ରାଉରକେଲା: ଖଟ ବା ପଲଙ୍କ ଆମ ଦୈନନ୍ଦିନ ଜୀବନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଆମେ ଜୀବନର ଏକ ତୃତୀୟାଂଶ ସମୟ ଶୋଇବାରେ ବିତାଇଥାଉ। ଏହି ଶୟନକୁ ଆରାମଦାୟକ କରିବା ପାଇଁ ଆମେ ଖଟ ବା ପଲଙ୍କ ଉପରେ ଶଯ୍ୟା ବିଛାଇଥାଉ। ତେଣୁ ପ୍ରତିଘରେ ପଲଙ୍କ ଏକ ପରିଚିତ ଆସବାବ। ଇସ୍ପାତ୍‌ ସହର ରାଉରକେଲାରେ ଅପେକ୍ଷାକୃତ କମ୍‌ ଦରରେ ଶସ୍ତା, ସୁନ୍ଦର, ମଜଭୁତ ପଲଙ୍କ ପାଇବା ପାଇଁ ରହିଛି ଏକ ବଜାର। କୋଣାର୍କ ହଲ୍‌ ପାଖରେ କାହିଁ କେତେ ବର୍ଷରୁ ରାସ୍ତା କଡ଼ରେ ବସି ଆସୁଛି ଏହି ପଲଙ୍କ ବଜାର। କେବେଠାରୁ ଏଠାରେ ପଲଙ୍କ ବିକ୍ରି ହେଉଛି, ବର୍ତ୍ତମାନର ବିକ୍ରେତା ମାନେ ତାହା ଠିକ୍‌ ଭାବେ କହିପାରୁ ନାହାନ୍ତି। ହେଲେ ପ୍ରାୟ ୫୦ ବର୍ଷ ହେବ ଏଠାରେ ଏଭଳି ପଲଙ୍କ ବିକ୍ରି ହେଉଥିବା କହାଯାଏ। ପ୍ରଥ​ମେ ପଡ଼ୋଶୀ ବିହାର, ଝାଡ଼ଖଣ୍ଡ ଓ କୋଲକାତାର ଲୋକେ ଆସି ଏଠାରେ ବେପାର କରୁଥିଲେ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଲୋକେ ଆସି ପାଖ ଟିମ୍ବର କଲୋନିରେ ରହି ଏଠି ବ୍ୟବସାୟ କରୁଛନ୍ତି। ଏହି ବଜାରର ଚାହିଦା ଏବେ କମିବାରେ ଲାଗିଛି। ଅନ୍‌ଲାଇନ୍‌ରେ ଭଳିକି ଭଳି ଡିଜାଇନ୍‌ର ଆସବାବ ଉପଲବ୍‌ଧ ହେବା, ନୂଆନୂଆ ଫର୍ନିଚର ସୋ’ରୁମ୍‌ ଖୋଲିବା, ଶାଗୁଆନ ଭଳି ଚାହିଦାଯୁକ୍ତ କାଠର ଦର ଆକାଶଛୁଆଁ ହେବା କାରଣରୁ ଲୋକେ ଏହି ବଜାରରୁ ରଂଗବୋଳା ଚାଖୁଣ୍ଡା କାଠର ପଲଙ୍କ କିଣିବାକୁ ଆଉ ସେତେଟା ମନ କରୁ ନହାନ୍ତି।

Advertisment

ପୂର୍ବରୁ ସହରରେ ଯଦି କାହାଘରେ ବାହାଘର ହୁଏ, ସେମାନେ ପଲଙ୍କ କିଣିବାକୁ ଏହି ବଜାରକୁ ଆସୁଥିଲେ। କେବଳ ସହର ନୁହେଁ ଆଖପାଖ ଅଞ୍ଚଳ ଯଥା ବନ୍ଧମୁଣ୍ଡା, ବିଶ୍ରା, ନୂଆଗାଁ, ରାଜାମୁଣ୍ଡା, ଲହୁଣିପଡ଼ା, ବଣାଇ, ବୀରମିତ୍ରପୁର, ରାଜଗାଙ୍ଗପୁର, ବଡ଼ଗାଁ ଓ ସୁନ୍ଦରଗଡ଼ର ଲୋକେ ମଧ୍ୟ ଏହି ବଜାର ଉପରେ ନିର୍ଭର କରୁଥିଲେ। କିନ୍ତୁ ଏବେ ଏହି ବଜାର ଆକର୍ଷଣ କମି ଯାଇଛି। ଏହି ବଜାରରେ ମିଳୁଥିବା ପଲଙ୍କ ପାଇଁ ରାଉରକେଲା, ରାଜଗାଙ୍ଗପୁର ଛଡ଼ା କଟକ, କେନ୍ଦ୍ରାପଡ଼ା ଓ ପୁରୀରୁ କାଠ ଆସିଥାଏ। ସାଧାରଣତଃ ଚାଖୁଣ୍ଡା ଓ ଆକାଶିଆ କାଠରେ ହିଁ ପଲଙ୍କ ତିଆରି କରାଯାଉଛି। ତେବେ କେହି କେହି ସ୍ବତନ୍ତ୍ର ଅର୍ଡର୍‌ କଲେ ଶାଗୁଆନ୍‌ କାଠରେ ବି ପଲଙ୍କ ତିଆରି କରି ଦିଅନ୍ତି ଏହି କାରିଗରମାନେ। ଚାଖୁଣ୍ଡା କାଠ ତିଆରି ପଲଙ୍କର ଦାମ ୭ ହଜାରରୁ ନେଇ ୨୦ ହଜାର ଓ ଆକାଶିଆ ପଲଙ୍କ ୧୨ରୁ ନେଇ ୩୦ ହଜାର ପର୍ଯ୍ୟନ୍ତ ଦାମ୍‌ରେ ବିକ୍ରି ହେଉଛି। ଶାଗୁଆନ୍‌ ପଲଙ୍କର ମୂଲ୍ୟ କିନ୍ତୁ ୩୦ ହଜାରରୁ ନେଇ ୭୦ ହଜାର ଯାଏ ରହିଥାଏ। କିନ୍ତୁ ଏବେ ସବୁ ପଲଙ୍କର ଚାହିଦା କମିଗଲାଣି। ବଜାରର ଅନେକ ବ୍ୟବସାୟୀ କହନ୍ତି ସହରୀକରଣ ପାଇଁ ରାଉରକେଲାର ଆଖପାଖ ଅଞ୍ଚଳରେ ଅଧିକ ଦୋକାନବଜାର ଖୋଲିଲା ଓ ପ୍ରତିଦ୍ବନ୍ଦିତା ବଢ଼ିଲା। ତେଣୁ ଏହି ମାର୍କେଟରୁ ଲୋକେ ପ୍ରାୟତଃ ମୁହଁ ବୁଲାଇ ନେଲେଣି। ବଣାଇ, ସୁନ୍ଦରଗଡ଼ ଓ ବିଶ୍ରା ଅଞ୍ଚଳର କିଛି ବ୍ୟବସାୟୀ ଏହି ମାର୍କେଟରୁ ହୋଲସେଲ୍‌ ଦରରେ ୧୦ରୁ ୧୫ଟି ପଲଙ୍କ କିଣି ନିଜନିଜ ଅଞ୍ଚଳରେ ବିକ୍ରି କରୁଛନ୍ତି। ଏଠାକାର ବ୍ୟବସାୟୀମାନେ କହନ୍ତି, ୫, ୭ ବର୍ଷ ପୁର୍ବେ ଗୋଟିଏ ପଲଙ୍କ ବିକ୍ରିହେଲେ ୩୦୦୦ ଟଙ୍କା ଲାଭ ହେଉଥିଲା। କିନ୍ତୁ ଏବେ ବଜାର ପ୍ରତିଦ୍ବନ୍ଦିତା ପାଇଁ ୧୦୦୦ ଟଙ୍କା ବଳିବା ମୁସ୍କିଲ ହେଲାଣି। ଲୋକେ ଏବେ ଅନ୍‌ଲାଇନ୍‌ରୁ ପ୍ଲାଏବୋର୍ଡ ପଲଙ୍କ ୩୦ ହଜାର ଟଙ୍କା ଦେଇ କିଣୁଛନ୍ତି, କିନ୍ତୁ ସେହି ମୂଲ୍ୟରେ ଆମଠାରୁ ଅଧିକ ମଜଭୁତ ପଲଙ୍କ କିଣୁନାହାନ୍ତି। ଏହି ବଜାରରେ ଉନ୍ନତ ମାନର ସୁନ୍ଦରସୁନ୍ଦର ଖଟ ସବୁ ମିଳୁଛି। ତେଣୁ ସହରବାସୀ ଆମଠାରୁ ପଲଙ୍କ କିଣିଲେ ଉତ୍ତମ ଦରରେ ଭଲ ସାମଗ୍ରୀ ପାଇପାରନ୍ତେ ଓ ଆମେ ବି ଦୁଇପଇସା ରୋଜଗାର କରିପାରନ୍ତୁ ବୋଲି ଏହି କାଠ ବ୍ୟବସାୟୀମାନେ ମତ ଦିଅନ୍ତି।