ହେମଗିର: ବଲିଙ୍ଗା ଫାଣ୍ଡି ଅଧିନ ସାନରମ୍ପିଆ ଗ୍ରାମରେ କାଠଫାଳିଆ ମାଡ଼ରେ ଗୁରୁତର ଧ୍ରୁବ ମାଝି(୪୦)ଙ୍କ ହେମଗିର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣାରୁ ପ୍ରକାଶ ଗତକାଲି ଅପରାହ୍ନରେ ଗ୍ରାମର ଧ୍ରୁବ ମାଝି ସପତ୍ନୀକ ଧାନ ଖଳାରେ କାମ କରୁଥିଲାବେଳେ କିଛି ଦୂରରେ ଗ୍ରାମର ନକୁଳ ମାଝି ଏବଂ ଲାଲମୋହନ ପ୍ରଧାନ ପରସ୍ପର ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଝଗଡ଼ା କରୁଥିଲେ। ଧ୍ରୁବ ଏହା ଦେଇ ଘଟଣାସ୍ଥଳକୁ ଯାଇ ପରସ୍ପରକୁ ଝଗଡ଼ା ନ ଦେବାକୁ ବୁଝାଇବାକୁ ଉଦ୍ୟମ କରିଥିଳେ। ଏତିକିବେଳେ ନକୁଳ ମାଝି ଏକ କାଠ ଫାଳିଆରେ ଧ୍ରୁବ ମାଝିଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ।
ଏଥିରେ ଧ୍ରୁବଙ୍କ ମୁଣ୍ଡ ଫାଟି ଯାଇ ରକ୍ତସ୍ରାବ ହେବା ସହ ଗୁରୁତର ହୋଇଥିଲେ। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ପତ୍ନୀ ଗୌରୀ ମାଝି ଏ ସଂପର୍କରେ ବଲିଙ୍ଗା ଫାଣ୍ଡିରେ ଏତଲା ଦେବା ପରେ ପୁଲିସ ଶବ ଜବତ ସହ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ନକୁଳ ମାଝିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ।
କାଠଫାଳିଆ ମାଡ଼ରେ ଯୁବକ ମୃତ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/01/police-cartoon.jpg)