ବୁଲୁ ମହାନ୍ତିଙ୍କୁ ବୋମାମାଡ଼ ଘଟଣା : ସୁପାରି କିଲର୍‌ଙ୍କୁ ଦିଆ ଯାଇଥିଲା ୨୦ ଲକ୍ଷ!

ବ୍ୟବସାୟୀଙ୍କ ସମେତ ୩ ଅଟକ, ଅଫୁଟା ବୋମାକୁ ନିଷ୍କ୍ରିୟ କଲେ ବୋମା ନିଷ୍କ୍ରିୟକାରୀ ଦଳ

ରାଉରକେଲା : ବାସନ୍ତୀ କଲୋନିରେ ରହୁଥିବା ପୂର୍ବତନ କାଉନ୍‌ସିଲର ଅଶେଷ ମହାନ୍ତି (ବୁଲୁ)ଙ୍କୁ ବୋମାମା ପଛର ସମ୍ଭାବ୍ୟ କାରଣ ସମେତ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବୁଲୁଙ୍କୁ ‌ବୋମାମାଡ଼ କରି ଜୀବନରୁ ମାରିଦେବାକୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଏହି ଷଡ଼ଯନ୍ତ୍ର ରଚିଥିବା ସହରରେ ଚର୍ଚ୍ଚା ହେଉଛି। ଏଥିପାଇଁ ସେ ସହରର ଦୁଇ ଜଣ ଅପରାଧୀଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ସୁପାରି ଦେଇଥିବା କୁହାଯାଉଛି। ପୁଲିସ ଆଜି ସମ୍ପୃକ୍ତ ବ୍ୟବସାୟୀଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ଦୁଇ ଜଣ ସନ୍ଦିଗ୍ଧଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ତେବେ ବୋମାମାଡ଼ ଘଟଣାରେ ଆହୁରି ୪/୫ଜଣ ଅପରାଧୀଙ୍କ ସମ୍ପୃକ୍ତି ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଅଟକ ବ୍ୟବସାୟୀଙ୍କର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ସହ ଲିଙ୍କ୍‌ ରହିଥିବାବେଳେ ସହରର ବିଭିନ୍ନ ଅନୁଷ୍ଠାନ ସହ ମଧ୍ୟ ସେ ଜଡ଼ିତ ଅଛନ୍ତି।

ବ୍ୟ‌ାବସାୟିକ ଶତ୍ରୁତାକୁ କେନ୍ଦ୍ରକରି ବୁଲୁଙ୍କ ଉପରକୁ ବୋମା ମାଡ଼ କରାଯାଇଛି ବୋଲି ଏସ୍‌ପି କେ. ଶିବା ସୁବ୍ରମଣି କହିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏସ୍‌ପିଙ୍କ ସମେତ ଆଇପିଏସ୍‌ ଅଧିକାରୀ ଏସ୍‌. ସୁଶ୍ରୀ, ଅତିରିକ୍ତ ଏସ୍‌ପି ପି.କେ. ମିଶ୍ର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ତଦାରଖ କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଅଫୁଟା ବୋତଲ ବୋମାକୁ ବୋମା ନିଷ୍କ୍ରିୟକାରୀ ଦଳ ଦ୍ବାରା ନିଷ୍କ୍ରିୟ କରାଯାଇଛି। ସେପଟେ ଆଇଜିଏଚ୍‌ରେ ଚିକିତ୍ସିତ ହେଉଥିବା ବୁଲୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନେ ଦୁଇଦିନ ମଧ୍ୟରେ ବୋମାମାଡ଼ ଘଟଣାର ରହସ୍ୟ ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ରକରି ପୂର୍ବରୁ ୨୦୧୦ରେ ଉଦିତନଗର ବରିଜାପାଲି କୋର୍ଟ ନିକଟସ୍ଥ ଏକ ଦୋକାନ ସମ୍ମୁଖରେ ବୁଲୁଙ୍କ ଉପରେ ଗୁଳି ମାଡ଼ ହୋଇଥିଲା। ସେହିପରି ପ୍ରାୟ ଦୁଇ ବର୍ଷ ତଳେ ବହୁଚର୍ଚ୍ଚିତ ଧଳ ବ୍ରଦର୍ସ ଲିଙ୍କ୍‌ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ବୁଲୁଙ୍କୁ ଗିରଫ କରିଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ବାସନ୍ତୀ କଲୋନି ଦୁର୍ଗାପୂଜା ମଣ୍ଡପ ନିକଟସ୍ଥ କ୍ଲବ୍‌ରୁ କ୍ୟାରେମ୍‌ ଖେଳି ସ୍କୁଟିରେ ଘରକୁ ଫେରୁଥିବାବେଳେ ଘରଠାରୁ ମାତ୍ର ୨୦ ମିଟର ଦୂରରେ ଦୁଇଜଣ ଅଜ୍ଞାତ ଯୁବକ ବାଇକ୍‌ରେ ଆସି ବୁଲୁଙ୍କ ଉପରକୁ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ ବୁଲୁ ସ୍କୁଟି ସହ ତଳେ ପଡ଼ିଯାଇଥିଲେ। ତାଙ୍କ ଗୋଡ଼, ହାତ ଓ ପିଠିରେ ଆଘାତ ଲାଗିଥିଲା। ପରିବାର ଲୋକ ସ୍ଥାନୀୟ ପଡ଼ୋଶୀଙ୍କ ସହାୟତାରେ ବୁଲୁଙ୍କୁ ଉଦ୍ଧାର କରି ପ୍ରଥମେ ରାଜସ୍ଥାନ ସେବାସଦନ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ନିଆଯାଇଥିଲା। ଖବର ପାଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସମେତ ବିଭିନ୍ନ ଦଳର ନେତା ଆଇଜିଏଚ୍‌ରେ ପହଞ୍ଚି ବୁଲୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ। ଏସ୍‌ପି କେ. ଶିବା ସୁବ୍ରମଣି, ଅତିରିକ୍ତ ଏସ୍‌ପି ପି.କେ. ମିଶ୍ରଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ଉଲ୍ଲେଖ ଯୋଗ୍ୟ, ବାସନ୍ତୀ କଲୋନିରେ ଏଇ କିଛି ବର୍ଷ ମଧ୍ୟରେ ୬/୭ ଥର ଗୁଳିକାଣ୍ଡ ହୋଇଛି। ଯୁବ ନେତା ନୀରଜ ଚର୍ତୁବେଦୀଙ୍କ ଉପରେ ଦୁଇଥର ଗୁଳିମାଡ଼ ହୋଇଥିବାବେଳେ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ବାସନ୍ତୀ ଡିଏଭି ପଡିଆରେ ଜଣେ ବିଜେଡି ନେତା ତଥା କଣ୍ଟ୍ରାକ୍ଟର ଏବଂ ବାସନ୍ତୀ କଲୋନି ଆରଡିଏ ଟ୍ରଷ୍ଟ ମାର୍କେଟରେ ଜଣେ ପାନ ମସଲା ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସେହିପରି କଲୋନି ଡିଏଭି ଛକରେ ଜଣେ ବୀମା କର୍ମଚାରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର