ରାଉରକେଲା: ପରିଚାଳନା ଦାୟିତ୍ବ ନେଇ ଆକାଂକ୍ଷା ହଷ୍ଟେଲରେ ପୁଣି ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୂର୍ବରୁ ହଷ୍ଟେଲ ପରିଚାଳନା ଦାୟିତ୍ବ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (ଡବ୍ଲ୍ୟୁଇଓ)ଙ୍କୁ ପ୍ରାଥମିକତା ଦିଆଯାଉଥିଲା। ଛେଣ୍ଡ ହକି ଷ୍ଟାଡିୟମ ସମ୍ମୁଖ ଉଭୟ ଆକାଂକ୍ଷା (ଉଭୟ ବାଳକ ଓ ବାଳିକା)ଦୁଇଟି ହଷ୍ଟେଲ ପରିଚାଳନା ଦାୟିତ୍ବ ଡବ୍ଲ୍ୟୁଇଓ ତୁଲାଉଥିଲେ। ପୂର୍ବରୁ ଡବ୍ଲ୍ୟୁଇଓ ପୂଜା ସାହୁ ଓ ମନୋଜ କୁମାର ଶତପଥୀ ଦାୟିତ୍ବରେ ରହିଥିଲେ। ଏବେ ସେମାନଙ୍କ ସ୍ଥାନରେ ଦୁଇ ଜଣ ଆଶ୍ରମ ବିଦ୍ୟାଳୟ ଶିକ୍ଷକଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି। ନୂଆଗାଁ ବ୍ଲକ ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଅରୁଣ କୁମାର ପଟେଲଙ୍କୁ ବାଳକ ହଷ୍ଟେଲ ଓ ବିଶ୍ରା ବ୍ଲକ ଅନ୍ତର୍ଗତ ଭାଲୁଲତା ଆଶ୍ରମ ବିଦ୍ୟାଳୟର ଏମ୍‌ ପଟେଲଙ୍କୁ ବାଳିକା ହଷ୍ଟେଲ ଦାୟିତ୍ବ ଦିଆଯାଇଛି। ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀ କିଛି ଦିନ ବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି। ଅବଶିଷ୍ଟ ଦିନ ହଷ୍ଟେଲରେ ଦାୟିତ୍ବ ସମ୍ଭାଳୁଛନ୍ତି। ଫଳରେ ଆଦିବାସୀ ଆଶ୍ରମ ବିଦ୍ୟାଳୟରେ ପାଠପଢ଼ା ବ୍ୟାହତ ହେଉଥିଲାବେଳେ ହଷ୍ଟେଲ ପରିଚାଳନାରେ ସମସ୍ୟା ଉପୁଜିଛି। ଅଧିକାରୀ କହୁଛନ୍ତି, ହଷ୍ଟେଲ ଦାୟିତ୍ବରେ ଥିବା ଦୁଇ ଶିକ୍ଷକ ଓ ଶିକ୍ଷୟତ୍ରୀ ଦିନରେ ବିଦ୍ୟାଳୟରେ ପାଠ ପଢ଼ାଇବେ। ସଂଧ୍ୟାରେ ପହଞ୍ଚି ହଷ୍ଟେଲ ଦାୟିତ୍ବ ବୁଝିବେ ଏବଂ ରାତିରେ ରହିବେ। ହେଲେ ଆକାଂକ୍ଷା ହଷ୍ଟେଲରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଦୁଇ ଶିକ୍ଷକ ସପ୍ତାହ ୬ ବିଦ୍ୟାଳୟରେ ଠିକ୍‌ ଭାବେ ପାଠ ପଢ଼ାଇପାରୁନାହାନ୍ତି। ହଷ୍ଟେଲରେ ସପ୍ତାହକ ସାତ ଦିନ ରହୁନଥିବା ଦେଖିବାକୁ ମିଳୁଛି।

Advertisment

ସେପଟେ ହଷ୍ଟେଲରୁ ନୂଆଗାଁ ପ୍ରାୟ ୩୦ କି.ମି. ଓ ବିଶ୍ରା ଭାଲୁଲତା ବିଦ୍ୟାଳୟ ପ୍ରାୟ ୩୫ କି.ମି. ଦୂରରେ ଅବସ୍ଥିତ। ଅପରାହ୍ନ ୪ଟାରେ ବିଦ୍ୟାଳୟ ପାଠପଢ଼ା ସରିବା ପରେ ନିୟମିତ ଏତେଦୂର ଆସି ହଷ୍ଟେଲ ରହିବା କଷ୍ଟକର। ଆଦିବାସୀ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଅବହେଳା କରି ଜିଲ୍ଲା ମଙ୍ଗଳ ଅଧିକାରୀ କେଉଁ ସ୍ବାର୍ଥରେ ଏମାନଙ୍କୁ ଆକାଂକ୍ଷା ହଷ୍ଟେଲରେ ପରିଚାଳନା ଦେଇଛନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ଉଭୟ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଆକାଂକ୍ଷା ହଷ୍ଟେଲର ଶୃଙ୍ଖଳିତ ପରିଚାଳନା ପାଇଁ ସଠିକ୍‌ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ନ ହେଲେ ପୂର୍ବପରି ଆକାଂକ୍ଷା ହଷ୍ଟେଲ ପରିଚାଳନାକୁ ନେଇ ପୁଣି ବିବାଦ ଉପୁଜିପାରେ, ଏଥିରେ ଦ୍ବିମତ ନାହିଁ। ଏ ସଂକ୍ରାନ୍ତରେ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ଡବ୍ଲ୍ୟୁଇଓଙ୍କୁ ଦାୟିତ୍ବ ଦେବାର ସେମିତି ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ନାହିଁ। ଯେଉଁ ଦୁଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ଦିନରେ ଆଶ୍ରମ ବିଦ୍ୟାଳୟରେ ପାଠ ପଢ଼ାଇବେ। ରାତିରେ ହଷ୍ଟେଲରେ ରହିବେ।