ବସ୍‌ ଓଲଟି ୩ ଗୁରୁତର, ଅନ୍ୟ ୬ ଆହତ

-ଜଣଙ୍କୁ ବୁର୍ଲା ସ୍ଥାନାନ୍ତର, ରାସ୍ତା ଅବରୋଧକାରୀଙ୍କୁ ଗୋଡ଼ାଇଲା ପୁଲିସ

ରାଉରକେଲା: ଗୁପ୍‌ଚୁପ୍‌ ଖାଉଥିବା ୨ ଜଣ ଯୁବତୀ ଓ ଗୁପ୍‌ଚୁପ୍‌ ବିକାଳିଙ୍କୁ ଧକ୍କା ଦେଇ ଓଲଟିପଡ଼ିଛି ଏକ ଯାତ୍ରୀବାହୀ ବସ୍‌। ଫଳରେ ଦୁଇ ଯୁବତୀ, ଗୁପ୍‌ଚୁପ୍‌ ବିକାଳିଙ୍କ ସହିତ ୬ ଜଣ ବସ୍‌ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୨ଟାରେ ରାଉରକେଲା ଉପକଣ୍ଠ ବନ୍ଧମୁଣ୍ଡାରେ ଘଟିଥିବା ଏହି ଘଟଣାକୁ କେନ୍ଦ୍ର କରି ସେ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ପ୍ରାୟ ୬ ଘଣ୍ଟା ଧରି ଉପଯୁକ୍ତ କ୍ଷତିପୂରଣ ଦାବିରେ ଲୋ‌କେ ରାସ୍ତାରୋକ କରିଥିଲେ। ଲୋକଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲା।
ଆଜି ଦିନ ପ୍ରାୟ ୧୨ଟାରେ ‘ଖୁସ୍‌ବୁ’ ନାମକ ଏହି ବସ୍‌ (ଓଆର୍‌-୧୬-୯୭୭୮) ନୂଆଗାଁରୁ ରାଉରକେଲାକୁ ଆସୁଥିଲା। ବନ୍ଧମୁଣ୍ଡା ଡି’ କ୍ୟାବିନ ମଶାଣି ପାଖରେ ବିପରୀତ ଦିଗରୁ ହଠାତ୍‌ ଏକ ଟ୍ରକ୍‌ ଆସିବାରୁ ବସ୍‌ ଚାଳକ ଭାରସାମ୍ୟ ହରାଇଥିଲେ। ଭାରସାମ୍ୟ ହରାଇ ବସ୍ ରାସ୍ତାଧାରରେ ଗୁପ୍‌ଚୁପ୍‌ ଖାଉଥିବା ଜଗଦା ଟୁଙ୍ଗୁରିଟୋଲିର ସାନିଆ ସଙ୍ଗୀତା ଜାତେ (୨୪) ଓ ସୁଚିତା ଜାତେ (୨୨)ଙ୍କ ସମେତ ଗୁପ୍‌ଚୁପ୍‌ ବିକାଳି ବନ୍ଧମୁଣ୍ଡା ସି’ ସେକ୍ଟର ଶରଧାପଲ୍ଲୀର ଭୋଳା ରାଉତ (୬୫)ଙ୍କୁ ଧକ୍କା ଦେଇଥିଲା। ଫଳରେ ତିନିଜଣଯାକ ଗୁରୁତର ଆହତ ହୋଇଥିଲେ। ଦ୍ରୁତବେଗରେ ଯାଉଥିବା ବସ୍‌ଟି ତା’ପରେ ଓଲଟିପଡ଼ିବାରୁ ଆଗପଟରେ ବସିଥିବା ୬ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ। ଗୁରୁତର ଆହତ ସାନିଆ, ସୁସ୍ମିତା ଓ ଭୋଳାଙ୍କୁ ପ୍ରଥମେ ରାଉରକେଲା ଜେନେରାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ଜଟିଳ ହେବାରୁ ପରେ ସେମାନଙ୍କୁ ଇସ୍ପାତ୍ ଜେନେରାଲ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଇତିମଧ୍ୟରେ ସାନିଆଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାର ନ ହେବାରୁ ତାଙ୍କୁ ବୁର୍ଲା ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ବସ୍‌ ଯାତ୍ରୀମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିବା ଜଣାପଡ଼ିଛି। ଅପରପକ୍ଷରେ ବସ୍‌ ଚାଳକଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସଂଧ୍ୟା‌ ୬ଟା ଯାଏଁ ରାସ୍ତାରୋକ କରି କ୍ଷତିପୂରଣ ଦାବି କରିଥିଲେ। କିନ୍ତୁ ବନ୍ଧମୁଣ୍ଡା ପୁଲିସ ସଂଧ୍ୟାରେ ଲାଠି ଚାଳନା ଭୟ ଦେଖାଇ ସେମାନଙ୍କୁ ଧାରଣରୁ ଉଠାଇଦେଇଥିଲା। ଆନ୍ଦୋଳନକାରୀଙ୍କୁ ପୁଲିସ ଦୌଡ଼ାଇ ଦୌଡ଼ାଇ ମାଡ଼ ମାରିବା ଉଦ୍ୟମକୁ କେନ୍ଦ୍ର କରି ଅଞ୍ଚଳରେ ଆହୁରି ଅସନ୍ତୋଷ ବୃଦ୍ଧି ପାଇଛି।
(ଫଟୋ ଅଛି)

ସମ୍ବନ୍ଧିତ ଖବର