ଲେଫ୍ରିପଡ଼ା (ସୁନ୍ଦରଗଡ଼): ସମଗ୍ର ବିଶ୍ବର ପ୍ରତ୍ନତାତ୍ବିକ ମାନଚିତ୍ରରେ ସୁନ୍ଦରଗଡ଼ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରାଗ୍ ଐତିହାସିକ ଶୈଳାଶ୍ରୟ, ଗଡ଼, ଦୁର୍ଗ ଓ ଗୁମ୍ଫା ଗୁଡ଼ିକ ହଜାର ହଜାର ବର୍ଷର କାହାଣୀ, କିମ୍ବଦନ୍ତୀ ଓ ଇତିହାସକୁ ବହନ କରିଛନ୍ତି। ତନ୍ମଧ୍ୟରୁ ଉଷାକୋଠି ଅନ୍ୟତମ। ଲେଫ୍ରିପଡ଼ା ବ୍ଲକ୍ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତରେ ଏହା ଅବସ୍ଥିତ। ଜିଲ୍ଳାର ପର୍ଯ୍ୟଟନ ବିଭବ ମଧ୍ୟରୁ ଉଷାକୋଠିର କାହାଣୀ ଓ ଅବସ୍ଥିତି ଭିନ୍ନ। ଐତିହାସିକ ଓ ସାଂସ୍କୃତିକ ତଥା କିମ୍ବଦନ୍ତୀ ଭରା ଉଷାକୋଠି ଶୈଳାଶ୍ରୟ ସରକାରଙ୍କ ଦୃଷ୍ଟି ଅଭାବରୁ ସଂପ୍ରତି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବାବେଳେ ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲାପ୍ରଶାସନର ଦୃଷ୍ଟି ପଡ଼ୁ ନ ଥିବାରୁ ଐତିହାସିକ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସୁନ୍ଦରଗଡ଼ ସହରରୁ ଏହି ସ୍ଥାନର ଦୂରତା ପ୍ରାୟ ୪୭ କି.ମି. ହୋଇଥିବାବେଳେ ଏହା ଲେଫ୍ରିପଡ଼ା ଥାନା ଅଧୀନସ୍ଥ ଏକ ପର୍ବତମାଳା ମଧ୍ୟରେ ଅବସ୍ଥିତ। ଲେଫ୍ରିପଡ଼ାରୁ ଏହି ସ୍ଥାନର ଦୂରତ୍ବ ମାତ୍ର ୨୦ କି.ମି. ହେବ। ପ୍ରାୟ ୧୫୦ ଫୁଟ ଉଚ୍ଚତା ଓ ୨୦୦ ଫୁଟ ଲମ୍ବ ବିଶିଷ୍ଟ ଏହି ଗୁମ୍ଫାର ଭୂମିଶଯ୍ୟା ଓ ଭିତର କାନ୍ଥରେ ବର୍ଗାକାର ଏବଂ ବୃତ୍ତାକାର ଛିଦ୍ର ସବୁ ରହିଥିବା ସ୍ଥଳେ ପୁରାତନ ପ୍ରସ୍ତର ଯୁଗର ଚିତ୍ରକଳା ଓ ଖୋଦେଇ କଳାର ନିଦର୍ଶନ ଦେଖିବାକୁ ମିଳେ। ଏହି ଗୁରୁତ୍ବପୂର୍ଣ୍ଣ ଆବିଷ୍କାର ଏହି ଅଞ୍ଚଳର ଆଦି ଐତିହାସିକ ସଂସ୍କୃତି ସମ୍ବନ୍ଧରେ ସୂଚନା ଦେଇଥାଏ। ଏହି ଶ୍ରେଳାଶ୍ରୟ ସହିତ ବହୁ ପ୍ରାଚୀନ ଇତିହାସ ଏବଂ ଶିଳାଚିତ୍ର ଓ କଳା ରହିଥିବା ଯୋଗୁଁ ଆଗେ ଦେଶ ବିଦେଶରୁ ଗବେଷକ ମାନେ ଆସି ଏସବୁ ଉପରେ ଗବେଷଣା କରୁଥିଲେ। ଦୁର୍ଗମ ପାହାଡ଼ି ଇଲାକାରେ ଏହା ରହିଥିବାବେଳେ ଏବେ ରାସ୍ତାଘାଟର ସୁବିଧା ହେଲାଣି। କିନ୍ତୁ ଯେତେବେଳେ ପାଦଚଲା ରାସ୍ତା ଥିଲା ,ସେତେବେଳେ ଐତିହାସିକ, ପ୍ରତତାତ୍ତ୍ବିକ ଏବଂ ଗବେଷକମାନେ ପାଦରେ ଚାଲିଚାଲି ଓ ସାଇକେଲରେ ଏଠାକୁ ଆସି ନିଜର ଗବେଷଣା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜନଶ୍ରୁତି ଅନୁସାରେ ଏଠାକୁ ବନବାସ ସମୟରେ ଭଗବାନ ରାମ, ଲକ୍ଷ୍ମଣ ଓ ସୀତା ଆସିଥିଲେ। ଏଠାରେ ସେମାନେ କିଛିଦିନ ଅବସ୍ଥାନ କରିଥିବା ସ୍ଥଳେ ସେମାନଙ୍କ କିଛି ସ୍ମୃତି ଦେଖିବାକୁ ମିଳିଥାଏ। ସୀତା ଦେବୀ ରୋଷେଇ କରୁଥିବା ଚୁଲି ଅଦ୍ୟାବଧି ବିଦ୍ୟମାନ ରହିଛି। ନିକଟରେ ଅନୁଜ ଲକ୍ଷ୍ମଣଙ୍କ ପଦ ଚିହ୍ନ ରହିଥିବା ବେଳେ ନିକଟରେ ଥିବା ଏକ ଗାଁ ସେହି ଅନୁସାରେ ଲକ୍ଷ୍ମଣ ପା’ ହୋଇଛି। ଏହି ପାର୍ବତ୍ୟାଞ୍ଚଳ ତିନୋଟି ପର୍ବତକୁ ନେଇ ଗଠିତ ହୋଇଥିବା ବେଳେ ପୂର୍ବ ପାର୍ଶ୍ବସ୍ଥିତ ପର୍ବତ ଉଷାକୋଠି ନାମରେ ପରିଚିତ। ଏହାକୁ ଅନେକ ଏକ ଶୈଳାଶ୍ରୟ ଭାବେ ଅଭିହିତ କରିଥାନ୍ତି। ମଝିରେ ନନ୍ଦି ପାହାଡ଼। ଏହି ପାହାଡ଼ରେ ଏକ ପ୍ରକାର ଛୋଟ ଗୋଳାକାର ପଥର ସବୁ ଦେଖିବାକୁ ମିଳିଥାଏ। ଯାହାକୁ ଭାଙ୍ଗିଦେଲେ ସିନ୍ଦୁର ରଙ୍ଗର ଗୁଣ୍ତ ବାହାରିଥାଏ। ତେଣୁ ଲୋକେ ଏହି ପଥରକୁ ସୀତାଦେବୀଙ୍କ ‘ସିନ୍ଦୁର ଫରୁଆ’ ବୋଲି ଆଖ୍ୟା ଦେଇଛନ୍ତି।
ପଶ୍ଚିମରେ ଥିବା ପର୍ବତ ଉପରେ ଭଗବାନ ଶ୍ରୀରାମ ଦେବ ଦେବ ମହାଦେବଙ୍କୁ ଆରାଧନା କରୁଥିଲେ ବୋଲି ଲୋକକଥାରୁ ଶୁଣିବାକୁ ମିଳେ। ଏହାକୁ ନଜରରେ ରଖି ଅଳବାସୀଙ୍କ ଉଦ୍ୟମରେ ଏହି ପାହାଡ଼ ଉପରେ ଏକ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଛି। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ସହିତ ଶିବରାତ୍ରିରେ ଏଠାରେ ମେଳା ବସିବା ସହିତ ସଂକୀର୍ତ୍ତନ ନାମ ଯଜ୍ଞ ଆଦି କରାଯାଇ ଏହାର ସୁରକ୍ଷା ଏବଂ ଲୋକପ୍ରିୟତା ପାଇଁ ସ୍ଥାନୀୟ ଅଧିବାସୀ ଉଦ୍ୟମ ଜାରି ରଖିଛନ୍ତି। ସ୍ଥାନୀୟ ପ୍ରାକୃତିକ ପରିବେଶ ବେଶ୍ ମନୋରମ ହୋଇଥିବା ବେଳେ ଏହା ବାସ୍ତବିକ ରୁଦ୍ର ସୁନ୍ଦରର ମଧୁର ସମାବେଶ। ଉଷାକୋଠିକୁ ରାଜ୍ୟ ପର୍ଯଟନ ବିଭାଗ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ ସୁଦ୍ଧା ଏହାର ଆବଶ୍ୟକ ବିକାଶ ଓ ସୁରକ୍ଷା ପ୍ରତି ଗୁରୁତ୍ବ ଦେଉ ନାହାନ୍ତି। ଏହି ଶୈଳାଶ୍ରୟ ଟି ଯେତିକି ପୁରୁଣା ହୋଇ ଯାଉଛି, ସେତିକି ଏହାର ଐତିହାସିକ ଶିଳା ଲେଖ ଏବଂ କଳାକୃତି ନଷ୍ଟ ହେବାରେ ଲାଗିଛି। ଏହି ପାହାଡ଼ରୁ ନିକଟ ଅତୀତରେ ଏକ ବିଶାଳ ପ୍ରସ୍ତର ଖଣ୍ତ ଧସି ପଡ଼ିଥିବା ନଜିର ରହିଛି। ତେବେ ପ୍ରାଚୀନ ଏୗତିହ୍ୟ ଏବଂ ଶିଳାଲେଖ ଓ ଚିତ୍ରକଳାର ସୁରକ୍ଷା ସହିତ ଏହାକୁ ସଂପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବାକୁ ସାଧାରଣରେ ଦାବି ହେଉଛି।