ସୁନ୍ଦରଗଡ଼: ‘ମାତୃ ଦିବସ, ଅର୍ଥାତ ମା’ ପାଇଁ ଦିନଟିଏ। ଏହି ଧାଡ଼ିଟିର ଯଥାର୍ଥତା ମୁଁ ଖୋଜି ପାଇଲି ନାହିଁ। ସତରେ କ’ଣ ଆମେ ପୁଅମାନେ ଏତେ କର୍ମବ୍ୟସ୍ତ, ଯେ ମା’କୁ ମନେ ପକାଇବା ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଦିନଟିଏ ଆବଶ୍ୟକ ? ପ୍ରକୃତରେ ଅମୂଲ ମୂଲ ମା’ଙ୍କୁ ମନେ ପକାଇବା ପାଇଁ ତ ପୁଅର ସାରା ଆୟୁଷ ବି ନିଅଣ୍ଟ’। ମା’ଙ୍କ ଭାରତ ଦର୍ଶନ ଇଚ୍ଛାକୁ ପୂରଣ କରିବା ପାଇଁ ପୁରୁଣା ସ୍କୁଟର ଧରି ବାହାରି ପଡ଼ିଥିବା ଜଣେ ପୁଅ ମହୀଶୂରର ଡି. କ୍ରୀଷ୍ଣା କୁମାର ମାତୃ ଦିବସ ସମ୍ପର୍କରେ ଏହି ମତ ରଖନ୍ତି। ବେଙ୍ଗାଲୁରୁ ଠାରୁ କ୍ରୀଷ୍ଣା କୁମାର ନିଜ ମା’ ଚୂଡ଼ାରତ୍ନାଙ୍କ ସହ ଦୀର୍ଘ ୩୬ ହଜାର ୭୮୫ କିଲୋମିଟର ପଥ ଅତିକ୍ରମ କରି ଆଜି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ପୁରାଣ ଯୁଗରେ ଶ୍ରବଣ କୁମାର ନିଜ ଅନ୍ଧ ପିତାମାତାଙ୍କୁ ଭାରରେ ବୋହି ଚାରିଧାମ ଦର୍ଶନ କରାଇଥିବା କଥା ସମସ୍ତେ ଶୁଣିଛନ୍ତି। କିନ୍ତୁ ଏ ଯୁଗରେ ମା'ମାନେ ପୁଅ ଠାରୁ ଅଲୋଡ଼ା ହୋଇ ବୃଦ୍ଧାଶ୍ରମରେ ଲୁହ ଝରାଉଥିବାର ଅନେକ ଦୃଷ୍ଟାନ୍ତ ଆମ ଆଖି ଆଗରେ ଥିବା ବେଳେ ମହୀଶୂରର କ୍ରୀଷ୍ଣାକୁମାର ବାପାଙ୍କ ୨୦ ବର୍ଷର ପୁରୁଣା ସ୍କୁଟରରେ ମା'ଙ୍କୁ ଭାରତ ଦର୍ଶନ କରାଇବାର ବିରଳ ତଥା ଦୃଢ଼ ସଂକଳ୍ପ ନେଇ ବାହାରି ପଡ଼ିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସବୁଠାରୁ ବଡ଼ କଥା ହେଲା ମା'ଙ୍କ ଇଚ୍ଛା ପୂରଣ ପାଇଁ ସେ ବିବାହ କରି ନଥିବା ବେଳେ ନିକଟରେ କମ୍ପାନି ଚାକିରିକୁ ମଧ୍ୟ ପରିତ୍ୟାଗ କରିଛନ୍ତି। ୪୦ ବର୍ଷିୟ କ୍ରୀଷ୍ଣାକୁମାର ମା' ଚୁଡ଼ାରତ୍ନାଙ୍କ ୨ ଝିଅରେ ଏକ ମାତ୍ର ପୁଅ ହୋଇଥିବା ବେଳେ ମା' ହିଁ ତାଙ୍କର ପରିଚୟ ବୋଲି କହନ୍ତି। ସାନ ବେଳେ ସେ ମା'ଙ୍କ ପରିଶ୍ରମକୁ ପାଖରୁ ଦେଖିଥିଲେ। ସକାଳ ୫ଟାରୁ ଉଠି ଘର କାମ କରୁଥିବା ମା' ରାତି ୧୧ଟାରେ ସମସ୍ତେ ଖାଇପାଇ ଶୋଇଯିବା ପରେ ଯାଇ ଟିକିଏ ବିଶ୍ରାମ ନେଉଥିଲେ। ମା'ଙ୍କ ଶକ୍ତି ଦେଖି ସେ ତାଜୁବ ହୋଇ ଯାଉଥିଲେ। ଘରୁ ବାହାରିବାକୁ ମା'ଙ୍କୁ ଟିକିଏ ବି ଫୁରସତ୍ ମିଳୁ ନଥିଲା। ଏହା ମଧ୍ୟରେ କ୍ରୀଷ୍ଣା ୨୦୦୬ରେ ବାଙ୍ଗାଲୁରୁର ଏକ କର୍ପୋରେଟ୍ ହାଉସ୍ରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଥିଲେ। ୨ ଭଉଣୀଙ୍କ ବିବାହ ହୋଇଯିବା ପରେ ୪ ବର୍ଷ ତଳେ ବାପାଙ୍କ ଦେହାନ୍ତ ହୋଇଗଲା। ଏହା ପରେ ଘରେ ମା'ପୁଅ ଦୁଇ ପ୍ରାଣୀ। ତେଣୁ ୨୦୧୫ରେ ସେ ମା'ଙ୍କୁ ବେଙ୍ଗାଲୁରୁ ନିଜ ପାଖକୁ ନେଇଗଲେ। ସେଇଠି ମା' କର୍ଣ୍ଣାଟକର ବେଲୁରୁରେ ଥିବା ଚିନ୍ନାକେଶବା ବିଷ୍ଣୁ ମନ୍ଦିରର ଦର୍ଶନ ଇଚ୍ଛା ପ୍ରକାଶ କରିଥିଲେ। ଚିନ୍ନାକେଶବା ଦର୍ଶନ ପରେ ଭାରତର ଅନ୍ୟ ତୀର୍ଥ ଦର୍ଶନ କରିବାର ଇଚ୍ଛା ମା'ଙ୍କ ମନରେ ଜାଗିଲା। କ୍ରୀଷ୍ଣା ମା'ଙ୍କୁ ଭାରତ ଦର୍ଶନ କରାଇବା ପାଇଁ ସଂକଳ୍ପ ନେଲେ। ୨୦୧୭ ଏପ୍ରିଲରେ କ୍ରୀଷ୍ଣା ଛୁଟି ନେଇ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରିଥିଲେ କାର୍ରେ। ବେଙ୍ଗାଲୁରୁର କଶ୍ମୀର ଯାତ୍ରା। ବାଟରେ ଚିତ୍ରକୂଟ, ପ୍ରୟାଗ, କାଶୀ, ଅଯୋଧ୍ୟା, ଆଗ୍ରା, ମଥୁରା, ହସ୍ତିନାପୁର, ଋଷୀକେଶ, ହରିଦ୍ବାର, କୁରୁକ୍ଷେତ୍ର, ଲୁଧିଆନା, ଅମୃତସର, କାଶ୍ମୀର, ଡାଲ ହ୍ରଦ, ସୋନା ମାର୍ଗ, ୱାଘା ସୀମା, ରାଜସ୍ଥାନ, ଜୟପୁର, ଆଜମିର, ପୁଷ୍କର, ଉଜ୍ଜୟିନୀ ଦର୍ଶନ କରାଇ ୩୮ ଦିନରେ ବେଙ୍ଗାଲୁରୁ ଫେରିଥିଲେ। ଦ୍ବିଦୀୟ ପର୍ଯ୍ୟାୟ ଯାତ୍ରା ପାଇଁ ତାଙ୍କୁ ଆଉ କମ୍ପାନି ଛୁଟି ଦେଇ ନଥିଲା। ଫଳରେ ସେ ୨୦୧୮ ଜାନୁଆରି ୧୪ରେ ଚାକିରିରୁ ଇସ୍ତଫା ଦେଇ ୧୬ ତାରିଖରେ ବାପାଙ୍କ ସ୍କୁଟରରେ ଆବଶ୍ୟକ ଜିନିଷପତ୍ର ବୋଝେଇ କରି ମା’ଙ୍କୁ ନେଇ ବାହାରି ପଡ଼ିଲେ। ବେଙ୍ଗାଲୁରୁରୁ କେରଳ, ତାମିଲନାଡ଼ୁ, ପଡ଼ୁଚେରୀ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ତେଲେଙ୍ଗାନା, ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚିଥିଲେ। ହରିଶଙ୍କର, ନୃସିଂହନାଥ, ସମଲେଶ୍ବରୀ, ହୀରାକୁଦ ଦର୍ଶନ କରିବା ପରେ ସେ ଆଜି ସକାଳେ ସୁନ୍ଦରଗଡ଼ ପହଞ୍ଚିଥିଲେ। ଆସନ୍ତାକାଲି ସେ ରାଉରକେଲା ଦେଇ ଝାଡ଼ଖଣ୍ଡ, କୋଲକାତା, ସିକିମ, ଦାର୍ଜିଲିଂ ଯିବାକୁ ମନସ୍ଥ କରିଛନ୍ତି। ଯାତ୍ରା ପାଇଁ ସେ କାହାଠାରୁ ସହାୟତା କି ସାହାଯ୍ୟ ଗ୍ରହଣ କରୁ ନଥିବା ବେଳେ ୧୩ ବର୍ଷ ଚାକିରିର ସାଇତା ଟଙ୍କାକୁ ମା’ଙ୍କ ଆକାଉଣ୍ଟରେ ଜମା ଦେଇ ସୁଧ ଟଙ୍କାରେ ଭ୍ରମଣ ଖର୍ଚ୍ଚ ତୁଲାଉଥିବା ପ୍ରକାଶ କରିଛନ୍ତି। ତେବେ ମା’ଙ୍କୁ କେବଳ ମନ୍ଦିର ନୁହେଁ, ବିଭିନ୍ନ ଦର୍ଶନୀୟ, ପର୍ଯ୍ୟଟନ କ୍ଷେତ୍ରର ମଧ୍ୟ ଦର୍ଶନ କରାଉଛନ୍ତି। ୭୦ ବର୍ଷର ପାକଳ ବୟସରେ ମା' ଚୁଡ଼ାରତ୍ନାଙ୍କ ସ୍କୁଟରରେ ବସି ଭାରତ ଦର୍ଶନ କରିବାର ଦୃଢ଼ ମନୋବଳ ସମସ୍ତଙ୍କୁ ବିସ୍ମିତ କରିଛି।
ଆଉ ଜଣେ ଶ୍ରବଣ କୁମାର:ସ୍କୁଟରରେ ମା’ଙ୍କୁ ଭାରତ ଦର୍ଶନ କରାଉଛନ୍ତି କ୍ରୀଷ୍ଣା କୁମାର
/sambad/media/post_attachments/wp-content/uploads/2019/05/rkl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)