ବୀରମିତ୍ରପୁର: ବୀରମିତ୍ରପୁର ବାରିମୈଦାନ ନିକଟରେ ହେଉଥିବା ଶ୍ରୀଶ୍ରୀ ଗୁପ୍ତେଶ୍ୱର ମେଳାରେ ସୋମବାର ରାତିରେ ଘଟିଥିବା ଭୁଜାଲିମାଡ଼ ଘଟଣାକୁ ନେଇ ଆଜି ମଧ୍ୟ୍ୟ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ଫେରାର ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଜି ବୀରମିତ୍ରପୁର ବନ୍ଦ କରାଯାଇଥିଲା। ବୀରମିତ୍ରପୁର ସହରର ଭଞ୍ଜଭବନ, ଚାଇନାଟାଉନ, ଗୋଲବଜାର, ବିର୍ସାମୁଣ୍ଡା ବସ୍‌ଷ୍ଟାଣ୍ଡ ମାର୍କେଟ୍‌ର ଦୋକାନବଜାର ବନ୍ଦ ରହିଥିଲା। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରିରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ବୀରମିତ୍ରପୁର ଏସ୍‌ଡିପିଓ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ଏହି ଘଟଣାରେ ବୀରମିତ୍ରପୁର ପୁଲିସ ଗତକାଲି ଦୁଇଜଣକୁ ଗିରଫକରି କୋର୍ଟଚାଲାଣ କରିଥିବାବେଳେ ଦୁଇ ନାବାଳକଙ୍କୁ କୋର୍ଟରେ ହାଜରକରି ବାଳସୁଧାର କେନ୍ଦ୍ରକୁ ପଠାଇଥିଲା। ହେଲେ ଏହି ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଗିରଫ କରିବା ଦାବିନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଅନ୍ୟପକ୍ଷରେ ବନ୍ଦଥିବା ମେଳା ପୁଣି ଆଜିଠାରୁ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ, ବୀରମିତ୍ରପୁର କୋଲଦଫେଇ ଅଞ୍ଚଳର ମହାବୀର ଗିରି ଓ ପଣ୍ଡା ଶର୍ମା ନିଜ ପରିବାର ସହ ଗୁପ୍ତେଶ୍ୱର ମେଳାରେ ବୁଲୁଥିବାବେଳେ ଗାନ୍ଧୀରୋଡ୍‌ ଅଞ୍ଚଳର କେତେଜଣ ଯୁବକଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏହି ଘଟଣାରେ ଗାନ୍ଧୀରୋଡ୍‌ର ଯୁବକ ନିଜ ସାହିକୁ ଯାଇ କେତେଜଣ ସାଙ୍ଗଙ୍କୁ ଡାକିଆଣି ମହାବୀର ଓ ପଣ୍ଡାଙ୍କୁ ହଠାତ୍‌ ଭୁଜାଲିରେ ଆକ୍ରମଣ କରିଥିଲେ। ମହାବୀର ଓ ପଣ୍ଡା ଗୁରୁତର ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟଲୋକେ ସେମାନଙ୍କୁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଏହି ଘଟଣା ପରେ ବୀରମିତ୍ରପୁର ସହରରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।