ପ୍ରକାଶ ପାଇଥିଲା। ଏହା ପରେ ସୋଲ ଗ୍ରାମବାସୀ ଗୁରୁଣ୍ଡିଆ ଥାନାରେ ଏତଲା ଦେଇଥିଲେ ବି ପୁଲିସ ମାମଲା ରୁଜୁ କରି ନଥିଲା। ବିଭିନ୍ନ ସମୟରେ ପୁଲିସ ତଦନ୍ତ ଚାଲିଛି କହି ଦିନ ମାମଲାକୁ ଏଡ଼ାଇ ଯିବାକୁ ଉଦ୍ୟମ କରି ଚାଲିଥିଲେ। ଏହାର ପ୍ରତିବାଦ ଓ ଘଟଣାରେ ରେଞ୍ଜ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ କରି ଆଦିବାସୀ ମୂଳବାସୀ ବଞ୍ଚାଅ ମଞ୍ଚ ସୁନ୍ଦରଗଡ଼ ଓ ଜିଲ୍ଲା ପେସା ଗ୍ରାମସଭାର ନେତୃତ୍ୱରେ ଆଦିବାସୀ ଗତ ଫେବ୍ରୁଆରି ୧୬ ତାରିଖରେ ସୋଲ ରେଞ୍ଜ ଅଫିସ ଘେରିଥିଲେ। ହେଲେ ଘଟଣାର ଦୁଇ ମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଦିବାସୀ ତାତିଛନ୍ତି। ଏ ସଂକ୍ରାନ୍ତରେ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଶିଶୁରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ ୩୧ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର