ସୁନ୍ଦରଗଡ଼: ଗତକାଲି ବିଳମ୍ବିତ ରାତିରେ ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ଓ୍ଵେର ଭଷ୍ମା ନିକଟରେ ଥିବା ବୈଷ୍ଣୋ ଦେବୀ ହାଇଓ୍ଵେ ଫୁଏଲ ସେଣ୍ଟରରେ ବନ୍ଧୁକ ମୁନରେ ଡକାୟତି ଉଦ୍ୟମ ହୋଇଛି। ୫ରୁ ୭ ଜଣ ମୁଖାପିନ୍ଧା ଡକାୟତ ରାତି ୧ଟା ୫୪ରେ ପେଟ୍ରୋଲ ପମ୍ପରେ ପଶି ଫାଙ୍କା ଗୁଳିଚାଳନା କରି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଶୋଇଥିବା କର୍ମଚାରୀ ଉଠି ପଡ଼ିବାରୁ ସେମାନ ଲୁଟିବାରେ ସଫଳ ହୋଇ ନଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳି ଖୋକା ଜବତ କରିବା ସହ ତନାଘନା ଆରମ୍ଭ କରିଛି।
ଦିବାରାତ୍ରି ଖୋଲା ରହୁଥିବା ପେଟ୍ରୋଲ ପମ୍ପର ସମସ୍ତ ପଏଣ୍ଟକୁ ରାତି ୧ଟା ୫୪ରେ କର୍ମଚାରୀମାନେ ବନ୍ଦ କରି ଶୋଇଯାଇଥିଲେ। ତାର ୧୫ ମିନିଟ ପରେ କର୍ମଚାରୀ ଦୀପକ ସାହୁ ନିଜ ବିଶ୍ରାମ କକ୍ଷକୁ ଯାଉଥିବାବେଳେ ଡକାୟତ ଦଳ ହଠାତ ପଶି ଆସି ତାଙ୍କୁ ବନ୍ଧୁକ ଦେଖାଇ କାବୁ କରି ନେଇ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଛଡାଇନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଅନ୍ୟ ଜଣେ କର୍ମଚାରୀ ପଞ୍ଚୁ ଦୀପ ସେଠାରେ ପହଞ୍ଚିଯିବାରୁ ଡକାୟତ ଦଳ ତାକୁ ଧରି ପକାଇଥିଲେ। ପଞ୍ଚୁ ପାଟି କରିବାରୁ ଆଉ ଜଣେ କର୍ମଚରୀ ଏଲେନ ପ୍ରଧାନଙ୍କୁ ଡାକ ପକାଇଥିଲେ। କିନ୍ତୁ ଏଲେନ ନିଜ ଅଫିସ ଭିତରେ କବାଟ ବନ୍ଦ କରି ରହିଥିବାରୁ ଶୁଣି ପାରି ନଥିଲେ।
ଏହି ସମୟରେ ଜଣେ ଡକାୟତ ଫାଙ୍କା ଗୁଳି ଚାଳନା କରିଥିଲା। ଗୁଳି ଶବ୍ଦ ଶୁଣି ଏଲେନ କଠୋରୀ ବାହାରକୁ ଆସିଥିଲେ। ୩ ଜଣ ଡକାୟତ ତାଙ୍କ ପାଖକୁ ଆସୁଥିବା ଦେଖି ସେ ପ୍ରାଣ ଭୟରେ ସେଠାରୁ ବାଇକ୍ ଯୋଗେ ନିକଟସ୍ଥ ଥାନା ଆଡକୁ ପଳାଇ ଯାଇଥିଲେ। ଡକାୟତ ଦଳ ତାଙ୍କୁ ବନ୍ଧୁକ ଓ ଛୁରୀ ଧରି ପିଛା କରିଥିଲେ, କିନ୍ତୁ ଏଲେନ ଥାନାରେ ପହଞ୍ଚି ଯାଇଥିଲେ। ଏହାପରେ ଡକାୟତ ଦଳ ଟଙ୍କା ନେଇ ନପାରି ଫେରାର ହୋଇଯାଇଥିଲେ। କର୍ମଚାରୀଙ୍କଠାରୁ ସୂଚନା ପାଇ ଝାରସୁଗୁଡା କାଳୀ ମନ୍ଦିର ପାହାଡ଼ି ମନ୍ଦିର ଛକରେ ରହୁଥିବା ମ୍ୟାନେଜର ରାଜୀବ ଆର. ସିଂ ପେଟ୍ରୋଲ ପମ୍ପକୁ ଆସି ସିସିଟିଭି କ୍ୟାମେରାରେ କଏଦ ଭିଡିଓକୁ ଦେଖି ଥାନାରେ ଏତଲା ଦେଇଥିଲେ।।