ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ହେମଗିରର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ବିଜେଡିର ବରିଷ୍ଠ ଆଦିବାସୀ ନେତ୍ରୀ ସୁଧାରାଣୀ ରାଉଡିଆ ନିଜ ସମର୍ଥକମାନଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଶ୍ରୀମତୀ ରାଉଡିଆ ହେମଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ୨୦୧୭ରୁ ନିର୍ବାଚିତା ହୋଇ ୨୦୨୨ ଯାଏ କାମ କରିଥିଲେ। ତା ପୂର୍ବରୁ ସେ ଗୋପାଳପୁର ସମିତିସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ। ହେମଗିର ଅଞ୍ଚଳର ଜଣେ ଟାଣୁଆ ଆଦିବାସୀ ନେତ୍ରୀ ଭାବେ ଜିଲ୍ଲାରେ ତାଙ୍କ ପରିଚୟ ରହିଛି। ବିଜେଡି ଛାଡ଼ି ସେ କଂଗ୍ରେସରେ ଯୋଗ ଦେବା ପରେ ଦଳ ତାଙ୍କୁ ଆସନ୍ତା ବିଧାନସଭା ନିର୍ବାଚନରେ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଅବସରେ ଶ୍ରୀମତୀ ରାଉଡିଆ ୨୭ ବର୍ଷର ନବୀନ ଶାସନକୁ ଦୁର୍ନୀତିଗ୍ରସ୍ତ ଓ ମହିଳା ବିରୋଧୀ କହିବା ସହ କଂଗ୍ରେସ ହିଁ ଦେଶର ଏକମାତ୍ର ବିକଳ୍ପ ବୋଲି କହିଥିଲେ। ସେ ଜାତୀୟ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ପ୍ରକାଶ କରିଥିଲେ।।

Advertisment

ତାଙ୍କ ଛଡ଼ା ଲେଫ୍ରିପଡା ଅଞ୍ଚଳର ଜଣେ ଉଚ୍ଚ ଶିକ୍ଷିତ ଯୁବକ ସୁନିଲ କିସାନ ବି କଂଗ୍ରେସରେ ସାମିଲ ହୋଇଛନ୍ତି। ଦିନ ୧୧ଟାରେ ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ସମ୍ମୁଖ ପଡ଼ିଆରେ ଆୟୋଜିତ ଜନ ସମାବେଶରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କେନ୍ଦ୍ର ବିଜେପି ସରକାରର ଅଗାଣନ୍ତ୍ରିକ, ସ୍ବେଚ୍ଛାଚାରୀ ଶାସନ ଓ ଓଡ଼ିଶା ବିଜେଡି ସରକାରର ଗରିବ, ଶ୍ରମିକମାରଣ, ଜନବିରୋଧି, ବେରୋଜଗାରି, ନାରୀ ନିର୍ଯାତନା ବିରୋଧରେ ବର୍ଷିଥିଲେ।।ଏହା ସହ କଂଗ୍ରେସର ଆଭିମୁଖ୍ୟ, ଗଣତନ୍ତ୍ରର ସୁରକ୍ଷା ପାଇଁ ଦଳ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ପୂର୍ବତନ ସଭାପତି ବେଣୁମାଧବ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ପୁର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ, ରାଜଗାଙ୍ଗପୁର ବିଧାୟକ ଡ.ରାଜନ ଏକ୍କା, ଜିଲ୍ଲା ସଭାପତି ଜନାର୍ଦ୍ଦନ ଦେହୁରୀ, ନେତ୍ରୀ ଅମିତା ବିଶ୍ବାଳ, ଅନିମା ମିଞ୍ଜ, ବରିଷ୍ଠ ନେତା ରାଜକିଶୋର ଷଡ଼ଙ୍ଗୀ, ନିମାଇଁଚରଣ ନାଏକ, ନିର୍ମଳ ନାଏକ, ଅଜିତ ପ୍ରସାଦ, ପ୍ରଫୁଲ୍ଲ ସୁନାନୀ, ଆଲବର୍ଟ କିଣ୍ଡୋ, ବିଶ୍ବଜିତ ପଟ୍ଟନାୟକ, ନେପାଳ ସାହୁ, ଦେବାଶିଷ ଦାସ, ସଂଜୟ ସାହୁ, ପ୍ରଣବ ସିଂଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ।