ସୁନ୍ଦରଗଡ଼ : ପୁନର୍ବାସ, ଥଇଥାନ ସୁବିଧା ଦାବି କରି ଆସୁଥିବା ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଥାପିତ ପରିବାରର ବିବାହିତା ମହିଳା ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ପୁଣି ଧାରଣା ଦେଇଛନ୍ତି। ହେମଗିର ତହସିଲ କର୍ତ୍ତୃପକ୍ଷ ମହିଳାଙ୍କ ବିବାହ ଓ ଅନ୍ୟ ତଥ୍ୟ ସମ୍ପର୍କରେ ଯାଞ୍ଚ ରପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରିବା ପରେ ବି ଉପଯୁକ୍ତ ପଦକ୍ଷେପ ନେବାରେ ପ୍ରଶାସନ ଦିନ ଗଡାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିସ୍ଥାପିତ ମହିଳା ଧାରଣାରେ ବସି ଜିଲ୍ଲାପାଳ କୌଣସି ଲିଖିତ ସ୍ବୀକୃତି ନଦେବା ଯାଏ ଉଠିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ଦାଶରଥି ସରାବୁ ଆସି ମହିଳାମାନଙ୍କ ସହ ଆଲୋଚନା କରି କାଗଜପତ୍ର ପ୍ରସ୍ତୁତି ପାଇଁ ସମୟ ଲାଗିବ ବୋଲି କହିଥିଲେ। କିନ୍ତୁ ମହିଳାମାନେ ଜିଦରେ ଅଟଳ ରହିଛନ୍ତି। ଜିଲ୍ଲାପାଳ ଆସି ଆଲୋଚନା କରନ୍ତୁ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏନଟିପିସି ଡୁଲିଙ୍ଗା କୋଇଲା ଖଣିରେ ଡୁଲିଙ୍ଗା, ମଝାପଡ଼ା, ବେଲଡିହି ଓ ଖପରିକଛାର ଗାଁର ବିସ୍ଥାପିତ ପରିବାରର ବିବାହିତା ଝିଅମାନେ ଥଇଥାନ ଓ ପୁନର୍ବାସ ଦାବିରେ ଦୀର୍ଘ ବର୍ଷେ ହେଲା ବିଭିନ୍ନ ସମୟରେ ପ୍ରତିବାଦ, ଧାରଣା ଦେଇ ଆସୁଛନ୍ତି। କିନ୍ତୁ ପ୍ରଶାସନ ସେମାନଙ୍କ ଦାବିକୁ ଟାଳି ଆସୁଛି। ଏପରିକି ଅନେକ ସମୟରେ ପୁଲିସ ଲଗାଇ ସେମାନଙ୍କ ମୁହଁ ବନ୍ଦ କରିଦେବାକୁ ଚେଷ୍ଟା କରିଆସୁଥିବା ଅଭିଯୋଗ ହୋଇଛି। ଧାରା ୪(୧) ଲାଗୁ ହେବା ପୂର୍ବରୁ ବିସ୍ଥାପନ ନୀତି ଅନୁଯାୟୀ ୧୮ ବର୍ଷ ହୋଇଥିବା ଓ ବିବାହ କରି ନଥିବା ଏ ଝିଅମାନେ ସର୍ବେକ୍ଷଣ ତାଲିକାରେ ସାମିଲ ହୋଇଥିଲେ। ଅର୍ଥାତ ସର୍ବେକ୍ଷଣ ପରେ ସେମାନେ ବିବାହ କରିଥିଲେ। କିନ୍ତୁ ବିଳମ୍ବିତ ବିସ୍ଥାପନ ପ୍ରକ୍ରିୟା ମଧ୍ୟରେ କମ୍ପାନି ଓ ପ୍ରଶାସନ ବିସ୍ଥାପନ ତାରିଖକୁ ବାରମ୍ବାର ପରିବର୍ତ୍ତନ କରି ଅପଡେଟ ନାମରେ ବିବାହ କରୁଥିବା ଝିଅମାନଙ୍କୁ ତାଲିକାରୁ ବାଦ୍ ଦେଇ ଚାଲିଲେ। ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟ ପୁଅ ପରି ଝିଅମାନେ ମଧ୍ୟ ସମାନ ଅଧିକାର ପାଇବେ ବୋଲି ରାୟ ପ୍ରକାଶ କରିବା ଏବଂ ଓଡ଼ିଶା ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ଜିଲ୍ଲାପାଳଙ୍କୁ ପତ୍ର ଲେଖି ପ୍ରାଥମିକ ସର୍ବେକ୍ଷଣ ଓ ଚୂଡ଼ାନ୍ତ ବିସ୍ଥାପନ ପୂର୍ବରୁ ବିବାହ କରିଥିବା ଝିଅମାନେ ୨୦୧୩ ନୀତିରେ କ୍ଷତିପୂରଣ ପାଇବେ ବୋଲି ସୂଚିତ କରିଥିଲେ। ଏହା ସତ୍ତ୍ବେ ଏନଟିପିସି କର୍ତ୍ତୃପକ୍ଷ ପୁନର୍ବାସ ଓ ଥଇଥାନ ସୁବିଧା ଦେବାକୁ ନା କରି ଦେଇଥିଲେ।
ଏହାର ପ୍ରତିବାଦରେ ଜୁଲାଇ ୩୧ ତାରିଖରେ ବିସ୍ଥାପିତ ମହିଳାମାନେ ଖଣି ବନ୍ଦ କରିଥିଲେ। ପରେ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଓ କମ୍ପାନି କର୍ତ୍ତୃପକ୍ଷ ଆନ୍ଦୋଳନସ୍ଥଳରେ ପହଞ୍ଚି ନୀତିନିୟମ ଅନୁସାରେ ସୁବିଧା ଦିଆଯିବ ବୋଲି ବୁଝାଇଥିଲେ। କିନ୍ତୁ ଆନ୍ଦୋଳନର ନେତୃତ୍ବ ନେଉଥିବା ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ଓ ଆନ୍ଦୋଳନକାରୀ ଲିଖିତ ପ୍ରତିଶ୍ରୁତି ଦେବାକୁ ଦାବି କରିଥିଲେ। ଶେଷକୁ ପ୍ରଶାସନ ଓ ଖଣି କର୍ତ୍ତୃପକ୍ଷ ଯୋଗ୍ୟ ଝିଅମାନଙ୍କୁ ନୀତି ଅନୁଯାୟୀ ପୁନର୍ବାସ, ଥଇଥାନ ସୁବିଧା ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ପ୍ରଶାସନର ନିର୍ଦେଶରେ ତହସିଲ କର୍ତ୍ତୃପକ୍ଷ ଅଗଷ୍ଟ ୨୩ରୁ ୨୫ ତାରିଖ ଯାଏଁ ୪ଟି ଗାଁର ୭୦ ମହିଳାଙ୍କ ବିବାହ ପ୍ରମାଣପତ୍ର, ଆଧାର ଓ ଅନ୍ୟ ତଥ୍ୟର ଯାଞ୍ଚ କରିଥିଲେ। ରିପୋର୍ଟ ଲେଖାଯିବା ଯାଏ ଜିଲ୍ଲାପାଳ ଆଲୋଚନାକୁ ଆସି ନାହାନ୍ତି।