ବଣାଇଁ : ଗଡ଼ ରକ୍ଷା ପାଇଁ ସିପିଏମ୍‌ର ପ୍ରାଣମୂର୍ଚ୍ଛା ଉଦ୍ୟମ

ଜୁଏଲଙ୍କ ପାଇଁ ସମ୍ମାନର ପ୍ରଶ୍ନ, ତାକତ ଗୋଟାଉଛି ବିଜେଡି

ରାଉରକେଲା, (ରଶ୍ମିରଂଜନ ମୁଦୁଲି): ଏକଦା ଭାରତୀୟ ଜନତା ପାର୍ଟି (ବିଜେପି)ର ଗଡ଼ ବୋଲି କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବିଧାନସଭା କ୍ଷେତ୍ର ଏବେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କବ୍‌ଜାରେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଘରୋଇ ଅଞ୍ଚଳ ବଣାଇଁରୁ ଗତ ନିର୍ବାଚନରେ ସିପିଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନ ମଣ୍ଡଳୀରେ କ୍ରମେ ବିଜୁ ଜନତା ଦଳ (ବିଜେଡି) ନିଜ ସ୍ଥିତି ସୁଦୃଢ କରିଥିବା ବିଗତ ଜିଲ୍ଲା ପରିଷଦ ନିର୍ବାଚନରୁ ସ୍ପଷ୍ଟ ହୋଇଛି। ସିପିଏମ୍‌ ଅନ୍ୟ ଦଳ ସହ ମେଣ୍ଟ ନ କଲେ ଏଥର ନିର୍ବାଚନ କଡ଼ା ଟକ୍କର େଦବା କଷ୍ଟ େବାଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି।

୨୦୧୪ ନିର୍ବାଚନରେ ସିପିଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୁ ଜନତା ଦଳର ଦୟାନିଧି କିସାନଙ୍କୁ ହରାଇ ବିଜୟୀ ହୋଇଥିଲେ। ସିପିଏମ୍‌ ୩୯,୧୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୩୭,୩୦୭ ଖଣ୍ଡ ଭୋଟ ପାଇଥିଲା। କଂଗ୍ରେସ ପ୍ରାର୍ଥୀ ଭୀମସେନ ଚୌଧୁରୀ ୩୭,୧୮୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଭାରତୀୟ ଜନତା ପାର୍ଟିର ଲୁଥାର ଓରାମ ୨୫,୭୬୬ ଖଣ୍ଡ ଭୋଟ ପାଇଥିଲେ।

୨୦୦୯ ମସିହା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭୀମସେନ ଚୌଧୁରୀ ୩୦,୪୯୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ସିପିଏମ୍‌ର ଲକ୍ଷ୍ମଣ ମୁଣ୍ଡା ୨୭,୧୩୯ ଖଣ୍ଡ ଭୋଟ ପାଇଥିେଲ। କଂଗ୍ରେସର ରଣଜିତ କିସାନ ୨୫ ହଜାର ୪୬ ଖଣ୍ଡ ଏବଂ ଦୁଇ ସ୍ବାଧୀନ ପ୍ରାର୍ଥୀ ଦୟାନିଧି କସାନ ୧୮,୧୫୪ ଓ ଅନିଲ କୁମାର ବାର୍ଲା ୧୦,୮୦୫ ଖଣ୍ଡ ଭୋଟ ପାଇଥିଲେ। ବିଗତ ଦୁଇଟି ବିଧାନସଭା ନିର୍ବାଚନକୁ ତୁଳନା କଲେ ସିପିଏମ୍‌ର ଭୋଟ ହାର ୨.୬୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବିଜେପିର ୮.୧୮ ପ୍ରତିଶତ ଭୋଟ ହ୍ରାସ ପାଇଛି। ୨୦୧୪ ନିର୍ବାଚନରେ ପ୍ରଥମ ଥର ପାଇ ବିଜେଡି ପ୍ରାର୍ଥୀ ଦେଇ ଖୁବ୍‌ ଭଲ୍ ପ୍ରଦର୍ଶନ କରିବା ସହ ଦ୍ବିତୀୟ ସ୍ଥାନରେ ରହିଥିଲା। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୮ଟି ଜିଲ୍ଲା ପରିଷଦ କ୍ଷେତ୍ର ମଧ୍ୟରୁ ବିଜୁ ଜନତା ଦଳ ୭ଟିରେ ବିଜୟୀ ହୋଇଥିଲା। ଦଳୀୟ ବିଧାୟକ ଥାଇ ସିପିଏମ୍‌ କେବଳ କୋଇଡ଼ା ବ୍ଲକ୍‌ର ଗୋଟିଏ ଆସନରେ ବିଜୟୀ ହୋଇଥିଲା। ପୂର୍ବରୁ ଏହି ବିଧାନସଭା ମଣ୍ଡଳୀ ଜୁଏଲ୍‌ଙ୍କର ଥିଲା। ସେ ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଥିଲେ।

ଏଥର ନିର୍ବାଚନ ପାଇଁ ସିପିଏମ୍‌ର ଏକମାତ୍ର ଦାବିଦାର ହେଉଛନ୍ତି ବିଧାୟକ ଲକ୍ଷ୍ମଣ ମୁଣ୍ଡା। ତାଙ୍କୁ ଆଉଥରେ ବିଧାୟକ କରିବାକୁ ଦଳ ଜୋରଦାର ଉଦ୍ୟମ ଚଳାଇଛି। ସେହିପରି ଟିକେଟ୍‌ ପାଇଁ କେଂଗ୍ରସ ପକ୍ଷରୁ ଶ୍ରୀ ଚୌଧୁରୀ ଭୁବନେଶ୍ବରରେ ଲବି କରୁଛନ୍ତି। ମେଣ୍ଟ ନ କରି ଯଦି କଂଗ୍ରେସ ନିର୍ବାଚନ ଲଢେ, ତେବେ ଜନାର୍ଦ୍ଦନ ଦେହୁରୀ ଟିକେଟ୍‌ ପାଇଁ ଆଶାୟୀ ଅଛନ୍ତି। କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଣଜିତ କିସାନ ମଧ୍ୟ ଟିକେଟ୍‌ ଲବିରେ ଅଛନ୍ତି। ଟିକେଟ୍ ଦୌଡ଼ରେ ଆଉ ଜଣେ ନୂଆ ମୁହଁ ଚର୍ଚ୍ଚା ହେଉଛି। ସେ ହେଲେ ଭୁବନେଶ୍ବରସ୍ଥିତ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ପାଣ୍ଡବ ମୁଣ୍ଡା।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଟିକେଟ୍ ପାଇବା ପାଇଁ ଖଣି ବ୍ୟବସାୟୀ ଅନିଲ ବାର୍ଲା ଜୋର୍ଦାର୍ ଲବି କରୁଛନ୍ତି। ଅନ୍ୟତମ ଆଶାୟୀ ହେଲେ ଲହୁଣିପଡ଼ାର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସେବତୀ ନାଏକ। ବଣାଇଁ ସାଂଗଠନିକ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଉଗ୍ରସେନ ପ୍ରଧାନ , ଲହୁଣିପଡ଼ା ବ୍ଲକ୍‌ ଖୁଟଗାଁ ସରପଞ୍ଚ ଅଜୟ ନାୟକ ମଧ୍ୟ ଟିକେଟ୍‌ ପାଇବା ପାଇଁ ବିଜେପି ଶିବିରରେ ଲବି କରୁଛନ୍ତି। କିନ୍ତୁ ଦଳୀୟ ଟିକେଟ୍ ନିଜର କାର୍ଯ୍ୟଦକ୍ଷତା ଅପେକ୍ଷା ଜୁଏଲଙ୍କ ଆନୁଗତ୍ୟ ଉପରେ ନିର୍ଭର କରିବ।

(ବଣାଇଁ) ୨୦୧୪ ନିର୍ବାଚନ ଫଳାଫଳ

ସିପିଏମ         ଲକ୍ଷ୍ମଣ ମୁଣ୍ଡା           ୩୯,୧୨୫
ବିିଜେଡି         ଦୟାନିଧି କିସାନ       ୩୭,୩୦୭
କଂଗ୍ରେସ        ଭୀମସେନ ଚୌଧୁରୀ  ୩୭,୧୮୧
ବିଜେପି         ଲୁଥର ଓରାମ          ୨୫,୭୬୬
ଜେଏମ୍ଏମ୍‌    ପାତ୍ରାସ ଏକ୍କା           ୭,୫୬୫
ସ୍ବାଧୀନ         ଜନାର୍ଦ୍ଦନ ଦେହୁରୀ     ୬,୦୨୫
ସ୍ବାଧୀନ         ମହାଦେବ ଭୂମିଜ      ୨,୦୦୭
ନୋଟା          ….                     ୩,୮୦୩

ସମ୍ବନ୍ଧିତ ଖବର