ସୁନ୍ଦରଗଡ଼ : ଏଣିକି ଦୁର୍ଗମ ଅଞ୍ଚଳରୁ ଅନ୍ତଃସତ୍ତ୍ବା, ଆସନ୍ନ ପ୍ରସବା ଓ ଗୁରୁତର ରୋଗୀଙ୍କୁ ମଧ୍ୟ ମିଳିବ ସ୍ବତନ୍ତ୍ର ଆମ୍ବୁଲାନ୍ସ ସେବା। ନଦୀନାଳ ଓ ଯାତାୟତ ଯୋଗ୍ୟ ରାସ୍ତା ନଥିବା ଯୋଗୁଁ ୧୦୨ ଓ ୧୦୮ ପରି ସାଧାରଣ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଆସୁଥିବା ଲୋକଙ୍କ ପାଇଁ ଆରମ୍ଭ ହୋଇଛି ବାଇକ୍ ଆମ୍ବୁଲାନ୍ସ। ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟସ୍ଥିତ ମା’ ଓ ଶିଶୁ କେନ୍ଦ୍ର ପରିସରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସବୁଜ ପତାକା ଦେଖାଇ ଏହି ଅଭିନବ ସେବାର ଶୁଭାରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩ଟି ବ୍ଲକ୍ ଗୁରୁଣ୍ଡିଆ, କୋଇଡ଼ା ଓ ରାଜଗାଙ୍ଗପୁରର ଦୁର୍ଗମ ଅଞ୍ଚଳ ପାଇଁ ୯ଟି ବାଇକ୍ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ୨୦ଟି ଗାଁକୁ ଗୋଟିଏ ଆମ୍ବୁଲାନ୍ସ ରହିବ। ଯାହା ଅପହଞ୍ଚ ଗାଁରୁ ରୋଗୀଙ୍କୁ ବୋହି ସାଧାରଣ ଆମ୍ବୁଲାନ୍ସ ଯାଏ ପହଞ୍ଚାଇବ। ଓଡ଼ିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ (ଓମବାଡସି) ଅର୍ଥରେ ଆରମ୍ଭ କରାଯାଇଥିବା ଏହା ସେବା ଲୋକଙ୍କ ପାଇଁ ପ୍ରଭାବୀ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବ୍ଲକର ଅପହଞ୍ଚ ଅଞ୍ଚଳକୁ ଏହାକୁ ସମ୍ପ୍ରସାରିତ କରାଯିବ ବୋଲି ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ କହିଛନ୍ତି। ଏହି ଅବସରରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ର କହିଥିଲେ ଯେ, ଆଗାମୀ ଦିନରେ ବାଇକ୍ ଆମ୍ବୁଲାନ୍ସ ଚାଳକଙ୍କୁ ମଧ୍ୟ ଆବଶ୍ୟକ ଜରୁରୀ ପ୍ରାଥମିକ ସ୍ବାସ୍ଥ୍ୟସେବା ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ଯାହା ଅପହଞ୍ଚ ଅଞ୍ଚଳରୁ ରୋଗୀଙ୍କୁ ଆଣିବା ବେଳେ ଆବଶ୍ୟକ ଜରୁରୀ ପ୍ରାଥମିକ ସେବା ଯୋଗାଇବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହିକ୍ରମରେ ରାଉରକେଲା ସହର ପାଇଁ ମଧ୍ୟ ୫ଟି ବାଇକ୍ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିବା ଡ. ମିଶ୍ର ସୂଚନା ଦେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-24-at-21.41.47.jpeg)