କୋଇଡ଼ା: ପୁଣିଥରେ ସାମ୍ନାକୁ ଆସିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରାଚୁର୍ଯ୍ୟଭରା ଅଞ୍ଚଳ କୋଇଡ଼ାର ବାସ୍ତବ ଚିତ୍ର। ବ୍ଲକ ଠାରୁ ମାତ୍ର ୮ କିଲୋମିଟର ଦୂର ଗାଁ କୁ ଆସିପାରିଲାନି ଆମ୍ବୁଲାନ୍ସ। ଚେୟାରରେ ବୁହାହେଲେ ହାତୀ ଆକ୍ରମଣର ଶିକାର ଗୁରୁତର ମହିଳା। ବନ ବିଭାଗ କର୍ମଚାରୀଙ୍କ ଅବହେଳା ସହ ସରକାରୀ ଯୋଜନାର ସଫଳ ରୂପାୟନ ନେଇ ପୁଣିଥରେ କାଠଗଡ଼ାରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହ ରାଜ୍ୟ ସରକାର।
କୋଇଡ଼ା ବ୍ଲକର ବେତଝର ଗାଁରେ ହାତୀ ଆକ୍ରମଣର ଶିକାର ଜଣେ ଗୁରୁତର ମହିଳାଙ୍କୁ ଖଟିଆରେ ବୋହି ବୋହି ଡାକ୍ତରଖାନା ନେଇଛନ୍ତି ସ୍ଥାନୀୟ ଲୋକ। କାରଣ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ, ଅଟକିଲା ଅଧା ବାଟରେ। ମିଳିଥିବାସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଶିକାର ହୋଇ ଗୁରୁତର ହୋଇଥିଲେ ମହିଳା ସୁନୀତା ମୁଣ୍ଡା। ହାତୀ ଆକ୍ରମଣ କରି ୫ଟି ଘର ଭାଙ୍ଗିବା ସହ ମହିଳାଙ୍କୁ ଟେକି ଫୋଫାଡ଼ି ଦେଇଥିଲା। ଶୁକ୍ରବାର ରାତିରୁ ଏ ଘଟଣା ଘଟିଥିବା ବେଳେ ରବିବାର ପର୍ଯ୍ୟନ୍ତ ଦେଖା ନଥିଲା ବନବିଭାଗ କର୍ମଚାରୀଙ୍କର । ଏପରିକି ଚିକିତ୍ସା ପାଇଁ ଡାକ୍ତରଖାନା ମଧ୍ୟ ନିଆଯାଇନଥିଲା ମହିଳାଙ୍କୁ।
ରବିବାର ଦିନ ଖବର ପାଇ ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ବେତଝର ଗାଁରେ ପହଞ୍ଚିଥିଲେ। ମହିଳାଙ୍କ ଅବସ୍ଥା ଦେଖି ସେମାନେ ଡାକିଥିଲେ ଆମ୍ବୁଲାନ୍ସ। କିନ୍ତୁ ଦୁର୍ଭାଗ୍ୟ କୋଇଡା ବ୍ଲକ ଠୁ ମାତ୍ର ୮ କିଲୋମିଟର ଦୂରରେ ଥିବା ଗାଁ ଭିତରକୁ ଯାଇ ପାରିନଥିଲା ଆମ୍ବୁଲାନ୍ସ। ରାସ୍ତା ନଥିବାରୁ ଅଧାରୁ ଅଟକିଥିଲେ ଆମ୍ବୁଲାନ୍ସ ଡ୍ରାଇଭର। ଶେଷରେ ବାଧ୍ୟ ହୋଇ ମହିଳାଙ୍କୁ ପ୍ଲାଷ୍ଟିକ ଚେୟାରରେ ବସାଇ ଦଉଡ଼ିରେ ବାନ୍ଧି ବୋହି ଆଣିଥିଲେ ସ୍ଥାନୀୟ ଲୋକେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-13.png)