ରାଉରକେଲା: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାର ନବନିର୍ମିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶ ଉତ୍ସବମୁଖର ହୋଇଛି। ବିଭିନ୍ନ ସଂଗଠନ ମଧ୍ୟ ନିଜନିଜ ସମ୍ବଳରେ ନିଆରା ଢଙ୍ଗରେ ଉତ୍ସବ ମନାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଉପଲକ୍ଷେ ବିଶ୍ବର ସର୍ବବୃହତ ଦୀପ ପ୍ରଜ୍ବଳନ କରିବାକୁ ସ୍ବେଚ୍ଛାସେବୀ ସଂଗଠନ ‘ସ୍ମାଇଲ୍ ଫର୍ ଏଭର୍ ଫାଉଣ୍ଡେସନ’ ଯୋଜନା କରିଛି।
ସ୍ଥାନୀୟ ହନୁମାନ ବାଟିକାରେ ଆସନ୍ତା ୨୨ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ଏହି ଦୀପ ଜଳିବ। ଏହି ମାଟି ତିଆରି ଦୀପର ଉଚ୍ଚତା ସାଢ଼େ ୫ ଫୁଟ ଓ ଗୋଲେଇ ୨୨ ଫୁଟ ହେବ। ଏହି ବିଶାଳକାୟ ଦୀପରେ ୭ ହଜାର ଲିଟର୍ରୁ ଅଧିକ ଘିଅ ରହିବ। ଏଥିରେ ଲାଗିବାକୁ ଥିବା ୧୫ ମିଟର ବିଶିଷ୍ଟ ବଳିତା କଟକରୁ ଅଣାଯିବ। ଏହାଛଡ଼ା ଦୀପ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ୧୧ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ରହିବ। ଉଭୟ ଦୀପ ଓ ଭଗବାନ ରାମଙ୍କ ମୂର୍ତ୍ତି ଗୋଟିଏ ଫ୍ରେମ୍ରେ ନିର୍ମାଣ ହେଉଛି। କୋଲକାତାର ପ୍ରତିଷ୍ଠିତ ଶିଳ୍ପୀ ଶମ୍ଭୁ ପ୍ରଜାପତି ଓ ତାଙ୍କର ୮ ଜଣ ସହଯୋଗୀ ଏହାକୁ ନିର୍ମାଣ କରୁଛନ୍ତି। ଗତ ୨୬ ତାରିଖରୁ ବନ୍ଧମୁଣ୍ଡା ତିଲକନଗରରେ ଏହି ବିଶାଳ ଦୀପ ତିଆରି କାମ ଆରମ୍ଭ ହୋଇଥିବାବେଳେ ଜାନୁଆରି ୧୫ ତାରିଖ ସୁଦ୍ଧା ଶେଷ ହେବ।
ଏହି ଦୀପ ଆସନ୍ତା ୧୭ ତାରିଖରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ଜନବସତି ଅଞ୍ଚଳ ପରିକ୍ରମା କରିବ। ରାମ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ ମହାଦୀପ ପ୍ରଜ୍ବଳନରେ ସାମିଲ ହେବାକୁ ନିମନ୍ତ୍ରଣ କରାଯିବ। ଏନେଇ ‘ସ୍ମାଇଲ୍ ଫର୍ ଏଭର୍ ଫାଉଣ୍ଡେସନ’ର ପ୍ରତିଷ୍ଠାତା ସନ୍ତୋଷ ବିଶ୍ବାଳ କହିଛନ୍ତି, ଦେଶର କୋଣ ଅନୁକୋଣରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ନେଇ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଏହି ଐତିହାସିକ ମୂହୁର୍ତ୍ତରେ ସାମିଲହେବାକୁ ଅନୁଷ୍ଠାନ ପକ୍ଷରୁ ବିଶାଳକାୟ ମହାଦୀପ ନିର୍ମାଣ ନେଇ ପରିକଳ୍ପନା କରାଯାଇଥିଲା। ଏହାକୁ ବିଶ୍ବର ସର୍ବବୃହତ ଦୀପ ଭାବେ ଗିନିସ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବା ପାଇଁ ଆବେଦନ କରାଯାଇଛି ବୋଲି ସୂଚନା ଦେଇଛନ୍ତି।