ସୁନ୍ଦରଗଡ଼ ପୁଲିସ ହାତରେ ବ୍ରାଉନସୁଗର ରାକେଟ: ୩୯.୫ ଗ୍ରାମ ଜବତ, ୨ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ବ୍ରାଉନସୁଗାର ଅବାଧ କାରବାର ଚାଲୁଥିବା ଓ ପୁଲିସ ଧରପଗଡ଼ ନେଇ ବିଶେଷ ସକ୍ରିୟତା ଦେଖାଉନଥିବା ଅଭିଯୋଗ ରହିଥିଲା। ମାତ୍ର ଏବେ ସୁନ୍ଦରଗଡ଼ ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ହାତରେ ପଡିଛି ଜିଲ୍ଲାର ବ୍ରାଉନସୁଗର ରାକେଟ୍। ୨ ଜଣ ଧରା ପଡିଛନ୍ତି। ସେମାନଙ୍କ ଠାରୁ ୩୯.୫ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ବାଇକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ନାଳାରୋଡର ହାମସାଲା ୱାରସି ଓରଫ ରାଜୁ ଓ ମହମ୍ମଦ ଇରସାଦ। ରାକେଟରେ ଅନ୍ୟ ୫ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଧରିବାକୁ ପୁଲିସ ତନାଘନା ଚଲାଇଛି। ଆଜି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଚଢାଉର ବିବରଣୀ ଦେଇଥିଛନ୍ତି।

୩ ଦିନ ତଳେ ରାଉରକେଲାରୁ ସୁନ୍ଦରଗଡ଼କୁ ବ୍ରାଉନସୁଗର ନେଇ ରାକେଟର କିଛି ସଦସ୍ୟ ଆସୁଥିବା ପୁଲିସକୁ ସୂଚନା ମିଳିଥିଲା। ଉପଖଣ୍ଡ ପୁଲିସ ଅଧିକାରୀ ମଧୁସିକ୍ତା ମିଶ୍ରଙ୍କ ତତ୍ତ୍ବାବଧାନରେ ଏସଆଇ ଡୋଳମଣି ନାଏକଙ୍କ ନେତୃତ୍ବରେ ପୁଲିସ ଟିମ୍ ବିଜୁ ଏକ୍ସପ୍ରେସୱେରେ ଥିବା ହୋଟେଲ ଅନ୍ନପୂର୍ଣ୍ଣା ସମ୍ମୁଖରେ ବ୍ରାଉନସୁଗର ନେଇ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ କାବୁ କରିଥିଲା। ସେମାନଙ୍କ ଠାରୁ ଡ୍ରଗ୍ସ ଜବତ ହୋଇଥିଲା। ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରି ପୁଲିସ ରାକେଟର ୫ ସଦସ୍ୟଙ୍କ ପରିଚୟ ପାଇଛି। ସେମାନଙ୍କୁ ମଧ୍ୟରୁ ଜଣେ ବିକ୍ରେତା ଓ ଅନ୍ୟ ୪ ଜଣ କ୍ରେତା ବୋଲି ଏସପି କହିଛନ୍ତି। ଡ୍ରଗ୍ସ ବିକ୍ରେତାଙ୍କ ଘର ରାଉରକେଲା ଓ କ୍ରେତାମାନେ ବଡ଼ପତ୍ରାପାଲି, ପତ୍ରାପଡା ଓ ମହେଶଡିହିର ହୋଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର