ସୁନ୍ଦରଗଡ଼ ରାଜରାସ୍ତାରେ ଧାରଣା: ଗ୍ରାମସଭା କମିଟି ଫୋରମର ପ୍ରତିନିଧି ଦଳ ସହ ଜିଲ୍ଲାପାଳଙ୍କ ଆଲୋଚନା

ସୁନ୍ଦରଗଡ଼: ବିସ୍ଥାପନକୁ ବିରୋଧ କରି ସୁନ୍ଦରଗଡ଼ ରାଜରାସ୍ତାରେ ରାତିସାରା ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଶହଶହ ଆଦିବାସୀ। ତାଜା ଖବର ଅନୁଯାୟୀ, ଗ୍ରାମସଭା କମିଟି ଫୋରମର ଆବାହକ ଓ ରାଜଗାଙ୍ଗପୁର ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରୁଛନ୍ତି। ତେବେ ଗତକାଲି ଆଲୋଚନା ପାଇଁ ଆଦିବାସୀଙ୍କ ଜଣେ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଡକାଇଥିବା ବେଳେ ଏଥିରେ ରାଜି ହୋଇନଥିଲେ ଆନ୍ଦୋଳନକାରୀ। ଏପରିକି ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ଆସି ଆଲୋଚନା କରିବାକୁ ଆସିଥିଲେ, ହେଲେ ନିଜେ ଜିଲ୍ଲାପାଳ ରାଜରାସ୍ତା ଉପରକୁ ଆସି ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ଜିଦରେ ଅଡ଼ି ବସିଥିଲେ। ଗତକାଲି ବିକ୍ଷୋଭରେ ସାମିଲ ହୋଇଥିବା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ରାଜଗାଙ୍ଗପୁର ବିଧାୟକ ଡ. ରାଜନ ଏକ୍କା, ଆଦିବାସୀ ନେତ୍ରୀ ଆନ୍ନା କୁଜୁର ସମେତ ଶହଶହ ବିକ୍ଷୋଭକାରୀ ଅନଶନରେ ବସି ଯାଇଥିଲେ। ଆଜି ସକାଳେ ବି ସେମିତି ଧାରଣାରେ ବସିଛନ୍ତି ବିକ୍ଷୋଭକାରୀ।

ସୂଚନାଯୋଗ୍ୟ, ରାଜଗାଙ୍ଗପୁର ସ୍ଥିତ ଓସିଏଲ୍ ଇଣ୍ଡିଆ ସିମେଣ୍ଟ କାରଖାନା ଓ ଖଣି ସମ୍ପ୍ରସାରଣ ପାଇଁ ପ୍ରଶାସନର ବେଆଇନ ଜମି ଅଧିଗ୍ରହଣକୁ ବିରୋଧ କରି ଆଦିବାସୀ ୬୦ କିଲୋମିଟର ପଦଯାତ୍ରାରେ ଆସି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଶାସନ ପେସା ଆଇନ ଓ ଗ୍ରାମସଭାକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରି ପ୍ରବଳ ବର୍ଷିଛନ୍ତି। ଏହା ପରେ ଜିଲ୍ଲାପାଳ ବିକ୍ଷୋଭ ସ୍ଥଳକୁ ଆସି ସ୍ମାରକପତ୍ର ନେବାକୁ ଦାବି କରିଥିଲେ ଆନ୍ଦୋଳନକାରୀ। ୧୮ ତାରିଖରୁ ରାଜଗାଙ୍ଗପୁର କେଶ୍ରାମାଲରୁ ବାହାରି ଶହ ଶହ ବିକ୍ଷୋଭକାରୀ ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ପାଖରେ ପହଞ୍ଚିଥିଲେ । ସେହିଠାରେ ସେମାନେ ରାତିରେ ଖୋଲା ଆକାଶ ତଳେ ପ୍ରତିବାଦ ଜାରି ରଖିଛନ୍ତି। ରାଜଗାଙ୍ଗପୁର ବ୍ଲକର ଝଗରପୁର, କେଶରାମାଲ, ଅଲଣ୍ଡା, କୁକୁଡ଼ା ଓ କୁତ୍ରା ବ୍ଲକର ଖଟଙ୍ଗ ପଞ୍ଚାୟତରେ ୭୧୭ ଏକର ଜମି ଅଧିଗ୍ରହଣ କରିବ ଓସିଏଲ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଧ କରିଆସୁଛନ୍ତି ଆଦିବାସୀ।

ସମ୍ବନ୍ଧିତ ଖବର