ଲେଫ୍ରିପଡ଼ା: ସମଗ୍ର ଜିଲ୍ଲାରେ ଅଙ୍ଗନବାଡ଼ି କୋଠା ଗୁଡ଼ିକ ଆଧୁନିକୀକରଣ କରାଯାଉଥିବାବେଳେ ଏ ନେଇ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍‌ବାଡସି ପକ୍ଷରୁ ବିପୁଳ ଅନୁଦାନ ମଧ୍ୟ ମଞ୍ଜୁର ହୋଇଛି। ତେବେ ଲେଫ୍ରିପଡା ବ୍ଲକ୍‌ର ଅନେକ କେନ୍ଦ୍ରରେ ବାଲା ମୋଡେଲ ନିର୍ମାଣ ଅଧାପନ୍ତରିଆ ପଡ଼ିରହିଥିବାବେଳେ ନବ ନିର୍ମିତ କୋଠା ସବୁ ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇପାରିନି। ଏହାଛଡା କେତେକ ପଞ୍ଚାୟତରେ ଅଙ୍ଗନବାଡ଼ି କୋଠା ନ ଥିବା ତଥା ବିପଦଶଙ୍କୁଳ ଘର ରହିଥିବାରୁ କର୍ମୀମାନେ ବାରଦ୍ବାର ଶୁଣ୍ଢିପିଣ୍ଡା ହୋଇ ଘୋର ସମସ୍ୟାରେ କରିବା କେନ୍ଦ୍ର ପରିଚାଳନା କରୁଥିବା ପରିଲକ୍ଷିତ ହେଉଛି। ଲେଫ୍ରିପଡା ବ୍ଲକ୍‌ରେ ମୋଟ ୨୪୦ଟି ଅଙ୍ଗନବାଡ଼ି ମଧ୍ୟରୁ ଏବେ ପ୍ରାୟ ୩୨ ଟି ଭଡ଼ା ଘରେ, ୨୫ ଟି କମ୍ୟୁନିଟି ସେଣ୍ଟରରେ, ୨ଟି ଏଏନ୍ଏମ୍ ସେଣ୍ଟରରେ ଏବଂ ୧୯ ଟି ବିଭିନ୍ନ ସ୍କୁଲ ମଧ୍ୟରେ ଚାଲିଛି। ୨୮ ଟି କୋଠା ସଂପୂର୍ଣ୍ଣ ବିପଦଶଙ୍କୁଳ ରହିଥିବାବେଳେ ଏବେ ବ୍ଲକ୍ ଜରିଆରେ ୩୨ ଟି ନୂଆ କୋଠାର ନିର୍ମାଣ ହୋଇସରିଥିବାବେଳେ ତନ୍ମଧ୍ୟରୁ ମାତ୍ର ୬ଟି ହସ୍ତାନ୍ତର ହୋଇଛି। ବାକି କୋଠା ଗୁଡ଼ିକରେ ବାଲାମୋଡେଲ କାମ ଧିମାରେ ଚାଲିଥିବାରୁ ଅଟକି ରହିଛି।

Advertisment

ଏନେଇ ବ୍ଲକ୍ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବି. ଭୋଇଙ୍କୁ ପଚରାଯିବାରୁ ସେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ୧୮ ରୁ ୬ କୋଠା ହସ୍ତାନ୍ତର ହୋଇସାରିଥିବାବେଳେ ଆଉ ୧୨ଟି ମଧ୍ୟ ଖୁବ୍ ଶୀଘ୍ର ହସ୍ତାନ୍ତର କରାଯିବ ବୋଲି କହିଥିଲେ। କିନ୍ତୁ ବ୍ୟୟ ଅଟକଳ ଜନିତ ବୈଷୟିକ ମଞ୍ଜୁରି ନେଇ ୧୩ ଟି କୋଠାର ବାଲା ମୋଡେଲିଂରେ ଟିକିଏ ବିଳମ୍ବ ହେବା ସମ୍ଭାବନା ରହିଛି ସତ, କିନ୍ତୁ ବ୍ଲକ୍‌ସ୍ତରରେ ଶୀଘ୍ର ସଂପୂର୍ଣ୍ଣ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯିବ ବୋଲି କହିଥିଲେ।
ଏହାଛଡ଼ା ଉପାନ୍ତ ଅଲାପକା, ରାଜବାହାଲ, ସରଫଗଡ଼ ପଞ୍ଚାୟତ ସମେତ ଗିରିଙ୍ଗକେଲା, ରାଏବଗା ଏବଂ ରାଏଡିହି ପଞ୍ଚାୟତରେ ସଂଖ୍ୟାଧିକ କେନ୍ଦ୍ର ବିପଦଶଙ୍କୁଳ ସ୍ଥିତିରେ ରହିଥିବା ସ୍ଥଳେ ହୁର୍ମେଇ, ଅଲାପକା, ରାଜବାହାଲ ଆଦି ପଞ୍ଚାୟତ ମାନଙ୍କରେ ଅଙ୍ଗନବାଡି ଓ ମିନି ଅଙ୍ଗନବାଡିଗୁଡିକର କୋଠା ନ ଥିବାରୁ କର୍ମୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟ ହୋଇ ପରଘର ବାରଣ୍ଡାରେ ପାଠ ପଢାଉଛନ୍ତି। ଫଳରେ କୋମଳମତି ଶିଶୁମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଏଭଳି ସ୍ଥିତିରେ ପ୍ରାକ୍ ଶିକ୍ଷା, ସ୍ବାସ୍ଥ୍ୟ ପରୀକ୍ଷା, ପ୍ରତିଷେଧକ ବ୍ୟବସ୍ଥା, ପରିପୂରକ ପୁଷ୍ଟି ସାଧନ, ଗର୍ଭବତୀ ମା ଙ୍କୁ ବିଭିନ୍ନ ପରାମର୍ଶ ଓ ଶିକ୍ଷା ସମେତ ଆହୁରି ଅନେକ କାର୍ଯ୍ୟ କରିବା ମୁସ୍କିଲ ହୋଇ ପଡୁଛି। ଏଥିପାଇଁ ସେମାନଙ୍କୁ ବାରଦୁଆର ଶୁଣ୍ଢିପିଣ୍ଢା ହେବାକୁ ପଡୁଥିବାବେଳେ ଭଙ୍ଗା ଅଙ୍ଗନବାଡ଼ି ହେଉକି ପରଘର ବାରଣ୍ଡାରେ ବହୁକଷ୍ଟରେ ବସି କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଳୁଛି।