କୁତ୍ରା: ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ତେଲିଘଣା ଆମ୍ବ ବଗିଚାରେ ଗତ ଗୁରୁବାର ଦିନଠାରୁ ଜଣେ ବୁଢ଼ା ଓ ଅସୁସ୍ଥ ଓଟ ଗଛରେ ବାନ୍ଧା ହୋଇ ଲଘୁଚାପ ବର୍ଷାରେ ଭିଜୁଥିଲା। ଭୋକ ଓ ରୋଗରେ ଦୁର୍ବଳ ଏହି ପ୍ରାଣୀ ବିନା ଚିକିତ୍ସା ଓ ସହଯୋଗରୁ ମୃତ୍ୟୁ ସଙ୍କଟ ମୁହାଁ ହେଉଥିବା ବେଳେ ଆଜି କୁତ୍ରା ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚି ଓଟଟିର ଚିକିତ୍ସା କରିଛନ୍ତି ଏବଂ ଓଟଟି ବର୍ତ୍ତମାନ ସୁସ୍ଥ ଥିବା ପ୍ରାଣୀ ଚିକିତ୍ସକ ଦୀପକ ରଞ୍ଜନ ପରିଡ଼ା ପ୍ରକାଶ କରିଛନ୍ତି ।

Advertisment

ଅଞ୍ଚଳବାସୀଙ୍କ କହିବା ଅନୁସାରେ ଏହି ଓଟ ବହୁ ବର୍ଷ ଧରି ଏକ ଲୋକଙ୍କ ଦ୍ୱାରା ଯାତ୍ରୀ ଓ ମାଲ ବୋହିବା କାର୍ଯ୍ୟ ବ୍ୟବହୃତ ହେଉଥିଲା। ଓଟଟି ମାନବ ସମାଜ ପାଇଁ ମନୋରଞ୍ଜନ ଓ ଉପାର୍ଜନର ଉପାୟ ଥିଲା। ଯେତେବେଳେ ଏହା ଅସୁସ୍ଥ ହେଲା ସେତେବେଳେ ମାଲିକ ଏହାକୁ ଛାଡ଼ି ଦେଇ ଚାଲିଗଲା। ଏବେ ଏହି ଘଟଣା ଦେଶର ପ୍ରାଣୀ ସୁରକ୍ଷା ଆଇନ ଓ ନୀତି ଉପରେ ପ୍ରଶ୍ନ ଉଠାଇଛି। ଏଠି ପ୍ରାଣୀ ଉପରେ ହୋଇଥିବା ନିର୍ଦ୍ଦୟତା ଏବଂ ମାଲିକଙ୍କ ନିଷ୍ଠୁର ବ୍ୟବହାର ଜଳଜଳ କରି ଦିଶୁଛି।

ଅନ୍ୟପଟେ ଗଛ ମୂଳରେ ଓଟ ମାଲିକଙ୍କ ବ୍ୟାଗ ପତ୍ର ସବୁ ଥୁଆହୋଇ ରହିଛି । ଆଜି ତାର ଚିକିତ୍ସା ହେଲା ଏବଂ ପୁଲିସ ଏକ ପଲିଥିନ ଆଣି ଦେବାରୁ ଅପରାହ୍ନ ୨ଟା ସମୟରେ ଗ୍ରାମର ଅର୍ଜୁନ ନାଏକ, ଦର୍ଶନ କୁଜୁର,ପ୍ରିୟାନସୁ କୁଜୁର,ରାଜୁ ଟପ୍ପୋ,ସୁନିଲ ମିଞ୍ଜ ,କୁମର କୁଜୁର ପଲିଥିନ ଲଗାଇ ଛାଉଣି କରିଛନ୍ତି । ତେବେ ସେ କଣ ଖାଇ ବଞ୍ଚିବ, ତାର ସେବା କିଏ କରିବ ?  ତାହା ଏବେ ବିରାଟ ପ୍ରଶ୍ନ ହୋଇରହିଛି । ଗତକାଲି ଗ୍ରାମର ଲୋକେ ତାକୁ କିଛି ଧାନ ଆଣି ଦେବାରୁ ଖାଇଥିଲା। ଆଜି ଭୋକିଲା ପଡ଼ିରହିଛି । ଓଟଟି ରୋଗିଣା ହୋଇ ଯିବାରୁ ତାଉପରେ ମାଛି ସଲବଲ ହେଉଛନ୍ତି ।  ପ୍ରଶାସନ ଓ ପ୍ରାଣୀ ସୁରକ୍ଷା ବିଭାଗ ଏହି ପ୍ରାଣୀକୁ ଉଦ୍ଧାର କରି ସ୍ଥାୟୀ ସମାଧାନ କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳର ଲୋକମାନେ ଦାବି କରୁଛନ୍ତି ।