ଚୋରା ମଦ ଧରପଗଡ, ଢାବା ମାଲିକ ସହ ୩ ଗିରଫ

ବଣାଇଁଗଡ଼: ବଣାଇଁ ଓ ଲହୁଣୀପଡା ଅବକାରୀ ବିଭାଗ ତଥା ଲହୁଣୀପଡା ପୁଲିସ ମିଳିତ ଭାବେ ଚୋରାମଦ ଧରପଗଡ କରି ଢାବା ମାଲିକ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲହୁଣୀପଡା ବ୍ଲକର ଦର୍ଜିଂ, ଲଲେଇ, ସାଲେଇପାଲି, କୁର୍ଡା ଗ୍ରାମରେ ଏହି ଚଢଉ କରି ଢାବା ମାଲିକ ବିଜୟ ସାହୁ (୪୬), ଦର୍ଜି ଗ୍ରାମର ଜିତି ଓରାମ(୩୫) ଓ ସାଲେଇପାଲି ଗ୍ରାମର ଦାଦୁରା ଓରାମ(୩୪)ଙ୍କୁ ଗିରଫ କରିଥିବା ଜଣାପଡିଛି। ସେମାନଙ୍କ ଠାରୁ ମହୁଲିମଦ ତିଆରି ସରଞ୍ଜାମ ସହିତ ୫୦ଲିଟର ମହୁଲିମଦ, ୩କ୍ୟୁଣ୍ଟାଲ ମହୁଲପୋଚ ସହିତ ୨୪ଟି ବିଦେଶି ମଦ ବୋତଲ ଜବତ କରାଯାଇଛି। ତେବେ କୁର୍ଡା ଗ୍ରାମରେ ବିପୁଳ ପରିମାଣର ଦେଶିମଦ ବିକ୍ରି ହେଉଥିବା ସମୟରେ ଆଗତୁରା ସୂଚନା ପାଇ ଅବକାରୀ ଓ ପୁଲିସ ବିଭାଗ ପହଞ୍ଚବା ପୂର୍ବରୁ ଚୋରାମଦ ବେପାରୀମାନେ ଫେରାର ହୋଇଯାଇଥିଲେ। ଏହି ଚଢଉରେ ବଣାଇଁ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନ, ଲହୁଣୀପଡା ଥାନା ଏସଆଇ ଅଲେଖଚନ୍ଦ୍ର ସେଠୀ, ଏଏସଆଇ ନିରଞ୍ଜନ ନାଏକ, ଗୋବିନ୍ଦ ନାଏକ, ଲହୁଣୀପଡା ମୋବାଇଲ ସ୍କ୍ଵାଡ୍‌ ସବ୍‌ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ତାଣ୍ଡି ଏବଂ ଅବକାରୀ କର୍ମଚାରୀ ତନୁ ପାତ୍ର, ଦିଲୀପ ପାତ୍ର, ଘନଶ୍ୟାମ ମାହାନ୍ତ, କୁମାରୀ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର