ସୁନ୍ଦରଗଡ଼: ଗତକାଲି ନିଜ ଜନ୍ମ ମାଟି ସଉନାମୁରାରେ ସମ୍ବର୍ଦ୍ଧିତ ହେଲା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ତାରକା ତଥା ଲିମ୍ପିଆନ ସୁନ୍ଦରଗଡ଼ ମାଟିର ଗର୍ବ ଓ ଗୌରବ ଅମିତ୍ ରୋହିଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମେ ସ୍ଥାନୀୟ ସର୍କିଟ ହାଉସରୁ ଏକ ଶୋଭାଯାତ୍ରାରେ ଅମିତଙ୍କୁ ଏକ ଖୋଲା ଜିପରେ ଆଦିବାସୀ ନୃତ୍ୟ ଗୀତର ତାଳେ ତାଳେ ସହର ପରିକ୍ରମା କରି ବିକାଶ ଭବନ ଠାରେ ଏକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଜିଲ୍ଲାପାଳମନୋଜ ମହାଜନ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ (ପ୍ରଶାସନ), ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ (ରାଜସ୍ବ), ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୁଃଖବନ୍ଧୁ ନାୟକ ପ୍ରମୁଖ ଅମିତଙ୍କ ସଂଘର୍ଷ ଓ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜୁ ବୋଲି କହିଥିଲେ।ଏ ମାଟିର ସୁଯୋଗ୍ୟ ସନ୍ତାନ ଅମିତ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି ବୋଲି ବକ୍ତାମାନେ କହିବା ସହ ଅମିତଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ। ଏହି ଅବସରରେ ଅମିତ ନିଜ ପିଲାଦିନର ଦାରିଦ୍ର୍ୟ ଓ ସଂଘର୍ଷ ପରେ ହକିରେ ମିଳିଥିବା ସଫଳତା ସମ୍ପର୍କରେ କହିଥିଲେ। ଆଗକୁ ୨୦୨୮ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଆଣିବା ଆମର ଲକ୍ଷ୍ୟ ରହିବ ବୋଲି କହିଥିଲେ। ସଭାରେ ଅମିତଙ୍କ ହକି ଜୀବନର ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। 

Advertisment

ଏହା ପୂର୍ବରୁ ସର୍କିଟ ହାଉସଠାରେ କିଛି ସମୟ ଅବସ୍ଥାନ ସମୟରେ ଜିଲ୍ଲାପାଳ ଶ୍ରୀ ମହାଜନ ଯାଇ ଅମିତଙ୍କୁ ଫୁଲ ତୋଡ଼ା ଦେଇ ସ୍ବାଗତ ଜଣାଇଥିଲେ। ତା ପରେ ଅନେକ ହକି ପ୍ରେମୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଫୁଲ ତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ।