୧୭ଟି ନିର୍ବାଚନ ପରେ ବି ଅପହଞ୍ଚ କରୁଆଡେରା

ଭୋଟ ପାଇଁ ପାହାଡ଼ ଚଢ଼ା!

ସୁନ୍ଦରଗଡ଼: ସ୍ବାଧୀନ ଭାରତର ଏକ ପାହାଡ଼ି ଗାଁ କରୁଆଡେରା। ଇତି ମଧ୍ୟରେ ୧୫ଟି ଲୋକସଭା ଓ ୧୬ଟି ବିଧାନସଭା ନିର୍ବାଚନକୁ ଦେଖିଥିବା ଏହି ଗାଁ ନିଜ ମୂଲ୍ୟବାନ ଭୋଟ୍‌ରେ ବାଛି ଆସିଛି ଅନେକ ପ୍ରତିନିଧି। କିନ୍ତୁ ଏବେ ବି ଗାଁଟି ମୂଲ୍ୟହୀନ, କାକୁସ୍ଥ ଜୀବନରୁ ମୁକୁଳି ପାରିନାହିଁ। ପିଇବାକୁ ପାଣି ନାହିଁ, ରାସ୍ତା, ସ୍ବାସ୍ଥ୍ୟ, ବିଜୁଳି ସାତ ସପନ। ସବୁଠାରୁ ବିଡ଼ମ୍ବନାର ବ‌ିଷୟ ହେଲା, ଭୋଟ୍‌ ଦେଇ ନିଜ ପସନ୍ଦର ପ୍ରତିନିଧି ବାଛିବା ପାଇଁ ଖୋଦ୍‌ ଭୋଟରଙ୍କୁ ଦୁଇଟି ପାହାଡ଼ ଓ ୪ କିଲୋମିଟର ପାଦଚଲା ବାଟ ଡେଇଁ ଯିବାକୁ ପଡ଼େ। ଭାରତବର୍ଷର ଦୀର୍ଘ ୭୨ ବର୍ଷର ସ୍ବାଧୀନତା ଓ ଗଣତନ୍ତ୍ରକୁ ଏମିତି ଉପହାସ କରୁଥିବା ଅପହଞ୍ଚ ଗାଁ କରୁଆଡେରା ରହିଛି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରତନପୁର ପଞ୍ଚାୟତରେ। ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ପାହାଡ଼ ଉପରେ ଅବସ୍ଥିତ କରୁଆଡେରା ଗାଁରେ ମ‌ାତ୍ର ୬୫ ଜନଜାତି ପରିବାରର ବସତି। ଦେଢ଼ଶହ ମତଦାତା। ସେଥିମଧ୍ୟରୁ କିଛି ଯୁବ ଭୋଟର ରୋଜଗାର ଆଶାରେ ଗାଁ ଛାଡ଼ି ଗୋଆ ଚାଲିଯାଇଛନ୍ତି। ଯେଉଁମାନେ ରହିଛନ୍ତି, ସେମାନଙ୍କୁ ନିଜ ମତଦାନ ସାବ୍ୟସ୍ତ କରିବାକୁ ପାହାଡ଼ ତଳ ଗାଁ ତେଲେନଡିହି ବିଦ୍ୟାଳୟର ମତଦାନ କେନ୍ଦ୍ରକୁ ଯିବାକୁ ପଡ଼େ। ଏଥିପାଇଁ ସେମାନେ ଦୁଇଟି ପାହାଡ଼ ସମେତ ୪ କିଲୋମିଟର ପାଦଚଲା ବାଟରେ ଯିବାକୁ ହୁଏ। ନାହିଁ ନାହିଁର ଏହି ଗାଁରେ ରାସ୍ତା ସହ ପାଣି ଏକ ବଡ଼ ସମସ୍ୟା। ପାଣି ପାଇଁ ଏକମାତ୍ର ପଥର କୂଅର ଗୋଳିଆ ପାଣି ଭରସା। ଖରାଦିନେ ସିଏ ବି ଶୁଖି ଆଁ କରେ। ପୂରା ଖରାଦିନ ଟୋପେ ପାଣି ପାଇଁ ଡହଳ ବିକଳ ହେଉଥିବା ଗ‌ାଁ ଲୋକେ ଗୋଟିଏ କିଲୋମିଟର ଦୂର ଭାଲୁପାହାଡ଼ ଗାଁରେ ଥିବା ପଥର କୂଅ ପାଣି‌ରେ ସ୍ନାନ, ଶୌଚ ସହ ଶୋଷ ମାରନ୍ତି। ଯେଉଁଠି ରାସ୍ତା ନାହିଁ ପାଣି ନାହିଁ, ସେଇଠି ଗାଁ ଲୋକେ ସ୍ବାସ୍ଥ୍ୟ ସେବା, ବିଜୁଳି ସେବାର ସ୍ବପ୍ନ ଦେଖିବା ବି ଭୁଲ୍‌। ତେବେ ଅପହଞ୍ଚ ଗାଁକୁ ବିକାଶର ଏକମାତ୍ର ନମୁନା ଭାବେ ଗତ ୨୦୧୫ରେ ଏକ ପ୍ରାଥମିକ ବିଦ୍ୟାଳୟଟେ ଖୋଲିଛି। ବର୍ଷ ବର୍ଷ ଧରି ଦୁର୍ବିସହ ଜୀବନ ଜିଉଁଥିବା ଗାଁ ଲୋକଙ୍କ ପାଖକୁ ଅକାଳେ ସକାଳେ ପହଞ୍ଚୁ ନଥିବା ନେତା, ଅଧିକାରୀ କିନ୍ତୁ ପାଞ୍ଚ ବର୍ଷରେ ଥରେ ଝାଳନାଳ ହୋଇ ନିଶ୍ଚିତ ପହଞ୍ଚି ଯାଆନ୍ତି। ଆପଣାର ଲୋକ ଭଳି ଗାଁର ଅଭାବ, ଅସୁବିଧା ସମ୍ପର୍କରେ ପଚାରି ବସନ୍ତି। ଏହା‌ ଯେ ନିର୍ବାଚନର ସମୟ ସେ କଥା ବୁଝିବାକୁ ଗାଁ ଲୋକଙ୍କୁ ଆଉ ଡେରି ଲାଗେ ନାହିଁ। ମନ‌ଲୋଭା ପ୍ରତିଶ୍ରୁତିରେ ପୋତି ପକାଇ ନେତା ଭୋଟ ମାଗନ୍ତି। ଭୋଟ୍‌ ସରିଲା ପରେ ଆଉ ୫ ବର୍ଷ ପାହାଡ଼ ଉପରେ ନେତା, ପ୍ରତିନିଧିଙ୍କ ଦେଖା ମିଳେ ନାହିଁ। ଦୂରରୁ ଆଲୁଅର କ୍ଷୀଣ ଝଲକ ଦେଖିଥିବା ଲୋକେ ପୁଣି ଅନ୍ଧକାର ମଧ୍ୟକୁ ଚାଲି ଯାଆନ୍ତି। ଲାଗେ ଯେମିତି ମୂଲ୍ୟବାନ ଭୋଟ୍‌ଟି ହାତେଇବା ପରେ ନେତାଙ୍କ ପାଇଁ କରୁଆଡେରାର ନିରୀହ ଅଧିବାସୀ ମୂଲ୍ୟହୀନ ପାଲଟି ଯାଆନ୍ତି। ତେବେ ୨୦୧୯ ନିର୍ବାଚନ ଯେ ସେମାନଙ୍କୁ ପାଇଁ ନୂଆ ସକାଳ ଆଣିଦେବ ସେ ଆଶା ନାହିଁ। ତଥାପି ପ୍ରତିବର୍ଷ ସ୍ବାଭିମାନର ସହ ପାହାଡ଼ ତଳକୁ ଯାଇ ମତଦାନ କରି ଆସୁଛନ୍ତି। ଏଥର ପ୍ରଶାସନ, ସରକାରଙ୍କ ଚେତିବାର ପାଳି !

ସମ୍ବନ୍ଧିତ ଖବର