ଫୁଟ୍‌ପାଥ ମାଡ଼ିବସିଛନ୍ତି ବ୍ୟବସାୟୀ: ଚାଲିବାକୁ ରାସ୍ତା ନାହିଁ

ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ମୁକୁଳା ଡ୍ରେନ୍‌

ରାଉରକେଲା: ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଫୁଟ୍‌ପାଥ ମାଡିବସିଛନ୍ତି ସହରର ଶହ ଶହ ବ୍ୟବସାୟୀ। ପାନପୋଷ ଗାନ୍ଧିଛକରୁ ଆଇଟିଆଇ, ଏସ୍‌ଟିଆଇ, ଉଦିତନଗର, ରାଉରକେଲା ମୁଖ୍ୟମାର୍ଗରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ଏଭଳି ଅବସ୍ଥା। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଜିଲ୍ଲା ପୁଲିସ ପକ୍ଷରୁ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବାରୁ ଦିନକୁ ଦିନ ସମସ୍ୟା ଜଟିଳ ହେଉଛି। ଉଦିତନଗର ଆମ୍ବେଦକର ଛକରୁ କଚେରୀରୋଡ ଓ ଡେଲିମାର୍କେଟରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ଫୁଥ୍‌ପାଥରେ ପାଦ ପକାଇକୁ ଜାଗା ମିଳୁନି। ଅଭିଯୋଗ ଆସିଲେ କେତେବେଳେ କେମିତି ଆର୍‌ଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ରାଉରକେଲା ପୁଲିସ ଆଖିଦୃଶିଆ କାଁଭାଁ କାର୍ଯ୍ୟାନୁଷ୍ଠାନ ନେଇ କାମ ସାରି ଦେଊଛନ୍ତି। ପରବର୍ତ୍ତୀ ସମୟରେ ସ୍ଥିତି ଯେମିତିକୁ ସେମିତି। ଫୁଟ୍‌ପାଥ ଚାଲିବାକୁ ଜାଗା ନଥିବାରୁ ପଥଚାରୀ ଯେତିକି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତା’ଠୁ ଢ଼େର ହଇରାଣ ହରକତ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଫୁଟ୍‌ପାଥରେ ଖାଲି ନଥିବାରୁ ବାଧ୍ୟ ହୋଇ ସ୍କୁଲ ପିଲାମାନେ ଜନଗହଳିପୂର୍ଣ୍ଣ ରାସ୍ତାରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଛୋଟବଡ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ, ଫୁଟ୍‌ପାଥ୍‌ ପାର୍ଶ୍ବରେ ଗାଡ଼ି ପାର୍କିଂ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ଧଳା ଦାଗ ଦିଆଯାଇଛି। କିଛି ଗାଡ଼ିଚାଳକ ପୁଲିସର ଏହି ନିୟମକୁ ଆଦୌ ମାନୁ ନାହାନ୍ତି। ମନଇଚ୍ଛା ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିଗୁଡ଼ିକ ରଖାଯାଉଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ନିୟମଭଙ୍ଗକାରୀ ଗାଡ଼ି ଚାଳକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ସେମିତି ଫୁଟ୍‌ପାଥ ପାର୍ଶ୍ବ ଡ୍ରେନ୍‌ଗୁଡ଼ିକ ଅଧିକାଂଶ ସ୍ଥାନରେ ସେମିତି ମୁକୁଳା ଛାଡି ଦିଆଯାଇଛି। ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ମୁକୁଳା ଡ୍ରେନ୍‌ ଉପରେ ଆର୍‌ଏମ୍‌ସିର ନଜର ପଡୁନି। ଉଦିତନଗର, କଚେରୀରୋଡ, ଡେଲିମାର୍କେଟ, ବିର୍ସାରୋଡ, ଏସିଆଇଟି ଛକ ଏମିତି ଅନେକ ସ୍ଥାନରେ ଡ୍ରେନଗୁଡ଼ିକ ଅସୁରକ୍ଷିତ ଭାବେ ରହିଛି। ଅନେକ ସମୟରେ ଗାଈଗୋରୁ ପଡ଼ି ମୃତ୍ୟୁବରଣ କରୁଛି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ କରାଯାଉଛି। ଏଭଳି ସମସ୍ୟା ସମ୍ପର୍କରେ ଇଞ୍ଜିନିୟରିଂ ବିଭାଗର ସୀମାଞ୍ଚଳ ଷଡଙ୍ଗୀଙ୍କୁ ପଚାରିବୁ ଏହି କାମ ଆର୍‌ଏମ୍‌ସି ପରିମଳ ବିଭାଗର ବୋଲି କହିଛନ୍ତି। ପରିମଳ ବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର ଅଜିତ ପଟ୍ଟନାୟକଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ, ସେ ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର