ରାଉରକେଲା(ମଳୟ ରଞ୍ଜନ ସାହୁ): ଆଜିକୁ ୮୭ ବର୍ଷ ତଳେ ଅର୍ଥାତ୍‌ ୨୫ ଏପ୍ରିଲ ୧୯୩୯। ଦେଶର ଦ୍ବିତୀୟ ଜାଲିଆନାୱାଲାବାଗ୍‌ ଭାବେ ପରିଚିତ ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଆମ୍‌କୋ ସିମ୍‌କୋ ଘଟଣା ମନେପକାଇଲେ ଲୋମ ଟାଙ୍କୁରି ଉଠେ। ଜନ୍ମଗତ ଅଧିକାର ଖୁଟିକାଟି (କର) ପ୍ରଥାକୁ ବିରୋଧ କରି ସହିଦ ହୋଇଥିଲେ ୪୯ ନିରୀହ ଆଦିବାସୀ। ଆମ୍‌କୋ ସିମ୍‌କୋରେ ଇଂରେଜମାନଙ୍କ ଆଖିବୁଜା ଗୁଳିଚାଳନାରେ ଟଳିପଡିଥିଲେ ଜଣେ ପରେ ଜଣେ ନିରୀହ ଆଦିବାସୀ। ରକ୍ତରେ ଭିଜିଥିଲା ଆମ୍‌‌କୋ ସିମ୍‌କୋ ପଡ଼ିଆ। ୮୭ ବର୍ଷ ପରେ ଏହି ଐତିହାସିକ ସ୍ମୃତିପୀଠ ଆଜି ବି ଅବହେଳିତ। ଦୀର୍ଘଦିନ ଦାବି ପରେ  ରାଜ୍ୟପର୍ଯ୍ୟଟନ ତାଲିକାରେ ଯୋଡ଼ିହୋଇଛି। ଯେତିକି ବିକାଶ ହେବା କଥା, ତା’ ହୋଇପାରିନି। ପ୍ରତିବର୍ଷ ଏପ୍ରିଲ ୨୫ ଶ୍ରଦ୍ଧାଞ୍ଜଳି ଦିନ ସାଂସଦ, ବିଧାୟକ ଓ ଜିଲ୍ଲାପ୍ରଶାସନର ବିକାଶ କଥା ମନେପଡୁଛି। ପରବର୍ତ୍ତୀ ସମୟରେ ସମସ୍ତେ ଭୁଲିଯାଉଛନ୍ତି। କେବଳ ଏତିକି ନୁହେଁ, ପର୍ଯ୍ୟଟନ ମାନ୍ୟତା ପାଇବା ପରେ ରାଜ୍ୟ ସରକାର ସ୍ମୃତିପୀଠର ବିକାଶ ପାଇଁ ୬୦ ଲକ୍ଷ ମଞ୍ଜୁର କଲେ। ସ୍ମୃତିଫଳକ, ପ୍ରବେଶ ଫାଟକ ସମେତ ଅନ୍ୟ କିଛି କାମ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ କେନ୍ଦ୍ର ପାଣ୍ଠିରୁ  ୩ କୋଟି ୯୯ ଲକ୍ଷ ୫୭ ହଜାର, ରାଜ୍ୟ ପାଣ୍ଠିରୁ  ୮୦ ଲକ୍ଷ ମଞ୍ଜୁରି ହେଲା। ସହିଦ ସ୍ମୃତିପୀଠର ପାଚେରି, ସ୍ମୃତିସ୍ତମ୍ଭ, ଗେଷ୍ଟ ହାଉସ୍‌, ପ୍ରେକ୍ଷାଳୟ ଓ ପାର୍କ ଆଦି ନିର୍ମାଣ ହେଲା। ସ୍ମତିପୀଠକୁ ଆକର୍ଷଣୀୟ କରିବାକୁ କଲିକତାରୁ କାର୍ପେଟ ଗ୍ରାସ୍‌ (ଘାସ) ଓ  ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ପ୍ରକାର ସୁନ୍ଦର ଫୁଲଗଚ୍ଛ ଅଣାଯାଇଥିଲା।

Advertisment

ଏପରି ଭାବେ ପାର୍କ ସୌନ୍ଦର୍ଯ୍ୟକରଣରେ  ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ। ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣକୁ ଆଦୌ ଧ୍ୟାନ ଦିଆଗଲାନି। ସୁନ୍ଦର ଦିଶୁଥିବା ପାର୍କ ମାତ୍ର କିଛି ଦିନରେ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି। କେବଳ ଏତିକି ନୁହେଁ ୧୯୯୦ ଏପ୍ରିଲ ୨୫ରେ ପୂର୍ବତନ ସାଂସଦ ସ୍ବର୍ଗତା ଫ୍ରିଡା ଟପ୍ନୋଙ୍କ ଉପସ୍ଥିତିରେ ତତ୍କାଳୀନ ରାଜ୍ୟ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଗଜାଧର ମାଝି ସହିଦ ସ୍ମୃତି ପାଠାଗାର ଉଦ୍‌ଘାଟନ କରିଥିଲେ। ତା’ ଏବେ ସମ୍ପୂର୍ଣ୍ଣ ଖଣ୍ଡର ଅବସ୍ଥାରେ ପଡିଛି। ଜିଲ୍ଲାର ଖଣ୍ଡାଧାର, ମନ୍ଦିରାଡ୍ୟାମ୍‌, ବେଦବ୍ୟାସ, ଦର୍ଜିଂ, ଘୋଘରଧାମ, ଦେଓଧର, ଛତ୍ରିହିଲ ଏମିତି ୧୨ ପର୍ଯ୍ୟଟନସ୍ଥଳକୁ ପ୍ରତିବର୍ଷ  ୧୫ରୁ ୩୨ ହଜାର ପର୍ଯ୍ୟଟକ ବୁଲି ଆସୁଛନ୍ତି।

ଆହୁରି ପଢନ୍ତୁ: Crypto: କ୍ରିପ୍ଟୋରେ ବିନିଯୋଗ ନାଁରେ ସାଢ଼େ ୩ କୋଟି ଠକେଇ: ଅଭିଯୁକ୍ତକୁ ବାନ୍ଧିଲା ଛେଣ୍ଡ ପୁଲିସ, ଦେଶରେ ରହିଛି ମୋଟ ୯୬ ମାମଲା

ହେଲେ ଜିଲ୍ଲାର ଐତିହାସିକ ସହିଦ ସ୍ମୃତିପୀଠକୁ  ବର୍ଷକୁ ମାତ୍ର ହାତଗଣତି ୩ ରୁ ୪ ହଜାର ପର୍ଯ୍ୟଟକ ବୁଲି ଆସୁଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୨୦ରେ ଆମ୍‌କୋ ସହିଦ ସ୍ମୃତିପୀଠକୁ  ୩,୨୨୭, ୨୦୨୧ରେ  ୪,୨୬୯, ୨୦୨୨ରେ  ୪,୩୯୭, ୨୦୨୩ରେ ୪,୯୧୫, ୨୦୨୫ରେ ସର୍ବାଧିକ ୫,୦୮୩ ପର୍ଯ୍ୟଟକ ଆସିଛନ୍ତି। ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରିଥିବା  ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ବିଭାଗୀୟ ଅଧିକାରୀ ଏସ୍. ପଟ୍ଟନାୟକ କହିଛନ୍ତି ରକ୍ଷଣାବେକ୍ଷଣ ଖୁବ୍‌ଶୀଘ୍ର ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ। ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସତ୍ବେ ସହିଦ ସ୍ମୃତିପୀଠ କାହିଁକି ଅବହେଳିତ ଅବସ୍ଥାରେ ପଡିଛି, ସରକାର ତା’ର ତଦନ୍ତ କରିବାର ଆବଶ୍ୟକତା ରହିଛି।