ସୁନ୍ଦରଗଡ଼: ନିଆରା ଢଙ୍ଗରେ ନିର୍ବାଚନ ପ୍ରଚାର କରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ ପ୍ରାର୍ଥୀ ଯୋଗେଶ ସିଂ ଚର୍ଚ୍ଚାରେ ରହିଛନ୍ତି। ଗାଁକୁ ଗଲା ବେଳେ କେବେ ମାଦଳ ବଜାଇଛନ୍ତି ତ କେବେ ଆଦିବାସୀଙ୍କ ସହ ହାତ ଧରାଧରି ହୋଇ ନାଚିଛନ୍ତି। ରାମନବମୀ ଆଖଡ଼ାରେ ସାମିଲ ହୋଇ ଲାଠି ଚାଳନା ବି କରିଛନ୍ତି। ଶୁକ୍ରବାର ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ସଦର ବ୍ଲକ୍‌ କୁଲଟା ପଞ୍ଚାୟତ କୁଅଁରମାଲକୁ ଯୋଗେଶ ପ୍ରଚାର ପାଇଁ ଯାଇଥିବାବେଳେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

publive-image

ପରମ୍ପରା ଅନୁସାରେ ଗାଁ ମୁଣ୍ଡରୁ ଯୋଗେଶଙ୍କୁ ମହିଳାମାନେ ବନ୍ଦାପନା କରି ପାଛୋଟି ନେଇଥିଲେ। ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଥିଲା ସଭା। ଦରି ପକାଇ ବସିଥିଲେ ଶତାଧିକ ମହିଳା, ପୁରୁଷ। ସା‌ମ୍ନାରେ ପ୍ରାର୍ଥୀ ଓ ଅନ୍ୟ କର୍ମକର୍ତ୍ତାଙ୍କ ପାଇଁ ଚୌକି ପଡ଼ିଥିଲା। କିନ୍ତୁ ଯୋଗେଶ ଚୌକିରେ ନ ବସି ସିଧା ତଳେ ଦରିରେ ବସି ଲୋକଙ୍କ ସହ ଭାବ ବିନିମୟ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଦେଇ ଭୋଟ ମାଗିଥିଲେ। ଏହି ସମୟ‌ରେ ମହିଳାମାନେ ଯୋଗେଶଙ୍କୁ ଗାଁର ପାଣି, ବିଜୁଳି ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ସହ ମିସନ ଶକ୍ତିଗୃହ ଯୋଗାଇ ଦେବାକୁ ଦାବି କରିଥିଲେ। ଯୋଗେଶ ଦାବି ପୂରଣ ନେଇ ନିର୍ଭର ପ୍ରତିଶ୍ରୁତି ଦେବା ସହ ନବୀନ ସରକାରର ବିକାଶ ତାଲିକା ଉପସ୍ଥାପନ କରିଥିଲେ।

ମହିଳାମାନେ ହୁଳହୁଳି ଦେଇ ଯୋଗେଶଙ୍କୁ ସମର୍ଥନ ଜଣାଇଥିବା ଦେଖାଯାଇଥିଲା। ମାରାଥାନ ପ୍ରଚା‌ରରେ ଯୋଗେଶ କୁର୍ଲା ପଞ୍ଚାୟତ ଖେରିଆକାନି, ରାବନଡିହି, ସିକିପାନି, କେନ୍ଦମାଲ, ସାହାପଡ଼ା‌, ମଧୁପୁର, ଗୋଏଲଝୋପା ଓ କୁଲଟା ପଞ୍ଚାୟତର ପେରୁଆଭାଡ଼ି ଫିଲିଙ୍ଗିବାହାଲ, କୁଲଟା, କୁଅଁରମାଲ, କାପୁଟିକିରା, ବାଉରିଡିହି, ବିଜାଡିହି, ଲମଟି ପହଞ୍ଚି ଭୋଟ ଭିକ୍ଷା କରିଥିଲେ। ପେରୁଆଭାଡ଼ିରେ ସ୍କୁଲ ଓ କଲେଜ ପଢ଼ୁଥିବା ଛାତ୍ରୀମାନେ କୁଲଟା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ଅବଗତ କରାଇ ଉନ୍ନତିକରଣ ପାଇଁ ଅନୁରୋଧ କରିଥିଲେ। ଏହି ସମୟରେ ଗାଁର ତପନ ଦରକା ତାଙ୍କ କଥା କହି ପାରୁ ନଥିବା କୁନି ଝିଅର ଚିକିତ୍ସା ପାଇଁ ଯୋଗେଶଙ୍କ ସହଯୋଗ ଲୋଡ଼ିଥିଲେ। ଯୋଗେଶ ତୁରନ୍ତ ହସ୍ପିଟାଲ ଆଣି ଚିକିତ୍ସା କରାଇବାକୁ ପରାମର୍ଶ ଦେବା ସହ ଆବଶ୍ୟକ ସହଯୋଗ ଦିଆଯିବ ବୋଲି କହିଥିଲେ। ପ୍ରଚାରରେ ବିଜୁ ଜନତା ଦଳର ବ୍ଲକ ସଭପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଅଶ୍ୱିନୀ କୁମାର ନାଏକ, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଲତା ନାଏକ, କୁର୍ଲା ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁମତି ବାଗ, କୁଲଟା ସରପଞ୍ଚ ଭୀମସେନ ବରିହା, ବରିଷ୍ଠ ନେତା ଅମୃତ ଶେଖର ଦେଓ, ସନ୍ତୋଷ ମଗର, ବୈଦେହୀ ବାଗ, ସୁଶାନ୍ତ ସିଂହ, ଜଗଦୀଶ ସାହୁ ପ୍ରମୁଖ ସାମିଲ ହୋଇ ଯୋଗେଶଙ୍କ ବିଜୟ ପାଇଁ ସଂକଳ୍ପ କରିଥିଲେ।