ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଧୀନରେ ଶୁକଡୋଳା ଗ୍ରାମରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଯୁବକଙ୍କ ମୁଣ୍ଡ କାଟି ଗଛରେ ଟାଙ୍ଗି ଦିଆଯାଇଛି। ମୃତ ଯୁବକ ହେଲେ ଭଦ୍ର ପ୍ରଧାନ (୨୩)। ନୟାକୋଟ ଥାନା ପୁଲିସର ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଶୁକଡୋଳା ଗ୍ରାମର ରବି ପ୍ରଧାନ ଓ ପୁଅ ଭଦ୍ର ପ୍ରଧାନ ଗ୍ରାମର ଠାକୁର ସାହିକୁ ଭୋଜି ଖାଇବା ପାଇଁ ଯାଇଥିଲେ। ଭୋଜି ଖାଇସାରିବା ପରେ ରାତି ୧୧ ଟା ପର୍ଯ୍ୟନ୍ତ ରଜ ଦୋଳି ଗୀତ ଗାଇ ଗ୍ରାମବାସୀଙ୍କ ସହିତ ନାଚିଥିଲେ। ଏହି ସମୟରେ ବାପା ରବି ପ୍ରଧାନ ଘରକୁ ପଳାଇ ଆସିଥିଲେ। ପୁଅ ଭଦ୍ର ପ୍ରଧାନ ନିଜ ସାଙ୍ଗମାନଙ୍କ ସହିତ ଥିବ ଭାବି ରାତିରେ ତାକୁ ଆଉ ଖୋଜି ନ ଥିଲେ। ସକାଳୁ ପୁଅ ନଆସିବାରୁ ଶନିବାର ତାଙ୍କୁ ଖୋଜାଖୋଜି କରି ପାଇନଥିଲେ। ସକାଳୁ ଗ୍ରାମବାସୀ ନିକଟସ୍ଥ ଏକ ପଡ଼ିଆରେ ଭଦ୍ରଙ୍କ ମୁଣ୍ଡବିହୀନ ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସଦର ଏସ୍ଡିପିଓ ପ୍ରକାଶ ଟପୋ, ନୟାକୋଟ ଥାନା ଅଧିକାରୀ କୈଳାସ ଚନ୍ଦ୍ର ବେହେରା, ସବଇନ୍ସପେକ୍ଟର ଦୁଃଶାସନ ସାହୁ, ପୁଲିସ ଟିମ, ସାଇଣ୍ଟିଫିକ ଟିମ ପହଞ୍ଚି ପଡ଼ିଆରୁ ଗଣ୍ଡିଟିକୁ ଜବତ କରିଥିଲେ। ସେଠାରୁ ୨୦୦ ମିଟର ଦୂର ଜଙ୍ଗଲ ନିକଟରେ ଥିବା ଶାଳଗଛରୁ ଗାମୁଛାରେ ଟଙ୍ଗା ହୋଇଥିବା ମୁଣ୍ଡଟିକୁ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ନୟାକୋଟ ପୁଲିସ କେସ ନଂ ୧୬ ୟୁ/ଏସ ୩୦୨/୩୪ ଆଇପିସି ଦଫା ରୁଜୁ କରି ତଦନ୍ତ ଚଳାଇଛି। ସଦର ଏସଡିପିଓ ପ୍ରକାଶ ଟପୋ କହିଛନ୍ତି ଯେ ତଦନ୍ତ ଚାଲିଛି ଏବଂ ହତ୍ୟାକାରୀ ଖୁବ୍ଶୀଘ୍ର ଧରାପଡ଼ିବ। ଅପରପକ୍ଷରେ ମୃତ ଭଦ୍ର ପ୍ରଧାନଙ୍କ ବାପା ରବି ପ୍ରଧାନ ଅଭିଯୋଗ କରିଛନ୍ତି ଯେ ଗ୍ରାମର ଦୁଇ ଯୁବକଙ୍କ ସହିତ ଶୁକ୍ରବାର ରାତିରେ ପୁଅ ଥିଲା। ମୃତଦେହ ମିଳିବା ପରେ ସେମାନେ ଫେରାର ଅଛନ୍ତି। ତେଣୁ ହତ୍ୟାକାଣ୍ଡ ସହିତ ସେମାନଙ୍କର ସମ୍ପର୍କ ଥାଇପାରେ ବୋଲି ସନ୍ଦେହ କରି ପୁଲିସକୁ ଜଣାଇଛନ୍ତି।
ବାଂଶପାଳରେ ବୀଭତ୍ସ ହତ୍ୟା: ମୁଣ୍ଡ କାଟି ଗଛରେ ଟାଙ୍ଗିଦେଲେ
/sambad/media/post_attachments/wp-content/uploads/2019/06/axe-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)